ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ କନ୍ୟା ସନ୍ତାନ ଦିବସ (ନ୍ୟାସନାଲ ଗାର୍ଲ୍ସ ଚାଇଲ୍ଡ ଡେ)-୨୦୨୧ ଅବସରରେ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଦିନଟିଏ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଏବେ ସେ ଉତ୍ତରାଖଣ୍ଡ ଶିଶୁ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି।
୨୪ ଜାନୁଆରୀକୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଇଥାଏ। ଆଜି ସୃଷ୍ଟି ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଗୈରସେଣରେ ରହି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ କାର୍ଯ୍ୟର ସମୀକ୍ଷା କରିବେ। ଅଟଳ ଆୟୁଷ୍ମାନ ଯୋଜନା, ସ୍ମାର୍ଟ ସିଟି ପରିଯୋଜନା, ପର୍ଯ୍ୟଟନ ବିଭାଗର ହୋମ ଷ୍ଟେ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାର ସେ ସମୀକ୍ଷା କରିବେ।
ଏହି ସବୁ ଯୋଜନାର ସମୀକ୍ଷା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଉତ୍ତରାଖଣ୍ଡ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ।
ସୃଷ୍ଟିଙ୍କ ଘର ହରିଦ୍ୱାର ଜିଲ୍ଲା ଦୌଲତପୁର ଗାଁ'ରେ। ପିତା ପ୍ରବୀଣ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଓ ମା' ସୁଧା ଅଙ୍ଗନବାଡ଼ି କର୍ମୀଭାବେ କାର୍ଯ୍ୟରତ। ସେ ଏବେ ବିଏସଏମ ପିଜି କଲେଜରେ ବିଏସସି ଏଗ୍ରିକଲଚର ଶ୍ରେଣୀର ୭ମ ସେମିଷ୍ଟାରର ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି। ସେ ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ମେ ୨୦୧୮ରେ ସେ ଉତ୍ତରାଖଣ୍ଡ ଶିଶୁବିଧାନସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ରେ ଅନ୍ତର୍ଜାତୀୟ ବାଳିକା ସମ୍ମିଳନୀରେ ଭାଗ ନେବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ଏହା ବ୍ୟତୀତ ସେ ସ୍ଥାନୀୟ ଅଞ୍ଚଳର କେତେକ ଶିକ୍ଷା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ କରନ୍ତି।

