Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ଐତିହ୍ୟର ମାନ୍ୟତା; ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ଐତିହ୍ୟର ମାନ୍ୟତା; ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Odisha.news 1 week ago

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ୟୁନେସ୍କୋର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ତାଲିକାରେ ସ୍ଥାନ ଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଜୋରଦାର ପଦକ୍ଷେପ ନିଆଯାଇଛି |ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପୁରୀ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଭାରତର ସାଂସ୍କୃତିକ ବିବିଧତା, ଆଧ୍ୟାତ୍ମିକ ପରମ୍ପରା, ଶିଳ୍ପକଳା, ସଙ୍ଗୀତ, ନୃତ୍ୟ ଓ ସାମୁହିକ ସହଭାଗିତାର ଏକ ଅନନ୍ୟ ପ୍ରତୀକ। ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଗଲେ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ପରିଚୟ ଆହୁରି ସୁଦୃଢ଼ ହେବା ସହ ଏହି ଐତିହ୍ୟର ସଂରକ୍ଷଣ ଓ ପ୍ରଚାରରେ ବଡ଼ ସହାୟତା ମିଳିବ।

ଏହି ପ୍ରସ୍ତାବକୁ ଆଗକୁ ବଢ଼ାଇବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ ଓ ଆବେଦନପତ୍ର ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ୟୁନେସ୍କୋ ନିକଟରେ ଏହି ପ୍ରସ୍ତାବକୁ ଶୀଘ୍ର ଉପସ୍ଥାପନ କରିବା ସହ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ପଦକ୍ଷେପ ସଫଳ ହେଲେ ପୁରୀ ରଥଯାତ୍ରା ବିଶ୍ୱ ଐତିହ୍ୟ ମଞ୍ଚରେ ଆଉ ଏକ ନୂଆ ପରିଚୟ ପାଇବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News