Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଡିଏର ୪୪ତମ ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବାର ଲକ୍ଷ୍ୟ

ବିଡିଏର ୪୪ତମ ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବାର ଲକ୍ଷ୍ୟ

Odisha News Lens 2 days ago

ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ପ୍ରକଳ୍ପ ପୁସ୍ତିକା ଉନ୍ମୋଚନ

୦୧ ସେପ୍ଟେମ୍ବର, ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୪ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଏବଂ ବିଡିଏ ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିଡିଏର ପ୍ରତ୍ୟାଶିତ ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ବିବରଣୀ ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ।

ରାଜଧାନୀବାସୀଙ୍କୁ ଏହି ପ୍ରକଳ୍ପ ସମସ୍ତ ସୁବିଧା ସହିତ ଏକ ଆଧୁନିକ ଓ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବ ବୋଲି ସେ କହିଥିଲେ। ଓଡ଼ିଶାକୁ ଶ୍ରେଷ୍ଠ କରିବାକୁ ହେଲେ ପ୍ରଥମେ ଭୁବନେଶ୍ୱରକୁ ବିକଶିତ କରିବାକୁ ହେବ ବୋଲି ମଧ୍ୟ ସେ କହିଥିଲେ।

ମନ୍ତ୍ରୀ କହିଛନ୍ତି ଯେ, ବିଡିଏ କେବଳ ଘର ତିଆରି କରୁନାହିଁ; ଲୋକଙ୍କ ଆବଶ୍ୟକତା ଦେଖି କାମ କରୁଛି। ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ସହରର ଅଭିବୃଦ୍ଧି, ଲୋକଙ୍କ ସ୍ୱପ୍ନର ଘର ଓ ସବୁଜିମା ସଂରକ୍ଷଣ ସହିତ ସିୱେରେଜ୍ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରଶାସନ ଓ ସାଧାରଣ ଲୋକଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ। ଟି.ପି. ସ୍କିମ୍‌କୁ ସେ ଲୋକଙ୍କ ଆଶାର ମେରୁଦଣ୍ଡ ବୋଲି କହିଛନ୍ତି। ଏଥିରେ ସାଧାରଣ ଲୋକଙ୍କୁ ସବୁ ସୁବିଧା ମିଳିବ। ଜମିର ମୂଲ୍ୟ ବଢ଼ିବ ଓ ଲୋକେ ଲାଭ ପାଇବେ। ସ୍ୱଚ୍ଛତା ରଖି ବସ୍ତିବାସୀଙ୍କୁ ସୁବିଧାଯୁକ୍ତ ଘର ଦିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନନୀୟ ଅତିଥି ଭାବେ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟ ପ୍ରକଳ୍ପକୁ ପ୍ରାଥମିକତା ଦେବାକୁ କହିଥିଲେ। ରାଜ୍ୟର ବିକାଶରେ ବିଡିଏ ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ହେବ ବୋଲି ସେ କହିଥିଲେ। ସେହିଭଳି ଦୟା କେନାଲ ଓ ଗଙ୍ଗୁଆ ନାଳ ପୁନରୁଦ୍ଧାର ପାଇଁ ଗୁରୁତ୍ୱାରୋପ କରିବା ବେଳେ ଜଟଣୀ ମ୍ୟୁନିସିପାଲିଟି ଚେୟାରମ୍ୟାନ ଶ୍ରୀ ଅନନ୍ତ ବେହେରା ଜଟଣୀରେ ବାଚ୍ଛରା ହିଲଟପ ପାର୍କ ବିକାଶରେ ବିଡିଏର ଭୂମିକା ଉପରେ କହିଥିଲେ ଏବଂ ଆଲୋକିକରଣ ଓ ଖେଳପଡ଼ିଆ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଡିଏର ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଘରର ମୂଲ୍ୟ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଓ କ୍ରୟ କ୍ଷମତାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରଣ କରାଯାଇଛି। ଏହା ରାଜଧାନୀର ଅନେକ ପରିବାର ପାଇଁ ନିଜସ୍ୱ ଘରର ସ୍ୱପ୍ନ ସାକାର କରିବାରେ ସହାୟକ ହେବ। ୭.୩୬ ଏକର ଜାଗାରେ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ନିର୍ମିତ ହୋଇଛି। ଏଠାରେ ତିନୋଟି ଟାୱାର (ବି+ଜି+୧୨ ମହଲା)ରେ ୪୧୬ଟି ଦୁଇ ଶୟନକକ୍ଷ ବିଶିଷ୍ଟ ଗୃହ (୨ ବିଏଚ୍‌କେ) ଓ ୨୮୮ଟି ତିନି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ୍ (୩ ବିଏଚ୍‌କେ) ରହିଛି। ଏହାକୁ ବିଶ୍ୱସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ଓ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଯେଉଁଥିରେ ଭୂମିକମ୍ପ-ପ୍ରତିରୋଧୀ ବ୍ୟବସ୍ଥା, କମ୍ୟୁନିଟି ହଲ୍, ସୁଇମିଂ ପୁଲ୍, ୱାକିଂ ଟ୍ରାକ୍, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟ୍‌ନେସ୍ ସେଣ୍ଟର, ସିୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୱାଟର ରିଚାର୍ଜ ବ୍ୟବସ୍ଥା, ପାୱାର ବ୍ୟାକ୍‌ଅପ୍, ସିସିଟିଭି ନିରୀକ୍ଷଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ସହାୟକ ଭିତ୍ତିଭୂମିର ବ୍ୟବସ୍ଥା ରହିଛି ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର କେବଳ ରାଜଧାନୀ ନୁହେଁ, ଏହା ରାଜ୍ୟର ମୁଖ ଓ ଭବିଷ୍ୟତ। ଆଗାମୀ ଦିନରେ ଯେଉଁ ୨୦ ବର୍ଷିଆ ବିକାଶ ନକ୍ସା ପ୍ରସ୍ତୁତ ହେଉଛି, ତାହା ଯୋଜନାବଦ୍ଧ ସହରୀକରଣ, ସଡ଼କ, ନିଷ୍କାସନ, ସୁଲଭ ଆବାସ, ପାର୍କ, ଖେଳପଡ଼ିଆ ଓ ସାମାଜିକ ଭିତ୍ତିଭୂମିକୁ ଏକ ସୂତ୍ରରେ ବାନ୍ଧିବ ବୋଲି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଥିଲେ। ସେ କହିଛନ୍ତି, ''୪୪ ବର୍ଷର ଅଭିଜ୍ଞତା ଆମକୁ ଶିଖାଇଛି ଯେ କେବଳ ଯୋଜନା ଯଥେଷ୍ଟ ନୁହେଁ। ସଠିକ୍ କାର୍ଯ୍ୟାନୁଷ୍ଠାନ, ଜବାବଦିହିତା ଓ ନାଗରିକଙ୍କ ସହଯୋଗ ହିଁ ରାଜଧାନୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିପାରିବ। ଆଗାମୀ ୨୦ ବର୍ଷର ନକ୍ସା ସେହି ଲକ୍ଷ୍ୟକୁ ଆଧାର କରି ପ୍ରସ୍ତୁତ ହେଉଛି।''

ଏହି ଅବସରରେ ବିଡିଏ ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ ହୋଇଥିଲା। ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଅତିରିକ୍ତ ଆୟୁକ୍ତ ସ୍ନିଗ୍ଧା ରାଣୀ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଡିଏର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens