Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଞ୍ଜାମ ଜିଲ୍ଲା ଉପରେ ବିଜେପିର ଆଖି

ଗଞ୍ଜାମ ଜିଲ୍ଲା ଉପରେ ବିଜେପିର ଆଖି

ବ୍ରହ୍ମପୁର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମର ସ୍ଥିତି ଭଲ ନାହିଁ। ବିଜେଡି ୨୦୨୪ରେ ନିର୍ବାଚନ ହାରିବା ପରେ ବ୍ୟାପକ ଅବ୍ୟବସ୍ଥା। ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ହତ୍ୟା ମାମଲାରେ ଗିରଫ ହେବା ପରେ ଦଳ ବାପଛେଉଣ୍ଡ ଅବସ୍ଥାରେ। ସୁଜାତା ରାଉତଙ୍କ ମିଶ୍ରଣ ପରେ ଗଞ୍ଜାମ ବିଜେଡିରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

ଠିକ୍‌ ଏତିକି ବେଳେ ବିଜେପି 'ଅପରେସନ୍‌ ଲୋଟସ୍‌' ଆରମ୍ଭ କରି ଦେଇଥିବା ଚର୍ଚ୍ଚା ଜୋର୍ ଧରିଛି। ବିଭିନ୍ନ ବ୍ଲକ୍‌ ଓ ପୌରାଧ୍ୟକ୍ଷଙ୍କୁ ଦଳରେ ମିଶାଇ ପଦ୍ମ କ୍ୟାମ୍ପ ଶକ୍ତିଶାଳୀ ହେଉଥିବା ବେଳେ ବିଜେଡିର ବଡ଼ ମୁଣ୍ଡମାନଙ୍କୁ ଏବେ ଟାର୍ଗେଟ୍‌ କରାଯାଇଛି।

ବିଧାୟକ ବିକ୍ରମ କେଶରୀ ଆରୁଖ ବାରମ୍ବାର ମନ୍ତ୍ରୀ ହୋଇଛନ୍ତି। ହେଲେ ୨୦୨୪ ନିର୍ବାଚନ ହାରିବା ପରେ ସେ ଭଞ୍ଜନଗର ମାଟି ମାଡ଼ୁନାହାନ୍ତି। ବିଜେଡିର ସଂସଦୀୟ ବ୍ୟାପାର କମିଟିରେ ଥାଇ ମଧ୍ୟ ସେ ବୈଠକ ଯାଉନାହାନ୍ତି। ସ‌ତେ ଯେମିତି ରାଜନୀତିରୁ ଗାଏବ ହୋଇଯାଇଛନ୍ତି। ତାଙ୍କୁ ନେଇ ଗଞ୍ଜାମ ରାଜନୀତିରେ ଟୁପୁରଟାପୁର ଚାଲିଛି। ସେହିପରି କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ୨୦୨୪ ବିପର୍ଯ୍ୟୟ ପରେ ମାନସ ମଙ୍ଗରାଜ ଓ ପାଣ୍ଡିଆନଙ୍କ ବିରୋଧରେ ଜୋରଦାର ବର୍ଷିଥିଲେ ସେ। ତା' ପରଠାରୁ ଦଳର କୌଣସି କାର୍ଯ୍ୟକ୍ରମରେ ସେ ସାମିଲ ହେଉନାହାନ୍ତି। ଏପରିକି ସୁଜାତାଙ୍କ ମିଶ୍ରଣ ପର୍ବରେ ଏ ଦୁହିଁଙ୍କୁ ଦେଖିବାକୁ ମିଳିନି। ଅନ୍ୟପଟେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନେଇ ବି ଆଲୋଚନା ହେଉଛି। ଅବଶ୍ୟ ଶ୍ରୀ ସାହୁ ଏହାକୁ ଖଣ୍ଡନ କରିଛନ୍ତି।

ଆଗକୁ ସଂସଦର ମୌସୁମୀ ଅଧିବେଶନରେ ସୀମା ନିର୍ଦ୍ଧାରଣ ବିଲ୍‌ (ଡିଲିମିଟେସନ୍‌) ଆସିପାରେ। ଏହା କାର୍ଯ୍ୟକାରୀ ହେଲେ ଜିଲ୍ଲାର ରାଜନୈତିକ ଚିତ୍ର ବଦଳିଯିବ। ଲୋକସଭା ଓ ବିଧାନସଭା ଆସନରେ ବ୍ୟାପକ ପରିବର୍ତ୍ତନ ହୋଇପାରେ। ସେ ସମୟରେ ବହୁ ନେତା ଦଳବଦଳ କରିପାର'ନ୍ତି। ହେଲେ ତା' ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେଉଥିବାରୁ ଓ ତୃଣମୂଳରେ ବିଜେଡି ନିଜ ସ୍ଥିତି ସୁଧାରୁଥିବାରୁ ବଡ଼ ନେତାଙ୍କୁ ବିଜେପି ମିଶାଇବାକୁ ଯୋଜନା କରୁଥିବା କୁହାଯାଉଛି। ନିକଟରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏହାକୁ ନେଇ ମୌଖିକ ଆଲୋଚନା ହୋଇଛି। କିଛି ନେତା ଯଦିଓ ବିଜେଡି ନେତାଙ୍କ ମିଶ୍ରଣକୁ ଖୋଲାଖୋଲି ବିରୋଧ କରିଛନ୍ତି, ତଥାପି ଆଲୋଚନାକୁ ଆଗକୁ ନେବା ଲାଗି ଏକପ୍ରକାର ସବୁଜ ସଙ୍କେତ ମିଳିଛି। ଦିଲ୍ଲୀରେ ଶୀର୍ଷନେତାଙ୍କୁ ମାନସମନ୍ଥନ ଚାଲିଛି। ରଥଯାତ୍ରା ପରେ ଏ ସମ୍ପର୍କିତ କିଛି ଖବର ସାମନାକୁ ଆସିପାରେ ବୋଲି ବିଜେପି ମହଲରୁ ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in