ଭୁବନେଶ୍ବର, (୦୩/୦୮) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଟ୍ରପ୍ ଲାଇନ ଓଡ଼ିଶା ଉପରେ ସକ୍ରିୟ ରହିବା ହେତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ରବିବାର ଅପରାହ୍ଣରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଉ କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ବୁଲେଟିନ୍ ସୂଚନାନୁଯାୟୀ, ଚାନ୍ଦବାଲି, ପାରାଦ୍ବୀପ, ଭୁବନେଶ୍ବର, ପୁରୀ, ବାରିପଦା, ସୁନ୍ଦରଗଡ଼, ନୟାଗଡ଼, ରାୟଗଡ଼ା, ଯାଜପୁର, ଢେଙ୍କାନାଳ, ଖୋରଧା ଏବଂ ଢେଙ୍କାନାଳରେ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

