Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶା DGP ଚୟନ ମାମଲା, ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଓଡ଼ିଶା DGP ଚୟନ ମାମଲା, ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଭୁବନେଶ୍ୱର, ୦୨/୦୯ : ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନକୁ ନେଇ ସସ୍ ପେନ୍ସ ଜାରି ରହିଛି। ଆଜି ସୁପ୍ରିମକୋର୍ଟରେ ମାମଲା ଉଠିଥିବା ବେଳେ ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇ ଦିଆଯାଇଛି। ଏହାରି ମଧ୍ୟରେ ମାମଲାରେ ସୁପ୍ରିମକୋର୍ଟଙ୍କୁ ସହାୟତା କରୁଥିବା ଆମିକସ କ୍ୟୁରୀ ନିଜ ରିପୋର୍ଟ ଦାଖଲ କରିଛନ୍ତି। ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି.

ମୋହନାଙ୍କ ଖଣ୍ଡପୀଠରେ ହେଉଛି। ରାଜ୍ୟ ସରକାର DGP ପଦ ପାଇଁ ସମ୍ଭାବ୍ୟ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ବେଳେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି କି ନାହିଁ, ତାହା ଏହି ମାମଲାର ମୁଖ୍ୟ ପ୍ରସଙ୍ଗ।

ମାମଲାରେ ଆବେଦନକାରୀଙ୍କ ଅଭିଯୋଗ ହେଉଛି, DGP ଚୟନ ପାଇଁ ଯୋଗ୍ୟ ଅଧିକାରୀଙ୍କ ତାଲିକାରେ ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରାଯାଇଛି ଏବଂ ଏହା ୨୦୦୬ର ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା DGP ନିଯୁକ୍ତି ନୀତିର ଉଲ୍ଲଂଘନ। ଅନ୍ୟପଟେ ରାଜ୍ୟ ସରକାର ଏହି ଅଭିଯୋଗକୁ ବିରୋଧ କରିଆସୁଛନ୍ତି। ପୂର୍ବ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ ଯେ ରାଜ୍ୟ ନିଜର ଜବାବ ଦାଖଲ କରିସାରିଛି। ସରକାରଙ୍କ ଯୁକ୍ତି ହେଉଛି, ବରିଷ୍ଠ IPS ଅଧିକାରୀଙ୍କ ପଦୋନ୍ନତି ଏକ ସ୍ୱାଭାବିକ ପ୍ରଶାସନିକ ପ୍ରକ୍ରିୟା ଏବଂ ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ଅଧିକାରୀଙ୍କୁ ନେଇ UPSCକୁ ସାନି ପ୍ରସ୍ତାବ ପଠାଇବାର ଅଧିକାର ରାଜ୍ୟର ରହିଛି।

DGP ଚୟନ ପ୍ରକ୍ରିୟାରେ UPSC ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ତିନିଜଣଙ୍କ ନାଁ ଏମପାନେଲ କରିଥାଏ। ପ୍ରକାଶ ସିଂହ ମାମଲାର ନିର୍ଦ୍ଦେଶ ଅନୁସାରେ ସେବା ଅବଧି, ଉତ୍ତମ ସେବା ରେକର୍ଡ ଏବଂ ପୋଲିସ ବାହିନୀର ନେତୃତ୍ୱ ନେବା ପାଇଁ ଆବଶ୍ୟକ ଅଭିଜ୍ଞତାକୁ ଏଥିରେ ବିଚାରକୁ ନିଆଯାଏ। ଏବେ ଆମିକ କ୍ୟୁରୀଙ୍କ ରିପୋର୍ଟ ଦାଖଲ ହୋଇଥିବାରୁ ସେପ୍ଟେମ୍ବର ୭ର ଶୁଣାଣି ଉପରେ ନଜର ରହିବ। DGP ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ କି, ନା ଏନେଇ ସୁପ୍ରିମକୋର୍ଟ କୌଣସି ନୂଆ ନିର୍ଦ୍ଦେଶ ଦେବେ ତାହା ପରବର୍ତ୍ତୀ ଶୁଣାଣିରେ ସ୍ପଷ୍ଟ ହୋଇପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Khabar.in