ଭୁବନେଶ୍ୱର, ୨୭/୦୯ : ଉତ୍ତର ଆଣ୍ଡାମାନ ସାଗର ମୁହାଁ ଘୂର୍ଣ୍ଣିବଳୟ, ଆଜି ପହଞ୍ଚିବା ସମ୍ଭାବନା । ପୁଣି ବଙ୍ଗୋପସାଗର ଉପରେ ପାଣିପାଗ ଗତିବିଧି ବଢ଼ିବାର ସଙ୍କେତ ମିଳିଛି। କେନ୍ଦ୍ରୀୟ ଥାଇଲ୍ୟାଣ୍ଡ ଓ ଏହାର ସଂଲଗ୍ନ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳରେ ବ୍ୟାପି ରହିଛି ।
ଏହି ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଆଜି ଏହା ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାରର ସଂଲଗ୍ନ ଇରାୱାଡି ଅଞ୍ଚଳରେ ପହଞ୍ଚିପାରେ। ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଏହାର ପରବର୍ତ୍ତୀ ଗତିପଥ ଓ ତୀବ୍ରତା ଉପରେ ନଜର ରହିବ । ବିଶେଷ କରି ଏହା ବଙ୍ଗୋପସାଗର ଆଡ଼କୁ ଆଗକୁ ବଢ଼ୁଛି କି ନାହିଁ ଏବଂ ପରବର୍ତ୍ତୀ ସମୟରେ କୌଣସି ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି କରୁଛି କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ହେବ । ତେବେ ବର୍ତ୍ତମାନର ସୂଚନାରେ ଏହି ଘୂର୍ଣ୍ଣିବଳୟରୁ ଲଘୁଚାପ କିମ୍ବା ବାତ୍ୟା ସୃଷ୍ଟି ହେବ ବୋଲି କୁହାଯାଇନାହିଁ। ତେଣୁ ଏବେଠାରୁ ବାତ୍ୟା ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ହେବନାହିଁ। ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍ ରୁ ଏହି ପ୍ରଣାଳୀର ଗତିପଥ ଓ ସମ୍ଭାବ୍ୟ ପ୍ରଭାବ ଅଧିକ ସ୍ପଷ୍ଟ ହେବ ।

