କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଶ୍ରାବଣ ମାସ ସୋମବାର ଦିନ କାଉଡ଼ିଆମାନେ ବିଭିନ୍ନ ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ତେଣୁ ଏଥର ବୋଲବମ୍ ଯାତ୍ରା ବନ୍ଦ ରହିବ। ଆଜି ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଅତିରିକ୍ତ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା। ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ସମସ୍ତ ଧର୍ମପୀଠ ବନ୍ଦ ରହିବ ବୋଲି ଘୋଷଣା କରିବା ସହ ସମସ୍ତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି। ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି।