Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଲାଙ୍ଗୀରରେ ପୁଣି ଫେକ୍ ସାର୍ଟିଫିକେଟ୍ ଘୋଟାଲା: ଅଙ୍ଗନୱାଡ଼ି ନିଯୁକ୍ତିରେ ଜାଲିଆତି, ଜଣେ ବରଖାସ୍ତ, ଜଣଙ୍କ ଇସ୍ତଫା; ଥାନାରେ ଏଫ୍‌ଆଇଆର୍ ।

ବଲାଙ୍ଗୀରରେ ପୁଣି ଫେକ୍ ସାର୍ଟିଫିକେଟ୍ ଘୋଟାଲା: ଅଙ୍ଗନୱାଡ଼ି ନିଯୁକ୍ତିରେ ଜାଲିଆତି, ଜଣେ ବରଖାସ୍ତ, ଜଣଙ୍କ ଇସ୍ତଫା; ଥାନାରେ ଏଫ୍‌ଆଇଆର୍ ।

Odisha.news 1 week ago

ଲାଙ୍ଗୀର,୩୧।୭: ବଲାଙ୍ଗୀର ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଫେକ୍ ସାର୍ଟିଫିକେଟ୍ ର ବଡ଼ ଧରଣର ଜାଲିଆତି। ଚଞ୍ଚକତା ଓ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଖାଇ ସରକାରୀ ଚାକିରି ହାତେଇବା ଅଭିଯୋଗରେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଇଁତଲା ବ୍ଲକ୍‌ କୁଆଁରଗାଁ ଅଙ୍ଗନୱାଡ଼ି କେନ୍ଦ୍ରରେ ହୋଇଥିବା ନିଯୁକ୍ତିରେ ଜାଲିଆତି ପ୍ରମାଣିତ ହେବା ପରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ଜଣେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ସଇଁତଲା ବ୍ଲକ୍‌ କୁଆଁରଗାଁ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ରୋଜାଲିନ୍ ପଧାନ ଏବଂ ବର୍ଷା ନାଗ ନାମ୍ନୀ ଦୁଇ ଜଣ ଆବେଦନକାରୀ ନିଜର +୨ (ଉଚ୍ଚ ମାଧ୍ୟମିକ) ପରୀକ୍ଷାର ଜାଲ୍ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟର ସାର୍ଟିଫିକେଟ୍‌ରେ ମାର୍କ ବଦଳାଇ ଜାଲିଆତି କରାଯାଇଥିବା ନେଇ ସ୍ଥାନୀୟ ଆବେଦନକାରୀ ନନ୍ଦିନୀ ଛତାର ଓ ବର୍ଷାରାଣୀ ଛତାର ଅଭିଯୋଗ ଆଣିଥିଲେ।
ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ସାର୍ଟିଫିକେଟ୍‌ଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ପ୍ରମାଣପତ୍ର ନକଲି ବୋଲି ସ୍ପଷ୍ଟ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଅନ୍ୟ ଜଣେ କାର୍ଯ୍ୟାନୁଷ୍ଠାନ ଭୟରେ ନିଜେ ଇସ୍ତଫା ଦେଇଛନ୍ତି। ଏହି ପୂରା ଘଟଣାରେ ପୋଲିସ ତଦନ୍ତ ପାଇଁ ଟିଟିଲାଗଡ଼ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO) ଟିଟିଲାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ଏହି ମାମଲାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ କହିଛନ୍ତି, "ଅଭିଯୋଗ ମିଳିବା ପରେ ତୁରନ୍ତ ବିଭାଗୀୟ ଯାଞ୍ଚ କରାଯାଇଥିଲା। ସାର୍ଟିଫିକେଟ୍‌ ଜାଲିଆତି ପ୍ରମାଣିତ ହେବା ପରେ ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଇନଗତ ପ୍ରକ୍ରିୟା ପାଇଁ ପୋଲିସକୁ ଅବଗତ କରାଯାଇଛି।"
ଅନ୍ୟପଟେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ଏହି ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରୀ ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ୍‌ ବ୍ୟବହାର କରିବା ଏକ ଗୁରୁତର ଫୌଜଦାରୀ ଅପରାଧ। ଏହି ସିଣ୍ଡିକେଟ୍‌ ପଛରେ ଥିବା ମୁଖ୍ୟ କାର୍ପଟଦାରମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ଆବଶ୍ୟକ।
ବଲାଙ୍ଗୀର ଜିଲ୍ଲାରେ ବାରମ୍ବାର ସାମ୍ନାକୁ ଆସୁଥିବା ଫେକ୍ ସାର୍ଟିଫିକେଟ୍‌ କାରବାର ଓ ରୋଜଗାର ସିଣ୍ଡିକେଟ୍‌କୁ ନେଇ ଏବେ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News