Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩

ଭୁବନେଶ୍ୱର, ୨୫/୦୭ : ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ ହେବେ ପରବର୍ତ୍ତୀ ଡିଜିପି, ତାହାକୁ ନେଇ ରାଜ୍ୟ ଓ କେନ୍ଦ୍ରର କ୍ଷମତା କେନ୍ଦ୍ରରେ ଅଙ୍କକଷା ଚାଲିଛି। ଆସନ୍ତା ମାସ ୭ ତାରିଖରେ ନୂଆ ଡିଜିପି ନେଇ ସ୍ପଷ୍ଟ ହେବ। କିନ୍ତୁ ଏହା ପୂର୍ବରୁ ପୋଲିସ ବିଭାଗରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଥିବାବେଳେ ଭିତିରି ଲବି ମଧ୍ୟ ଆରମ୍ଭ ହୋଇଛି।

ବରିଷ୍ଠତା ଦୃଷ୍ଟିରୁ ୩ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ଏମାନଙ୍କ ମଧ୍ୟରେ ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍‌ର ଜେଲ ଡିଜି ସୁଶାନ୍ତ ନାଥ ଓ ଗୋଇନ୍ଦା ଡିଜି ଆର୍‌ପି କୋଚେ। ହେଲେ ରାଜ୍ୟ ସରକାର ନୂଆମୁହଁ ଦେଇ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାଳନ୍ତି ବୋଲି ଆଶା କରାଯାଉଛି।
ଓଡ଼ିଶାର ନୂଆ ପୋଲିସ ଡିଜି ଚୟନ ନିମନ୍ତେ ଅଗଷ୍ଟ ୭ରେ ନୂଆଦିଲ୍ଲୀରେ ୟୁପିଏସ୍‌ସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ପ୍ରଥମ ତଥା ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହେବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ ଓ ପୋଲିସ ଡିଜି ଖୁରାନିଆ ମଧ୍ୟ ସଦସ୍ୟ ଭାବେ ଯୋଗଦେବେ। ନୂଆ ପୋଲିସ ଡିଜି ନିମନ୍ତେ ରାଜ୍ୟ ସରକାର ଗତ ମେ ୧୪ରେ ୧୧ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ନାମ ନିର୍ଦ୍ଧାରିତ ଫର୍ମାଟରେ ୟୁପିଏସ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିସାରିଛନ୍ତି। ସେମାନେ ହେଲେ ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଜେଲ ଡିଜି ସୁଶାନ୍ତ ନାଥ, ଗୋଇନ୍ଦା ଡିଜି ଆର୍‌ପି କୋଚେ, ୧୯୯୪ ବ୍ୟାଚ୍‌ର ସଞ୍ଜୀବ ପଣ୍ଡା, ଯଶବନ୍ତ ଜେଠୱା, ୧୯୯୫ ବ୍ୟାଚ୍‌ର ରୀତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ୍‌ ରଣପିସେ, ସନ୍ତୋଷ ବାଲା ଏବଂ ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ଓ ସୁନୀତା କାକରନ। ତେବେ ଏମାନଙ୍କ ମଧ୍ୟରୁ ଆଇପିଏସ୍‌ ରୀତୁ ଅରୋରା, ପିଏସ୍‌ ରଣପିସେ ଓ ସୁନୀତା କାକରନ ଏବେ କେନ୍ଦ୍ରୀୟ ଡେପୁଟେଶନରେ ଅଛନ୍ତି। ୟୁପିଏସ୍‌ସି କର୍ତ୍ତୃପକ୍ଷ ବରିଷ୍ଠତା ଆଧାରରେ ୩ଜଣ ଆଇପିଏସ୍‌ ଅଧିକାରୀଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ହେଲେ କିଏ ଓଡ଼ିଶା ପୋଲିସ ଡିଜି ଚୌକିରେ ବସିବେ ତାହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
ଅଗଷ୍ଟ ୧୬ରେ ହିଁ ନୂଆ ଡିଜିପି ଦାୟିତ୍ୱ ଗ୍ରହଣ କରିବେ। ବଡ଼ କଥା ହେଲା ନୂଆ ଡିଜିପିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଚ ହେବ ରାଜ୍ୟର ଆଇନ ଶୃଙ୍ଖଳା। ପୋଲିସ ନିଯୁକ୍ତି କେଳେଙ୍କାରୀଠାରୁ ଆରମ୍ଭ କରି ବାଲିଅନ୍ତାରେ ପୋଲିସ ଉପସ୍ଥିତିରେ ଜିଆର୍‌ପି କନ୍‌ଷ୍ଟେବଲଙ୍କୁ ଲୋକେ ପିଟି ହତ୍ୟା ମାମଲା ଭଳି ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି, ରଥଯାତ୍ରା ଅଘଟଣ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଉଭୟ ଓଡ଼ିଶା ପୋଲିସ ଓ ରାଜ୍ୟ ସରକାର ବଦ୍‌ନାମ ହୋଇଛନ୍ତି। ଏଥିସହ ଗବେଷଣା ପାଇଁ ଦିଲ୍ଲୀରୁ ଆସିଥିବା ଜଣେ ଯୁବତୀଙ୍କୁ ରାୟଗଡ଼ାରେ ପିଲା ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ତାଙ୍କ ପୋଷାକ ଚିରି ମାଡ଼ ମାରିବା ଭଳି ଘଟଣା ମଧ୍ୟ ଓଡ଼ିଶା ପୋଲିସକୁ ଜାତୀୟସ୍ତରରେ ନିନ୍ଦିତ କରିଛି। ଏପରିସ୍ଥିତିରେ ୨୦୨୭ରେ ପଞ୍ଚାୟତ ନିର୍ବାଚନ ଏବଂ ମୁନିସିପାଲିଟି ନିର୍ବାଚନ ରହିଥିବାରୁ ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ନୂଆ ଡିଜିପିଙ୍କ ପାଇଁ ଆହ୍ବାନ ହେବ ବୋଲି ଆଶଙ୍କା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in