Saturday, 28 Mar, 4.58 pm OdishaLIVE

ହୋମ୍
ରୋଜଗାର ପାଇଁ ଆସିଥିଲେ, ଏବେ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରୁଛନ୍ତି ଲୋକେ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ପରେ ପ୍ରତିଦିନ ଶହଶହ ଲୋକଙ୍କୁ ରାମପୁର ରାଜପଥରୁ ବରେଲି ଆଡ଼କୁ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। କାହାର ବୟସ ପ୍ରାୟ ୨୮ ତ କାହାର ୩୫। ହାତରେ ଗୋଟିଏ ବା ଦୁଇଟି ସୁଟ୍‌କେସ୍‌ ଓ ବ୍ୟାଗ୍‌ ଧରି ସେମାନେ ଚାଲିଛନ୍ତି। ସେମାନଙ୍କୁ ଯଦି ପଚରାଯାଏ କୁଆଡ଼େ ଯାଉଛ? ସେମାନଙ୍କର ଉତ୍ତର ଆସିବ ଆଜ୍ଞା ଘରକୁ। ଯଦି ପୁଣି ପଚରାଯାଏ ଲକ୍‌ଡାଉନ୍‌ ସମୟରେ ବାହାରକୁ ବହାରୁଛ କେମିତି? ତେବେ ସେମାନଙ୍କ ଉତ୍ତର ରହିବ ଏଠି ରହିଲେ ବଞ୍ଚିବୁ କେମିତି।

ବରେଲି ଅଭିମୁଖେ ଯାଉଥିବା ଜଣେ ବ୍ୟକ୍ତି କହିଛନ୍ତି, ''ମୁଁ ଦିଲ୍ଲୀର ଏକ ପ୍ରାଇଭେଟ୍‌ କମ୍ପାନିରେ କାମ କରୁଥିଲି। ହେଲେ ଲକ୍‌ଡାଉନ୍‌ ଯୋଗୁଁ ଅଫିସ୍‌ ବନ୍ଦ। ଜମା ଥିବା ପୁଞ୍ଜିରେ କେତେ ଦିନ ବା ବଞ୍ଚିବୁ? ଏବେ ଗାଁକୁ ଯିବୁ ବୋଲି ବାହାରିଛୁ। ହେଲେ କିଏ ବା ଜାଣିଥିଲା ଗାଁକୁ ଯିବା ନିଷ୍ପତ୍ତିଟା ଏଭରେଷ୍ଟ ଚଢ଼ିବା ସଙ୍ଗେ ସମାନ ହେବ ବୋଲି।''

ସେ କହନ୍ତି, "ଟ୍ରେନ୍-ବସ୍ ସବୁ ବନ୍ଦ ଅଛି। ଭାବିଲୁ କିଛି ବାଟ ଆଗକୁ ଗଲେ କିଛି ଗାଡ଼ି ମିଳିଯିବ। ହେଲେ ମିଳିଲା ନାହିଁ। ପୁଣି କିଛି ବାଟ ଆଗକୁ ଗଲୁ ତଥାପି ଗାଡ଼ି ମିଳିଲାନି। ଏବେ ଭାବୁଛୁ ପ୍ରାଣ ଥିବା ଯାଏଁ ଯେତିକି ବାଟ ଯାଇପାରିବୁ ପଳାଇବୁ। ତା' ପରେ ଯାହା ହେବ.।''

ଦିନେ ପେଟ ପୋଷିବା ପାଇଁ ସହରକୁ ଆସୁଥିବା ଲୋକ, ଏବେ ଖୋଜୁଛନ୍ତି ଗାଁ ମାଟିର ସାହାରା।

ତାଙ୍କୁ ପଚରାଗଲା ତମେ କାହିଁକି ପ୍ରଶାସନ ବା ପୋଲିସର ସାହଯ୍ୟ ନେଲନି? ଏହି ପ୍ରଶ୍ନରେ ସେମାନଙ୍କ ଉତ୍ତର ଥିଲା, ''ଆମ ଭାଗ୍ୟ ଭଲ ଯେ, ୨୦୦ କିଲୋମିଟର ଆସିଗଲୁ କିନ୍ତୁ ପୋଲିସର ଲାଠି ଖାଇ ନାହୁଁ। ଆମ ସହ ଆସୁଥିବା କେତେ ଲୋକ ଠେଙ୍ଗା ମାଡ଼ ଖାଇଛନ୍ତି। ଏବେ ଭାବନ୍ତୁ ସାହାଯ୍ୟ ମାଗିବା ଠିକ୍‌ ନା ଭୁଲ।''

ଆଉ ଜଣେ ବ୍ୟକ୍ତି କହିଛନ୍ତି, ''ରୋଜଗାର ପାଇଁ ଆସିଥିଲୁ, ଏବେ ଜୀବନ ବଞ୍ଚାଇବା ପାଇଁ ଘରକୁ ଯାଉଛି। ଜୀବନ ଥିଲେ ତ ରୋଜଗାର କରିବୁ।''

ତେବେ ଜନତା କର୍ଫ୍ୟୁ ଲାଗୁ ହେବା ଦିନଠାରୁ ଏହି ଧାରା ଜାରି ରହିଛି। ବିଭିନ୍ନ ପ୍ରତିଷ୍ଠାନ, କମ୍ପାନି ବନ୍ଦ ହେବା ଯୋଗୁଁ ନିର୍ମାଣ କ୍ଷେତ୍ରରେ ନିୟୋଜିତ ବହୁ ସଂଖ୍ୟକ ଶ୍ରମିକ ନିଜ ଘରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଦିଲ୍ଲୀର ଶହ ଶହ ଲୋକଙ୍କ ଗୋଷ୍ଠୀ ବରେଲି, ରାମପୁର, ମୋରଦାବାଦ ଏବଂ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Live
Top