Wednesday, 23 Sep, 7.32 pm Odisha Infocus

ମୁଖ୍ୟ ଖବର
ରାଜ୍ୟବାସୀଙ୍କୁ ରାଜ୍ୟ ସରକାରଙ୍କ ବଚନ, କରୋନାକୁ ମାତ ଦେବ ଓଡିଶା

ଦୈନିକ ୪୦୦୦ରୁ ଉର୍ଦ୍ଧ୍ଵ ସଂକ୍ରମିତ ଏବେ ଓଡିଶାରେ ଚିହ୍ନଟ ହେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ପାଇଁ ବଡ ଉଦ୍ବେଗର ବିଷୟ ପାଲଟିଛି । ତେବେ ସରକାର ଗଞ୍ଜାମ ମଡେଲରେ କରୋନାକୁ ମାତ ଦେବା ପାଇଁ ଚିନ୍ତା କରୁଛନ୍ତି । ଗଞ୍ଜାମରେ ସଫଳତାର ସହ କୋଭିଡ ମୁକାବିଲା ହୋଇପାରିଛି । ଅପ୍ରେଲ ଶେଷ ପର୍ଯ୍ୟନ୍ତ କୌଣସି କୋଭିଡ ପଜିଟିଭ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇନଥିଲା । ମେ ୩ ତାରିଖରେ ପ୍ରବାସୀଙ୍କୁ ନେଇ ପ୍ରଥମ ବସ କେରଳରୁ ବାହାରିଥିଲା । ପରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଲକ୍ଷାଧିକ ପ୍ରବାସୀ ଗଞ୍ଜାମକୁ ଫେରିଥିଲେ । ଜୁନ ଶେଷ ସୁଦ୍ଧା ୨୨୫ଟି ଶ୍ରମିକ ସ୍ପେଶାଲରେ ୪ ଲକ୍ଷରୁ ଅଧିକ ଶ୍ରମିକ ଫେରିଥିଲେ । ସାରା ରାଜ୍ୟକୁ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଫେରିଛନ୍ତି ।

ପ୍ରବାସୀଙ୍କ ଆଗମନ ଫଳରେ ମେ ଶେଷ ସୁଦ୍ଧା ଗଞ୍ଜାମରେ ପଜିଟିଭ ସଂଖ୍ୟା ୨୮ରୁ ୩୦ ପ୍ରତିଶତ ବଢିଥିଲା । ଜୁଲାଇ ଶେଷ ବେଳକୁ ଗଞ୍ଜାମରେ ୬୦୦ରୁ ୭୦୦ ପଜିଟିଭ ଚିହ୍ନଟ ହେଉଥିଲେ । ଅଗଷ୍ଟ ପ୍ରଥମ ସପ୍ତାହରୁ ସଂଖ୍ୟା କମିବା ଆରମ୍ଭ ହେଲା । ଧୀରେ ଧୀରେ ସଂକ୍ରମଣ ସଂଖ୍ୟା ୫୦ ତଳକୁ ହ୍ରାସ ପାଇଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଏବେ ସଂକ୍ରମଣରେ ଏକ ନମ୍ବରରେ ରହିଛି । ଦୈନିକ ସର୍ବାଧିକ ପଜିଟିଭ ବୁବନେଶ୍ବର ଓ କଟକରୁ ଚିହ୍ନଟ ହେଉଥିବାବେଳେ ତୃତୀୟରେ ପୁରୀ ରହିଛି । ତେଣୁ ସରକାର ଚିନ୍ତା କରୁଛନ୍ତି ଗଞ୍ଜାମ ମଡେଲରେ ସାରା ଓଡିଶା ପାଇଁ ପଦକ୍ଷେପ ନେବାକୁ । ଅବଶ୍ୟ ଗଞ୍ଜାମରେ ଯେପରି ସଫଳତାର ସହ ମୁକାବିଲା କରିପାରିଲା, ତାହାର ଶ୍ରେୟ ନିଶ୍ଚିତ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦିଆଯିବ । ସେ ଉଚିତ ପଦକ୍ଷେପ ନେଇ କରୋନା ସଂକ୍ରମଣର ଦୃଢ ମୁକାବିଲା କରିବାରେ ସଫଳ ହୋଇପାରିଛନ୍ତି । ଏବେ ସେହିଭଳି ପଦକ୍ଷେପ ସାରା ରାଜ୍ୟ ପାଇଁ ନିଆଯିବ ।

ଗଞ୍ଜାମରେ ପ୍ରବାସୀଙ୍କ ନିମନ୍ତେ ୩ ହଜାର ଟିଏମସି ପ୍ରତିଷ୍ଠା କରାଯାଇଥିଲା । ତେଣୁ ଗଞ୍ଜାମରେ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ହେଲା । ଗଞ୍ଜାମ ପାଇଁ ସ୍ଵତନ୍ତ୍ର ଏସଓପି ସରକାର ପ୍ରସ୍ତୁତ କଲେ । ଘରକୁ ଘର ବୁଲି ସର୍ଭେଲାନ୍ସ କରାଗଲା । ଗଞ୍ଜାମରେ ଗାଁକୁ ରେଡ ଓ ଗ୍ରୀନ ଜୋନ କରାଗଲା । ଡୋର ତୁ ଡୋର ସର୍ଭେ ରଣନୀତି ହେଲା । ଲୋକଙ୍କୁ ସଚେତନ କରାଗଲା । କୋଭିଡ ଗାଇଡଲାଇନ କଡାକଡି ପାଳନ କରାଗଲା । ଏହି ରଣନୀତି ଶେଷରେ ସଫଳ ହେଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Infocus
Top