ଭୁବନେଶ୍ୱର, ୨୫/୦୫ : ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ । ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଚିଠିରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ କରିଛନ୍ତି ଯେ, ଦଳ ଭିତରେ ତାଙ୍କୁ ସୁଚିନ୍ତିତ ଭାବେ ଉପେକ୍ଷା କରାଯାଉଥିଲା ।
ଦଳକୁ ଆଉ ତାଙ୍କର ସେବା ଆବଶ୍ୟକ ନାହିଁ । ଇସ୍ତଫା ଦେବା ସତ୍ତ୍ୱେ, ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଏବଂ କଟକ ଜିଲ୍ଲାର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ୨୦୦୯ ଓ ୨୦୧୪ରେ ବାରବାଟୀ-କଟକର ବିଧାୟକ ଥିଲେ ଦେବାଶିଷ । ୨୦୨୪ରେ ବିଜେଡି ଦେବାଶିଷଙ୍କୁ ରାଜ୍ୟସଭା ପଠାଇଥିଲା ।
ପୂର୍ବରୁ ମଧ୍ୟ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏଥିସହ ପୁଣି ଥରେ ରାଜ୍ୟସଭା ଯାଇଥିଲେ । ବିଜେଡି ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ବିଜେପିରେ ଯୋଗ ଦେଇଥିଲେ । ବିଜେଡିର ଦୁଇଜଣ ପ୍ରମୁଖ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ନିଜ କାର୍ଯ୍ୟକାଳ ସରିବା ପୂର୍ବରୁ ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହି ଘଟଣା ଓଡ଼ିଶା ରାଜନୀତିରେ ବହୁତ ଚର୍ଚ୍ଚିତ ହୋଇଥିଲା ।

