କେନ୍ଦୁଝର, (୧୦/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ ହୀରାମଣି ନାଏକଙ୍କର ଏକ୍ସପାରି ମେଡିସିନ୍ ଖାଇବାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି ।
ସିଂପୁର ଏଏନଏମ ସେଣ୍ଟରର ଏକ୍ସପାରି ମେଡିସିନ୍ ଖାଇ ମୃତ୍ୟୁ ଅଭିଯୋଗ କରିଛନ୍ତି ପରିବାରର ଲୋକ । ଗତ ଗୁରୁବାର ସନ୍ଧ୍ୟାରେ ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ ବର୍ଷୀୟ ଝିଅ ହୀରାମଣୀ ନାଏକ ଓ ୧୩ ବର୍ଷୀୟ ପୁଅ ଗଗନ ନାଏକଙ୍କୁ ଜ୍ବର ହୋଇଥିଲା। ଆଶାକର୍ମୀ ଶ୍ରୀଦେବୀ ସିଂପୁର ଏଏନଏମ କେନ୍ଦ୍ରରୁ ଔଷଧ ଆଣି ଉଭୟଙ୍କୁ ଦେଇଥିଲେ । ଏହି ମେଡିସିନ୍ର ୨ଟା ଡୋଜ୍ ଉଭୟଙ୍କୁ ଦେବାପରେ ସେମାନେ ଗୁରୁତର ହୋଇ ପଡ଼ିଥିଲେ । ଏହି ଔଷଧ ଏଏନଏମ କେନ୍ଦ୍ରରୁ ଏଏନଏମ ଗୌରିମଣି ମହାନ୍ତ ଆଶା ଶ୍ରୀଦେବୀ ନାଏକଙ୍କୁ ଦେଇଥିଲେ । .
ଏହାପରେ ଗୁରୁତର ପୁଅ ଓ ଝିଅଙ୍କୁ ପ୍ରଥମେ ବାଂଶପାଳ ଓ ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା ।
ମୃତ କନ୍ୟାର ପିତା ଚରଣ ନାଏକ କହିଛନ୍ତି ଯେ, ତାଙ୍କ ଝିଅ ମେଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥିଲା । ଯାହା ଏଏନଏମ ଦିଦି ପରୀକ୍ଷା କରି ଜାଣି ସୁଦ୍ଧା ଏକ୍ସପାରି ଔଷଧ ଦେବାରୁ ଝିଅର ମୃତ୍ୟୁ ଘଟିଛି । ଏଏନଏମ ଦିଦି ଦେଇଥିବା ମେଡ଼ିସିନ୍ ୨୦୨୬ମସିହା ଫେବୃଆରୀ ମାସରୁ ଏକ୍ସପାରି ହୋଇଛି ବୋଲି ପିତା ଚରଣ କହିଛନ୍ତି । ଅନ୍ୟପଟେ ଗୁରୁତର ଝିଅ ଓ ପୁଅଙ୍କୁ ତୁରନ୍ତ ମେଡ଼ିକାଲ ନେବା ପାଇଁ ୧୦୮କୁ ଫୋନ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ଆସି ନ ଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଆଦେଶ ଦେଇଥିବା କହିଛନ୍ତି ।

