Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚଳକି ଗାଁରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ଦାଗକୁ ନେଇ ବଢ଼ୁଛି ସନ୍ଦେହ ।

ଚଳକି ଗାଁରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ଦାଗକୁ ନେଇ ବଢ଼ୁଛି ସନ୍ଦେହ ।

Odisha.news 2 weeks ago

ଲାଙ୍ଗୀର,୩୧।୮: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଚଳକି ଗାଁରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ସେହି ଗାଁର ପଦ୍ମିନୀ ମଲ୍ଲିକ ସ୍ୱାମୀ- ନିଲିଫ୍ ମଲ୍ଲିକ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ଦିନବେଳେ ପଦ୍ମିନୀ ଘରେ ଏକା ଥିଲେ।

ପରିବାରର ଅନ୍ୟ ସଦସ୍ୟମାନେ ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ୱାମୀ ଛେଳି ଚରାଇବାକୁ ଯାଇଥିଲେ। ପରେ ପରିବାର ଲୋକେ ଘରକୁ ଫେରି ପଦ୍ମିନୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ମହିଳାଙ୍କ ବେକରେ ଦାଗ ଦେଖିବାକୁ ମିଳିଥିବାରୁ ଏହା ଆତ୍ମହତ୍ୟା ନା ହତ୍ୟା-ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ମୃତ ପଦ୍ମିନୀଙ୍କର ଦୁଇଟି ଛୋଟ ଛୋଟ ସନ୍ତାନ ଅଛନ୍ତି। ବିବାହର ୪ ବର୍ଷ ମଧ୍ୟରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଘଟଣା ସମ୍ପର୍କରେ ସ୍ୱାମୀ ନିଲିଫ୍ ମଲ୍ଲିକ କହିଛନ୍ତି ଯେ, ସେ ଘରେ ନଥିବା ବେଳେ ଏହି ଘଟଣା ଘଟିଛି ଏବଂ ସେ ମୃତ୍ୟୁର କାରଣ ବାବଦରେ କିଛି ଜାଣିନାହାନ୍ତି।
ଅପରପକ୍ଷରେ, ମୃତ ମହିଳାଙ୍କ ବାପା, ମା' ଓ ଭାଇ ସୁଦୂର ବେଙ୍ଗଲୋରକୁ କାମ କରିବାକୁ ଯାଇଛନ୍ତି। ସେମାନେ ସେଠାରୁ ଫେରିବା ପରେ ଏନେଇ ମୁରିବାହାଲ ଥାନାରେ ମାମଲା ରୁଜୁ ହେବ ବୋଲି ମୁରିବାହାଲ ଥାନା ଅଧିକାରୀ ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୋଲିସ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ସହ ପ୍ରାଥମିକ ତଦନ୍ତ ଜାରି ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News