Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଛାତକୁ ଛିଟିକି ପଡ଼ିଲେ ଯାତ୍ରୀ, ଭାଙ୍ଗିଗଲା ଲଗେଜ୍ ଲକର୍! ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ଟର୍ବୁଲେନ୍ସ, ୧୭ ଆହତ

ଛାତକୁ ଛିଟିକି ପଡ଼ିଲେ ଯାତ୍ରୀ, ଭାଙ୍ଗିଗଲା ଲଗେଜ୍ ଲକର୍! ଏୟାର ଇଣ୍ଡିଆ ବିମାନରେ ଭୟଙ୍କର ଟର୍ବୁଲେନ୍ସ, ୧୭ ଆହତ

Odisha.news 5 days ago

ନୂଆଦିଲ୍ଲୀ: ଆକାଶ ମଝିରେ ଭୟଙ୍କର ଟର୍ବୁଲେନ୍ସର ଯୋଗୁଁ ଥରିଉଠିଲା ଏୟାର ଇଣ୍ଡିଆର ଏକ ବିମାନ। ଫୁକେଟରୁ ଦିଲ୍ଲୀ ଆସୁଥିବା 'AI-2379' ବିମାନ ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଯିବାରୁ ବିମାନ ଭିତରେ ଆତଙ୍କ ସୃଷ୍ଟି ହୋଇଥିଲା। ଅନେକ ଯାତ୍ରୀ ସିଟ୍‌ରୁ ଛିଟିକି ବିମାନର ଛାତରେ ବାଜିଥିବାବେଳେ, କେହି କେହି ଆଇଲ୍‌ରେ ପଡ଼ି ଆହତ ହୋଇଥିଲେ।

ଭୟଙ୍କର ଝଟକାରେ ଓଭରହେଡ୍ ଲଗେଜ୍ ଲକର୍ ଭାଙ୍ଗିପଡ଼ି ବ୍ୟାଗ୍‌ଗୁଡ଼ିକ ଯାତ୍ରୀଙ୍କ ଉପରେ ଖସିପଡ଼ିଥିଲା। ଏହି ଘଟଣାରେ ମୋଟ ୧୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ଜଣ କ୍ୟାବିନ୍ କ୍ରୁ ସଦସ୍ୟ ମଧ୍ୟ ରହିଛନ୍ତି।

ଘଟଣା ସମୟରେ ବିମାନ ଭିତରେ ଆତଙ୍କ ଖେଳି ଯାଇଥିଲା । କ୍ୟାବିନ୍ କ୍ରୁ ସଦସ୍ୟମାନେ ବାରମ୍ବାର ଯାତ୍ରୀଙ୍କୁ ସିଟ୍ ବେଲ୍ଟ ବାନ୍ଧି ରଖିବାକୁ ଅନୁରୋଧ କରୁଥିବାବେଳେ, ପରିସ୍ଥିତି ଏତେ ଗୁରୁତର ଥିଲା ଯେ କିଛି କ୍ରୁ ସଦସ୍ୟ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ। ଜଣେ ମହିଳା ଯାତ୍ରୀ ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରି କହିଛନ୍ତି ଯେ, ଏହା ତାଙ୍କ ଜୀବନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ ଥିଲା। ତାଙ୍କ ଆଖି ଆଗରେ ଯାତ୍ରୀମାନେ ସିଟ୍‌ରୁ ଉଡ଼ି ଛାତରେ ବାଜୁଥିବା ଏବଂ ଆହତ ହେଉଥିବା ଦୃଶ୍ୟ ସେ ଦେଖିଥିବା କହିଛନ୍ତି।

ଅନ୍ୟ ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ହଠାତ୍ ବିମାନ ତଳକୁ ଖସିଯିବାରୁ ତାଙ୍କ ବାପା କଫି ପିଉଥିବା ସମୟରେ ସିଟ୍‌ରୁ ଉଡ଼ି ବିମାନର ଛାତରେ ବାଜିଥିଲେ। ତାଙ୍କ ମାଆ, ପତ୍ନୀ ଏବଂ ଦୁଇ ବର୍ଷର ଝିଅ ମଧ୍ୟ ଆହତ ହୋଇଥିଲେ। ବିମାନଟି ଦିଲ୍ଲୀରେ ସୁରକ୍ଷିତ ଅବତରଣ କରିବା ପରେ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାତ୍ରୀମାନେ ଏହାକୁ "ଦ୍ୱିତୀୟ ଜୀବନ" ବୋଲି ବର୍ଣ୍ଣନା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News