Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖଟରେ ୩ କିଲୋମିଟର ବୁହାହେଲେ ରୋଗୀ

ଖଟରେ ୩ କିଲୋମିଟର ବୁହାହେଲେ ରୋଗୀ

ODISHA NEWS 7 hrs ago

ହରଭଙ୍ଗା, (୧୦/୧୧) : ଆପ୍ର : ସ୍ୱାଧିନତାର ବହୁ ବର୍ଷ ବିତିଯାଇଛି । ଏବେ ବି ଅନେକ ଦୁର୍ଗମ ଗାଁ'କୁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଭଳି ମୌଳିକ ସୁବିଧା ଅପହଂଚ ହୋଇ ରହିଛି । 

ଯେଉଁଠି ଲୋକେ ବର୍ଷ ବର୍ଷ ଧରି ରାସ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ଦୁର୍ଗମ ଗାଁକୁ ରାସ୍ତା ନଥିବାରୁ ଶେଷରେ ଜଣେ ରୋଗୀକୁ ଖଟରେ ବୁହାଗଲା ଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜଙ୍ଗଲ, ପାହାଡ ଘାଟି ରାସ୍ତାରେ ତିନି କିଲୋମିଟର ଖଟରେ ରୋଗୀ ଜଣଙ୍କୁ ବୁହାହେଲା ପରେ ମୁଖ୍ୟରାସ୍ତା କୁଚୁଡାରେ ପଂହଚିଥିଲା । ଏହାପରେ ରୋଗୀଙ୍କୁ ମେଡିକାଲ ନିଆଗଲା । ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଡେଣିଗଡ଼ ପଞ୍ଚାୟତର ଦୁର୍ଗମ ଆଦିବାସୀ ବହୁଳ ଗାଁ ସବେରୀରେ ।

ସୂଚନା ଅନୁସାରେ ସବେରୀ ଗ୍ରାମର କାଶିନାଥ ଦେହୁରୀଙ୍କ ପନ୍ତ୍ରୀ ଭଗବତୀ ଦେହୁରୀ(୬୦)ଙ୍କୁ ଗତ ରବିବାର ରାତିରୁ ଜ୍ୱର,ଝାଡା,ବାନ୍ତିରେ ଆକ୍ରାନ୍ତ ଥିଲେ । ଭଗବତୀଙ୍କ ଅବସ୍ଥା ଗୁରୁତର ହେବାରୁ ଗ୍ରାମର ଭଗବାନ ଦେହୁରୀ ଏବଂ ବିମଳ ଦହୁରୀ ଖଟରେ ବୋହି ବୋହି ୩ କିଲୋମିଟର ଘାଟି ପାହାଡ ରାସ୍ତାରେ ଚାଲି ଚାଲି ପାହାଡ ତଳକୁ ଆଣିଥିଲେ । ମାଧପୁର-ଖକ୍ସୁରୀପଡା ମୁଖ୍ୟ ରାସ୍ତାର କୁଚୁଡାକୁ ରୋଗୀଙ୍କୁ ବୋହି ବୋହି ଆଣିବା ପରେ ସେଠାରୁ ମଧ୍ୟାହ୍ନ ପାଖାପାଖି ୧୨ଟା ସମୟରେ ଏକ ଅଟୋ ଯୋଗେ କନ୍ଧମାଳ ଜିଲ୍ଲା ଖଜୁରୀପଡା ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି। ପିଢି ପରେ ପିଢି ବର୍ଷ ପରେ ବର୍ଷ ବିତିଯାଇଛି ମାତ୍ର ଆଜି ବି ହରଭଙ୍ଗା ବ୍ଲକର ଆଡେଣିଗଡ଼ ପଞ୍ଚାୟତର ୧୨ ନମ୍ବର ୱାର୍ଡ ଅର୍ନ୍ତଗତ ସବେରୀ, ଆଡାପାଜୁ, ବାଲେଜୁ, ମାଣ୍ଡାଲି, ର-ସାହି ଏବଂ ଛତ୍ରପଡା ଭଳି ଛଅଗୋଟି ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳକୁ ରାସ୍ତା ଭଳି ସର୍ବନିମ୍ନ ମୌଳିକ ସୁବିଧା ଅପହଂଚ ହୋଇ ରହିଛି । 

ପ୍ରକାଶ ଯେ ଗତ ୧୬ ଫେବୃଆରୀ ୨୦୨୫ରେ ବୌଦ୍ଧ ଜିଲ୍ଲାପ୍ରଶାସନର ଗାଁକୁ ଚାଲ ଅଭିଯାନରେ ତତ୍କାଳୀନ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ପ୍ରଶାସନିକ ଟିମ ପାହାଡିଆ ଦୁର୍ଗମ ରାସ୍ତାରେ ପାଖାପାଖି ୪ କିଲୋମିଟର ଚାଲି ଚାଲି ୮ଶହ ଫୁଟ ଉଚ୍ଚରେ ଥିବା ଦୁର୍ଗମ ଗାଁ ସବେରୀରେ ପଂହଚି ଲୋକଙ୍କ ସମସ୍ୟା ବୁଝିଥିଲେ। ରାସ୍ତା, ପାନୀୟଜଳ, ବିଦ୍ୟୁତ୍‌, ଶିକ୍ଷା ଭଳି ସର୍ବନିମ୍ନ ମୌଳିକ ସୁବିଧାରୁ ଆଦିମ ଅଧିବାସୀ ବଂଚିତ ଥିବା ଜିଲ୍ଲାପାଳ ଜାଣିବାକୁ ପାଇଥିଲେ। ଗାଁରେ ପୋଖରୀ କି କୌଣସି ପ୍ରାକୃତିକ ଜଳ ଉତ୍ସ ନଥିବାରୁ ମଣିଷ /ପଶୁ ଗୋଟିଏ କୂଅରୁ ଶୋଷ ମେଣ୍ଟାଉଥିବା କଥା ଗାଁ ଲୋକଙ୍କ ପାଖରୁ ଶୁଣି ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଗାଁ'ରେ ତିନି ଗୋଟି କୂଅ ଖନନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ପରେ ମନରେଗା ଯୋଜନାରୁ ପଞ୍ଚାୟତ ଏବଂ ବ୍ଲକ ପକ୍ଷରୁ ୧୩ ଲକ୍ଷ ୭୦ହଜାର ଟଙ୍କାର ରାସ୍ତା କାମ କରାଯାଇଥିଲା ।  

ଗାଁକୁ ସ୍ଥାୟୀ ରାସ୍ତା ଖଣ୍ଡିଏ ମଧ୍ୟ ନିର୍ମାଣ ହୋଇ ପାରିଲାନାହିଁ । ଲୋକଙ୍କ ପିଇବା ଏବଂ ଗାଧୋଇବା ପାଇଁ ଗାଁରେ କୂଅ,ନଳକୂପ ଏବଂ ପୋଖରୀଟିଏ ନିର୍ମାଣ ହୋଇପାରିନାହିଁ । ଏପରିକି ଆଜି ବି ଛଅଗୋଟି ଗାଁ ଲୋକଙ୍କ ପାଇଁ ବିଜୁଳି ଆଲୁଅ ସାତସପନ ରହିଛି । ସଞ୍ଜ ନଇଁଲେ ଲୋକେ ଡିବିରି ଆଲୁଅ ଭରସାରେ ଜୀବନ କାଟୁଛନ୍ତି । ଗାଁଲୋକଙ୍କ ସମସ୍ୟା ଦୂରପାଇଁ ସବେରୀ ଗାଁକୁ ଏକ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ ପାଇଁ ପଙ୍କଜ ମଲ୍ଲିକ, ଅର୍ଜ୍ଜୁନ ମଲ୍ଲିକ, କୃଷ୍ଣଚନ୍ଦ୍ର କହଁର, ସୁବତ୍ର ମଲ୍ଲିକ, ପ୍ରକାଶ ମଲ୍ଲିକ, ସୁଚିତ ମଲ୍ଲିକ, ଲବ ମଲ୍ଲିକ ଚୈତନ୍ୟ ମଲ୍ଲିକ, ଧନଞ୍ଜୟ କହଁର ପ୍ରମୁଖ ଦାବୀ କରିଛନ୍ତି । ଏ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS