Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେପିର ବଡ଼ ଘୋଷଣା : ୧୭ରୁ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ

ବିଜେପିର ବଡ଼ ଘୋଷଣା : ୧୭ରୁ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ

ଭୁବନେଶ୍ୱର, ୨୮/୮: ଶାସକ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୭ରୁ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ଏବଂ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଭାଜପା କରିବାକୁ ଯୋଜନା କରିଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସାମିଲ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ଜନସେବକ ମହାକୁମ୍ଭ କରାଯିବ। ପଞ୍ଚାୟତରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁ ଜନପ୍ରତିନଧିମାନେ ବନ୍ଦେ ମାତରମ୍‌ର ସମସ୍ତ ୬ଟି ସ୍ତବକର ସାମୂହିକ ଗାନ କରିବେ। ଏହି କାର୍ଯ୍ୟକ୍ରମରେ ଆନୁମାନିକ ୧.୨୫ ଲକ୍ଷ ଜନପ୍ରତିନିଧି ସାମିଲ ହେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମାସେବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଭିତରେ ଦଳ ପକ୍ଷରୁ ଛାତ୍ର ଏବଂ ଯୁବଗୋଷ୍ଠୀଙ୍କ ସହିତ ଅଧିକ ଯୋଡ଼ିହେବାକୁ ଲକ୍ଷ୍ୟ ରଖାଯାଇଛି। ନିକଟରେ ନୂଆଦିଲ୍ଲୀଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍‌ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଦଳ ପକ୍ଷରୁ ଅଧିକରୁ ଅଧିକ ଯୁବଗୋଷ୍ଠୀ ସହ ଯୋଡ଼ିହେବା ଲାଗି କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲା। ତାକୁ ବାସ୍ତବରୂପ ଦେବା ଲାଗି ରାଜ୍ୟସ୍ତରରେ ମଧ୍ୟ ଦଳ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି।

ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳର ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତି ଏବଂ ଦଳର ଅନ୍ୟ କେତେଜଣ ମନ୍ତ୍ରୀ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲା ସଭାପତି ଓ ପ୍ରଭାରୀ ଏବଂ ରାଜ୍ୟ ଓ ଜିଲାର ସଂଯୋଜକମାନେ ଯୋଗଦେଇଛନ୍ତି। ଏହି ଅଭିଯାନକୁ ସଫଳକରିବା ଲାଗି ଗଠିତ ରାଜ୍ୟସ୍ତରୀୟ କମିଟିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସଂଯୋଜକ ଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଏବଂ ସୁଶ୍ରୀ ସୁକେଶୀ ଓରାମ ସହସଂଯୋଗକ ଅଛନ୍ତି। ସେହିପରି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ, ବିଧାୟକ ଇରାଶିଷ ଆଚାର୍ଯ୍ୟ, ପ୍ରତାପ ନାଏକ, ପୂର୍ବତନ ଏମ୍‌ପି ଅମର ପଟ୍ଟନାୟକ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସଦସ୍ୟ ରହିଛନ୍ତି। ସେବା ସଂକଳ୍ପ ଅଭିଯାନ ବାବଦରେ ସୂଚନା ଦେଇ ମନ୍ତ୍ରୀ ମହାପାତ୍ର କହିଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ଗରିବ, ଅସହାୟ, ମହିଳା, ଯୁବ, କୃଷକ ଓ ବଞ୍ଚିତ ବର୍ଗଙ୍କ ନିକଟରେ ସେବା ପହଞ୍ଚାଇବା ସହ ସ୍ବଚ୍ଛତା, ସ୍ବାସ୍ଥ୍ୟ, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମ ଆୟୋଜନ କରିବା। ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଘରକୁ ଯାଇ ଦୀପ ପ୍ରଜ୍ୱଳନ କରାଯିବ। ରାଜ୍ୟ, ଜିଲା ଓ ବ୍ଲକ୍‌ ସ୍ତରରେ ରକ୍ତଦାନ ଶିବିର କରାଯିବ। ଆସନ୍ତା ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସବୁ ବିଦ୍ୟାଳୟରେ ଚିତ୍ରାଙ୍କନ, ଭାଷଣ, ବକ୍ତୃତା ଆଦି ପ୍ରତିଯୋଗିତା କରାଯିବ। ବ୍ଲକ୍‌ସ୍ତରରେ ସେବା ସେତୁ ଶିବିରର ଆୟୋଜନ କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in