Dailyhunt
ଚମକୁଛି ବାଲେଶ୍ଵର ଫକୀରମୋହନ ଗୋଲେଇ ପାର୍କ

ଚମକୁଛି ବାଲେଶ୍ଵର ଫକୀରମୋହନ ଗୋଲେଇ ପାର୍କ

OdishaLIVE 6 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସହରକୁ ପ୍ରବେଶ କରିବାର ମୁଖ୍ୟ ରାସ୍ତା ଓଟି ରୋଡ୍‌ରେ ଥିବା ଫକୀରମୋହନ ଗୋଲେଇ ହେଉଛି ସହରର ହାର୍ଟ ବା ହୃଦୟ। ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବାଲେଶ୍ୱର ପୌରସଂସ୍ଥା ପକ୍ଷରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିସହିତ ଛୋଟ ପାର୍କଟିଏ ମଧ୍ୟ କରାଯାଇଛି। ପାର୍କର ରେଲିଂ ଭିତରେ ଘାସ ଗାଲିଚା ସାଙ୍ଗକୁ ପାଣି ଫୁଆରା, ବିଭିନ୍ନ ଫୁଲ ଗଛ ମଧ୍ୟ ଲଗାଯାଇଛି।

ସହର ହେଉ ଅବା ସହର ବାହାରୁ ଆସୁଥିବା ଲୋକଙ୍କ ନଜର ପ୍ରଥମେ ସେହି ପାର୍କ ଉପରେ ପଡ଼େ।

ମାତ୍ର ରକ୍ଷଣାବେକ୍ଷଣ ଅଭାବ ଓ ଦାୟିତ୍ୱହୀନତାରୁ ତାହା ବର୍ଷ ବର୍ଷ ଧରି ବୁଲା ଗୋରୁଗାଈଙ୍କ ଚରାଭୂଇଁ ପାଲଟିଥିଲା। କେଉଁଠି ଅନାବାନା ଗଛ ଉଠିଥିଲା ତ ପୁଣି କେଉଁଠି ପାଣି ଅଭାବରୁ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଗଛ ମରି ଶୁଖିଯାଇଥିଲା। ଏ ସମ୍ପର୍କରେ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା।

ଗତ ଅଗଷ୍ଟ ୧୫ ତାରିଖ ପରଠୁ ଫକୀରମୋହନ ଗୋଲେଇ ପାର୍କର ନବ କଳେବର ହୋଇଛି। ପାର୍କ ଭିତରର ପରିବେଶ ସଫା କରାଯିବା ସହ ଲାଗିଛି କିଛି ନୂଆ କିଛି ଫୁଲଗଛ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସହରର ଶିଳ୍ପାନୁଷ୍ଠାନ ଇମାମି ପେପର୍ ମିଲସ୍‌ ନେଇଛି। ଇମାମି ପେପର ମିଲସ୍‌ ପକ୍ଷରୁ ପାର୍କର ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ଭାବେ ଜଣକୁ ନିଯୁକ୍ତି ଦିଆଯାଇଛି, ଯିଏ ପ୍ରତିଦିନ ପାର୍କର ଦେଖାଶୁଣା କରୁଛନ୍ତି।

"ପାର୍କର ରକ୍ଷଣାବେକ୍ଷଣ ପାଇଁ ୭ ହଜାର ଟଙ୍କା ଖର୍ଚ୍ଚ ଦେଉଛନ୍ତି। ଆଗାମୀ ଦିନରେ ପାର୍କରେ ନୂଆ ଘାସ ବି ଲାଗିବ। ଗଛର ରକ୍ଷଣାବେକ୍ଷଣ ପାଇଁ ଜଣେ ମାଳି ସବୁଦିନ ପାର୍କକୁ ଯାଉଛି। ହେଲେ କିଛି ଲୋକ ରେଲିଂ ଡେଇଁ ଗଛ ଉପାଡ଼ି ନେଉଛନ୍ତି। ଆଗାମୀ ଦିନରେ ଏହି ପାର୍କ ସହରର ମୁଖ୍ୟ ଆକର୍ଷଣ ପାଲଟିବ" ପାର୍କ ଦାୟିତ୍ୱରେ ଥିବା ସୁଶାନ୍ତ ପଣ୍ଡା କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live