Sunday, 19 Jan, 9.42 pm OdishaLIVE

ହୋମ୍
ସୋମବାରଠୁ 'କୃଷି ଓଡ଼ିଶା-୨୦୨୦': ଭୁବନେଶ୍ୱରରେ ପାଞ୍ଚ ଦିନ ଧରି ଚାଲିବ କୃଷି ମହାକୁମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ୱର ଜନତା ମଇଦାନରେ ଚାଲିବ 'କୃଷି ଓଡ଼ିଶା'
  • ମେଗା କୃଷି ପ୍ରଦର୍ଶନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ଜାନୁଆରି ୨୦ରୁ ୨୪ ଯାଏଁ ଚାଲିବ ଏହି କୃଷି ମହାକୁମ୍ଭ
  • କୃଷି ଓଡ଼ିଶାର ଥିମ୍‌ - 'ଲାଭଜନକ କୃଷି ପାଇଁ ପ୍ରୟାସ'
  • ୨୨୮ ଷ୍ଟଲ, ୧୧୨ କୃଷି ଉତ୍ପାଦ କମ୍ପାନି
  • ମଝି ତିନି ଦିନ ସ୍ୱତନ୍ତ୍ର ଫୋକସ୍‌

ଲାଭଜନକ କୃଷି ପାଇଁ ପ୍ରୟାସ - ଏହି ଥିମ୍‌କୁ ଆଧାର କରି ସୋମବାରଠାରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି 'କୃଷି ଓଡ଼ିଶା-୨୦୨୦'। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜନ କରାଯାଉଥିବା ଏହି ମେଗା କୃଷି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।

''ଓଡ଼ିଶାରେ କୃଷି କ୍ଷେତ୍ରର ବିକାଶ ସହ କୃଷକର ଆୟ କିଭଳି ବଢ଼ି ପାରିବ ସେ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ପାରମ୍ପରିକ ଧାରାକୁ ଛାଡ଼ି ଆଜିର ଚାଷୀ କିଭଳି ଲାଭଜନକ ଚାଷ କରିପାରିବ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। କୃଷି ନୀତି, ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ, ଚାଷୀକୁ ୠଣ ଏବଂ କୃଷି ଉପରେ ଆଧାରିତ ଶିଳ୍ପର ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ଆଗଧାଡ଼ିରେ ରହିଛି'', କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

''ଓଡ଼ିଶାର କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରିବାର ଲକ୍ଷ୍ୟ ନେଇ ଆୟୋଜନ କରାଯାଉଛି 'କୃଷି ଓଡ଼ିଶା'। ଏ ବର୍ଷର ଥିମ୍‌ ରହିଛି - ଲାଭଜନକ କୃଷି ପାଇଁ ପ୍ରୟାସ। ଓଡ଼ିଶାର ଚାଷୀ କିପରି ଲାଭଜନକ ଚାଷ କରିପାରିବେ ଏହା ହେଉଛି ଆମର ମୂଳ ଲକ୍ଷ୍ୟ'', କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

ସେ ଆହୁରି କହିଛନ୍ତି, ''ଏଥର 'କୃଷି ଓଡ଼ିଶା' କୁ ଦେଶ ବିଦେଶର ନାମୀ କୃଷି ଉତ୍ପାଦ କମ୍ପାନିଙ୍କୁ ଆମନ୍ତ୍ରିତ କରାଯାଇଛି। ଓଡ଼ିଶାର ଚାଷୀମାନେ ଯେଉଁ ଉତ୍ପାଦ କରୁଛନ୍ତି ତାର କିପରି ବଜାର ସଂଯୋଗୀକରଣ ହୋଇପାରିବ ଏବଂ ଏହା କିପରି ମୂଲ୍ୟଯୁକ୍ତ ହେବ ତାହା ଆମର ମୁଖ୍ୟ ଲକ୍ଷ୍ୟ ରହିଛି।''

ପାଞ୍ଚ ଦିନ ଧରି ଏହି କୃଷି ମହାକୁମ୍ଭ ଚାଲିବ। ଜାନୁଆରି ୨୪ରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏଥର 'କୃଷି ଓଡ଼ିଶା'ରେ ୨୨୮ଟି ଷ୍ଟଲ ରହିବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନି ଭାଗ ନେବେ। ଏହି ଷ୍ଟଲଗୁଡ଼ିକରେ କୃଷି ଓ କୃଷକଙ୍କ ସଶକ୍ତିକରଣର ଚିତ୍ର ଦେଖିବାକୁ ମିଳିବ।

''ଚାଷ କ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ଆମ ଚାଷୀଙ୍କୁ ଜଣାଇବା ପାଇଁ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପଦକ୍ଷେପ ନିଆଯାଇଛି। ଏହାସହ ଲାଭଜନକ ଚାଷ କେମିତି ହୋଇପାରିବ ସେଥିପାଇଁ କୃଷି ବିଶେଷଜ୍ଞମାନଙ୍କୁ ଆମନ୍ତ୍ରିତ କରାଯାଇଛି। ସେମାନଙ୍କ ସହ ଚାଷୀମାନେ ସିଧାସଳଖ ଆଲୋଚନା କରିପାରିବେ'', କହିଛନ୍ତି ଡକ୍ଟର ସୌରଭ ଗର୍ଗ।

କୃଷି କ୍ଷେତ୍ରରେ ସଫଳତା ପାଇଁ ଆମେ ୫ ଥର କୃଷିକର୍ମଣ ପୁରସ୍କାର ପାଇଛୁ ଏବଂ ଚଳିତ ବର୍ଷ କମେଣ୍ଡସନ ପୁରସ୍କାର ପାଇଛୁ। ଏହା ହେଉଛି ଆମ ଚାଷୀମାନଙ୍କର ଗୌରବ। ଏହାସହ ଓଡ଼ିଶାରୁ ଉତ୍ପାଦ ହେଉଥିବା ତୈଳ ଜାତୀୟ, ରାଗି, କପା ଆଦିର ବଜାର ସଂଯୋଗୀକରଣ ପାଇଁ 'କୃଷି ଓଡ଼ିଶା' ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କୃଷୀ ଉଦ୍ୟୋଗ ଯୋଜନାରେ କୃଷି ଉଦ୍ୟୋଗୀମାନଙ୍କୁ ବିଶେଷ ସହାୟତା ଦିଆଯାଉଛି। ଗ୍ରାମାଞ୍ଚଳର ଯୁବକମାନେ କିପରି ଚାଷ ପ୍ରତି ଆକର୍ଷିତ ହେବେ ସେଥିପ୍ରତି ଧ୍ୟାନ ରଖା ଯାଇଛି ବୋଲି କହିଛନ୍ତି ଡକ୍ଟର ସୌରଭ ଗର୍ଗ।

କୃଷିକ୍ଷେତ୍ର ଉପଯୋଗୀ ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଆୟୋଜନ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

'କୃଷି ଓଡ଼ିଶା'ରେ ଆକର୍ଷଣୀୟ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। ଏହି ମଣ୍ଡପରେ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧିତ କ୍ଷେତ୍ରର ପ୍ରଗତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। କୃଷି ବିଜ୍ଞାନୀ, କୃଷି ଛାତ୍ର ଓ କୃଷକମାନଙ୍କ ମଧ୍ୟରେ ଭାବ ଆଦାନ ପ୍ରଦାନ କରାଯିବ।

'କୃଷି ଓଡ଼ିଶା' କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଫଳ ଚାଷୀ, ଯୁବ କୃଷି ଉଦ୍ୟୋଗୀ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିବା ଅଗ୍ରଣୀ ଚାଷୀମାନେ ଯୋଗଦେବେ।

'କୃଷି ଓଡିଶା' ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ଓ ଉତ୍ପାଦକ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।

କୃଷି ଓଡ଼ିଶା-୨୦୨୦ର ମଝି ତିନି ଦିନର କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ସ୍ୱତନ୍ତ୍ର ଫୋକସ୍‌ ସ୍ଥିର କରାଯାଇଛି। ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨କୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ଋଣ ଯୋଗାଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ 'କୃଷି ଓଡ଼ିଶା' ଅବସରରେ ୨୨ ତାରିଖରେ ରାଜ୍ୟର ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ସମବାୟ ବ୍ୟାଙ୍କର ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ୫୦୦ ବ୍ୟାଙ୍କ ଅଧିକାରୀମାନେ ଯୋଗଦେବେ।

କୃଷି କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ଭାବେ ଆଗକୁ ଯାଉଛି ତାର ସଫଳତାକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଏବଂ କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ 'କୃଷି ଓଡିଶା' ଆୟୋଜନ କରାଯାଉଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Live
Top