Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସିଦ୍ଧିବିନାୟକ ମନ୍ଦିରରେ ଦାନ ଟଙ୍କା ହେରଫେର ଅଭିଯୋଗ; ୫ ବର୍ଷର ହିସାବ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଏକନାଥ ସିନ୍ଦେ

ସିଦ୍ଧିବିନାୟକ ମନ୍ଦିରରେ ଦାନ ଟଙ୍କା ହେରଫେର ଅଭିଯୋଗ; ୫ ବର୍ଷର ହିସାବ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଏକନାଥ ସିନ୍ଦେ

Odisha.news 5 days ago

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଦାନ ଟଙ୍କା ହେରଫେର ଅଭିଯୋଗକୁ ନେଇ ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତ ପାଞ୍ଚ ବର୍ଷରେ ମନ୍ଦିରକୁ ମିଳିଥିବା ନଗଦ ଦାନ, ସୁନା-ରୂପା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ସ୍ୱତନ୍ତ୍ର ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତଦନ୍ତ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆସିମ ଗୁପ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି। ଅଡିଟ୍ ରିପୋର୍ଟରେ କୌଣସି ଅନିୟମିତତା ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଏହି ବିବାଦର ଆରମ୍ଭ ହୋଇଥିଲା ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କ ଅଭିଯୋଗ ପରେ। ସେ ଦାବି କରିଥିଲେ ଯେ, ସିଦ୍ଧିବିନାୟକ ମନ୍ଦିରରୁ ପ୍ରତିବର୍ଷ ପ୍ରାୟ ୧୮ କୋଟି ଟଙ୍କା ଦାନ ହେରଫେର ହେଉଥିଲା। ତାଙ୍କ କହିବା ଅନୁସାରେ, କିଛି ଟ୍ରଷ୍ଟିଙ୍କ ସତର୍କତା ଯୋଗୁଁ ଦାନ ବାକ୍ସରୁ ଚୋରି କରୁଥିବା କର୍ମଚାରୀମାନେ ଧରାପଡ଼ିଥିଲେ। ଚୋରି ବନ୍ଦ ହେବା ପରେ ସାପ୍ତାହିକ ଦାନ ରାଶି ୫୦ ଲକ୍ଷ ଟଙ୍କାରୁ ବଢ଼ି ପ୍ରାୟ ୧.୫ କୋଟି ଟଙ୍କାରେ ପହଞ୍ଚିଥିବା ସେ ଦାବି କରିଥିଲେ।

ଅନ୍ୟପଟେ, ସିଦ୍ଧିବିନାୟକ ଟ୍ରଷ୍ଟର ଅଧ୍ୟକ୍ଷ ସଦା ସରଭାଙ୍କର ଏହି ଅଭିଯୋଗକୁ ନେଇ ମନ୍ଦିରର ଛବି ଖରାପ କରିବାର ଚେଷ୍ଟା ହେଉଥିବା କହିଛନ୍ତି। ସେ କହିଛନ୍ତି, ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସେ ନିଜେ ଦୁର୍ନୀତି ନିବାରଣ ବ୍ୟୁରୋ (ACB)କୁ ଜଣାଇଥିଲେ। ଏହାପରେ ନଜରଦାରି ଓ ଫାନ୍ଦ ପକାଇ ମୁଖ୍ୟ ଅଭିଯୁକ୍ତ ରାଜନ ପେଣ୍ଡୁଲକରଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ମୋଟ ୪୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସହ ସମସ୍ତଙ୍କୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ଆର୍ଥିକ ବର୍ଷରେ ସିଦ୍ଧିବିନାୟକ ମନ୍ଦିରର ଆୟ ପ୍ରାୟ ୧୮୨ କୋଟି ଟଙ୍କା ଥିବା ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Dot News