ଭୁବନେଶ୍ୱର, (୨୦/୦୭) : ଆପ୍ର : ରୋଷେଇ ଘର ବଜେଟ୍କୁ ଆଉ ଏକ ଶକ୍ତ ଧକ୍କା। ବଜାରରେ ହଠାତ୍ ଅଣ୍ଡା ଦର ଉପରମୁହାଁ ହୋଇଛି ।
କିଛି ଦିନ ତଳେ ଖୁଚୁରା ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୭ ଟଙ୍କା ୧୫ ପଇସା ଥିବା ବେଳେ, ଏବେ ତାହା ସିଧାସଳଖ ୨ ଟଙ୍କା ବୃଦ୍ଧି ପାଇ ୯ ଟଙ୍କାରେ ପହଞ୍ଚିଛି । କେବଳ ଖୁଚୁରା ନୁହେଁ, ପାଇକାରୀ ବଜାରରେ ମଧ୍ୟ ଅଣ୍ଡା ଟ୍ରେ ଦର ବହୁ ପରିମାଣରେ ବଢ଼ିଯାଇଛି । ପୂର୍ବରୁ ଗୋଟିଏ ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା ବେଳେ ଏବେ ଗ୍ରାହକଙ୍କୁ ସେଥିପାଇଁ ୨୭୦ ଟଙ୍କା ଗଣିବାକୁ ପଡ଼ୁଛି । ଅଣ୍ଡା ଦରରେ ଏଭଳି ଅପ୍ରତ୍ୟାଶିତ ବୃଦ୍ଧିକୁ ନେଇ ସାଧାରଣ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି ।
ଅଣ୍ଡା ଦାମ୍ ବୃଦ୍ଧି ପାଇବା ପଛର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ।
ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୧ କୋଟି ଟଙ୍କାର ସବସିଡିକୁ ଆଗାମୀ ଦିନରେ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ, ଯାହା ଦ୍ୱାରା ଚାଷୀମାନେ ଅଧିକ ଉତ୍ପାଦନ ପାଇଁ ପ୍ରୋତ୍ସାହିତ ହେବେ । ରାଜ୍ୟରେ ପ୍ରତିଦିନ ପ୍ରାୟ ୨ କୋଟି ଅଣ୍ଡା ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବଜାରରେ ଉତ୍ପାଦନ ବୃଦ୍ଧି ପାଇଲେ ହିଁ ଅଣ୍ଡା ଦର ସ୍ୱାଭାବିକ ସ୍ତରକୁ ଫେରିବ ବୋଲି ଆଶା କରାଯାଉଛି ।

