Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି : ଓଡ୍ରାଫ୍‌ ହେବ ଓଡ଼ିଶାର ଏସଡିଆରଏଫ୍

ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି : ଓଡ୍ରାଫ୍‌ ହେବ ଓଡ଼ିଶାର ଏସଡିଆରଏଫ୍

ଭୁବନେଶ୍ୱର, ୦୫/୦୮ : ଓଡ଼ିଶାରେ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ ଫୋର୍ସ (ODRAF)କୁ ଆନୁଷ୍ଠାନିକ ଭାବେ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଭାବେ ଘୋଷଣା କରି ଏହାକୁ ଏକ ସ୍ୱତନ୍ତ୍ର ଓ ଆଧୁନିକ ବିପର୍ଯ୍ୟୟ ମୁକାବିଲା ବାହିନୀରେ ପରିଣତ କରାଯିବ।

ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ଆଇନ-୨୦୨୫ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଏକ ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ (SDRF) ଗଠନ ବାଧ୍ୟତାମୂଳକ। ସେହି ଅନୁଯାୟୀ ଓଡ୍ରାଫ୍‌କୁ ଏସଡିଆରଏଫ୍‌ରେ ପରିଣତ କରିବା ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଏହା ସହ ଏକ ସ୍ୱତନ୍ତ୍ର ବାଟାଲିୟନ ଓ ଏହାର ନେତୃତ୍ୱ ପାଇଁ ଅଲଗା କମାଣ୍ଡିଂ ଅଫିସର ନିଯୁକ୍ତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଓଡ୍ରାଫ୍‌ ବନ୍ୟା ସମୟରେ ପ୍ରାୟ ୫୮ ଘଣ୍ଟା ରାତ୍ରିକାଳୀନ ଉଦ୍ଧାର ଅଭିଯାନ ଚଳାଇ ୧,୩୯୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ସେଥିମଧ୍ୟରେ ୮୫୨ ଜଣ ପୁରୁଷ ଓ ୫୪୧ ଜଣ ମହିଳା ଥିଲେ। ଏହାବ୍ୟତୀତ ୧୯ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ୬ ଜଣ ସାପ କାମୁଡ଼ା ରୋଗୀଙ୍କୁ ଡାକ୍ତରଖାନାକୁ ପଠାଇବା, ୨୫ଟି ଜରୁରୀକାଳୀନ ମେଡିକାଲ ଇଭାକ୍ୟୁଏସନ୍, ୨୧୩ଟି ଗୃହପାଳିତ ପଶୁଙ୍କୁ ଉଦ୍ଧାର ଏବଂ ୧୮ଟି ଉପୁଡ଼ି ପଡ଼ିଥିବା ଗଛ ହଟାଇ ରାସ୍ତା ଚଳାଚଳ ସ୍ୱାଭାବିକ କରିଥିଲା। ସମୁଦାୟ ଭାବେ ବନ୍ୟା ମୁକାବିଲାରେ ଓଡ୍ରାଫ୍‌ ୪୯୦ ଘଣ୍ଟା ଧରି ନିରବଚ୍ଛିନ୍ନ ସେବା ଯୋଗାଇଥିଲା। ବୈଠକରେ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ ଶୀଘ୍ର ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଚାଷଜମି, ପନିପରିବା ଚାଷ, ଘରବାଡ଼ି, ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଓ ଅନ୍ୟାନ୍ୟ ସରକାରୀ ଭିତ୍ତିଭୂମିର କ୍ଷତିର ସଠିକ୍ ଆକଳନ କରି ପ୍ରଭାବିତ ପରିବାରଙ୍କୁ ଶୀଘ୍ର କ୍ଷତିପୂରଣ ଓ ସହାୟତା ପ୍ରଦାନ କରିବାକୁ ସେ କହିଛନ୍ତି। ଏହି ବୈଠକରେ ଓଏସଡିଏମଏର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ପରାମର୍ଶଦାତା କମଳ ଲୋଚନ ମିଶ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା, ଆର୍ଥିକ ପରାମର୍ଶଦାତା ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in