Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ODISHA NEWS 3 months ago

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି ।  

ବନ୍ୟା ଓ ଲଗାଣ ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ବନ୍ୟା ଋତୁ ସମୟରେ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ଉପରେ କଟକଣା ଲାଗିଥିବା ବେଳେ, ପୂର୍ବ ଅନୁମତି ବିନା କେହି ମଧ୍ୟ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ବନ୍ୟା ପରିଚାଳନା, ନଦୀବନ୍ଧ ସୁରକ୍ଷା, ଜଳାଶୟ ଗେଟ୍ ପରିଚାଳନା ଏବଂ ଜରୁରୀକାଳୀନ ସେବାକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ବିଭାଗ ସ୍ପଷ୍ଟ କରିଛି ଯେ, ବନ୍ୟା, ନଦୀବନ୍ଧରେ ଘାଇ ସୃଷ୍ଟି, ଜଳାଶୟରୁ ଜଳ ନିଷ୍କାସନ କିମ୍ବା ଅନ୍ୟ କୌଣସି ଆପାତକାଳୀନ ପରିସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀମାନେ ସର୍ବଦା ପ୍ରସ୍ତୁତ ରହିବେ ।

ଏଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ, ରାଜସ୍ୱ ବିଭାଗ, ପଞ୍ଚାୟତିରାଜ ସଂସ୍ଥା ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ଜୁନ୍ ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଡିଭିଜନ, ସର୍କଲ, ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ଓ ରାଜୀବ ଭବନରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ । ଏହି କଣ୍ଟ୍ରୋଲ ରୁମ୍‌ରେ ନିୟୋଜିତ କର୍ମଚାରୀଙ୍କୁ ଚବିଶ ଘଣ୍ଟା ସଜାଗ ରହିବାକୁ କୁହାଯାଇଛି ।

ବିଶେଷକରି ଗତ ତିନି ବର୍ଷ ଧରି ଯେଉଁ ସ୍ଥାନଗୁଡ଼ିକରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିଲା, ସେଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ଜଳାଶୟ ଗେଟ୍ ପରିଚାଳନାର ଏସଓପିକୁ କଡ଼ାକଡ଼ି ପାଳନ କରିବା ସହ ବନ୍ୟା ପରିଚାଳନାରେ କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗ ଚେତାବନୀ ଦେଇଛି । ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାକୁ ଆଉ କିଛି ଦିନ ବାକି ଥିବା ବେଳେ, ଜଳସମ୍ପଦ ବିଭାଗର ଏହି ଆଗୁଆ ପ୍ରସ୍ତୁତି ଆସନ୍ତା ବନ୍ୟା ଋତୁକୁ ମୁକାବିଲା କରିବାରେ କେତେ ସଫଳ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।  

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS