ODISHA NEWS
ODISHA NEWS@odishanews

ପର୍ଯ୍ୟଟକ ମାନଚିତ୍ରରେ ପ୍ରମୁଖ ସ୍ଥାନ ଲାଭ କରିବ ବୌଦ୍ଧ, ଯୋଜନା ପ୍ରସ୍ତୁତି

ପର୍ଯ୍ୟଟକ ମାନଚିତ୍ରରେ ପ୍ରମୁଖ ସ୍ଥାନ ଲାଭ କରିବ ବୌଦ୍ଧ, ଯୋଜନା ପ୍ରସ୍ତୁତି
  • 609d
  • 27 shares

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା, ବୌଦ୍ଧ(୨୫/୦୭): ବୌଦ୍ଧ ଜିଲ୍ଲାରେ ଭରପୁର ରହିଛି ପର୍ଯ୍ୟଟନ ବିଭବ | ଘଞ୍ଚ ଅରଣ୍ୟ, ସୁଉଚ୍ଚପର୍ବତ, ସ୍ରୋତସିନୀ ସୁନ୍ଦର ଝରଣା ସଜାଇ ଦେଉଛି ପ୍ରକୃତି ରାଣୀକୁ | ପ୍ରଦୂଷଣ ବିହୀନ ସ୍ଵଛ ପରିବେଶ କୁ ପ୍ରାକୃତିକ ସବୁଜିମା ବୌଦ୍ଧ ଜିଲ୍ଲା କୁ ପ୍ରକୃତିର ବରଦାନ |ସମସ୍ତଙ୍କୁ ବିମୋହିତ କରେ ଜିଲ୍ଲାର ପ୍ରାକୃତିକ ଶୋଭାରାଶି | ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରେ ଜିଲ୍ଲାର ସତକୋଶିଆ ଅଭୟାରଣ୍ୟ ଶୀତଳ ପାଣି, ମାଧପୁର କୁମ୍ଭୀଦର, ସରିଡା ଖୋଲ ରାଜବସା ଜଳ ପ୍ରପାତ, ତମ୍ବୀଧର ର ସାଲୁଙ୍କି ଜଳ ଭଣ୍ଡାର, ମହାନଦୀର ନୀଳ ଜଳରାଶି, ପଦ୍ମତୋଳା ଜଙ୍ଗଲ, ଓ ଅନ୍ୟାନ୍ୟ ପ୍ରାକୃତିକ ଦୃଶ୍ୟ | ଏହିସବୁ ପର୍ଯ୍ୟଟନ ବିଭବର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଯୋଜନା ବଦ୍ଧ ଉଦ୍ୟମ | .

ଜିଲ୍ଲାରେ ଥିବା ୩ ଟି ଯାକ ବ୍ଲକରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ, ଧାର୍ମିକ ସ୍ଥଳୀକୁ ନେଇ ଅକ୍ସି ଟୁ୍ରିଜିମ ଇତ୍ୟାଦି ଉଚ୍ଚ ଅଭିଳାଷ ଯୋଜନା ହାତକୁ ନିଆଯାଇଛି | ଯାହାକି ରାଜ୍ୟର ସର୍ବ ପ୍ରଥମ ବୋଲି କୁହାଯାଉଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ "ସ୍ୱଚ୍ଛ ଅମ୍ଳଜାନ ପାଇଁ ବୌଦ୍ଧକୁ ଆସନ୍ତୁ "ପ୍ରଚାର ଅଭିଯାନ ଆରମ୍ଭ ହୋଇଛି | ଏହି ଯୋଜନା ଅନୁଯାଇ ୧୫୦୭ ଏକର ଜଙ୍ଗଲ ଜମିରେ ଆରମ୍ଭ ହେବ ରାଜ୍ୟର ସର୍ବ ପ୍ରଥମ ପରିବେଶ ପାର୍କ, ଜିଲ୍ଲାପାଳ ଲଟାଟେନ୍ଦୁ ମିଶ୍ରଙ୍କ ମାନସ ପଟରେ ଏହି ଅକ୍ସି ଟୁରିଜିୟମ ପ୍ରକଳ୍ପରେ ସାମିଲ ହେବ ଜିଲ୍ଲାର ୨୭ଟି ପ୍ରାକୃତିକ ପରିବେଶ ସମ୍ବନ୍ଧ, ଐତିହ୍ୟ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ, ମାନରୋମ ସବୁଜିମା ମୟ ପରିବେଶ | ବି.ରାନରସିଂହ ପୁର ପଂଚାୟତର ୫ ଟି ଗ୍ରାମକୁ ନେଇ ନନ୍ଦନ ବନ ପ୍ରାଣୀ ଉଦ୍ୟାନ ଢାଞ୍ଚାରେ, କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ର ସତକୋଶିଆ ଅଭୟରଣ୍ୟ ସ୍ଥିତ ଶୀତଳ ପାଣି ଓ ଡମ୍ବରୁ ଗାଡ଼ ପାହାଡର ପାଦ ଦେଶରେ ନିର୍ମିତ ହେବ ଏକୋଭିଲେଜ |  ଏହି ଗାଁ ରେ ରହିବ ମାଟି, ବାଉଁଶ, ନଡା କୁଟୀର, ମାଟି ରାସ୍ତା, ତେବେ ଗାଁ ପର୍ଯ୍ୟଟକ ଙ୍କ ପାଇଁ ହେବ ସମସ୍ତ ସୁବିଧା ସୁଯୋଗ, ପ୍ରତିଷ୍ଠିତ ହେବ ଏକୋ ରିଟ୍ରିଟ | ରାସ୍ତା, ବିଜୁଳି ପାନୀୟ ଜଳ ବ୍ୟବସ୍ତା ସାଙ୍ଗକୁ ବଣଭୋଜି କରିବା ପାଇଁ ନିର୍ମିତ ହେବ ମଣ୍ଡପ, ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଟ୍ରାକିଙ୍ଗ, ବୋଟିଙ୍ଗ, ଓ କେମ୍ପିଙ୍ଗ ର ସୁବିଧା ଉପଲବ୍ଧ ହେବ | ମହାନଦୀ ମଝିରେ ଥିବା ମାର୍ଜାକୁଦ କୁ ଅମ୍ଳଜାନ ପର୍ଯ୍ୟଟନ ରାଜଧାନୀ ରୂପେ ବିକାଶ କରାଯିବ | ଏହି ପରିବେଶ ପାର୍କ ଓ ଏକୋ ଭିଲେଜ ପ୍ରକଳ୍ପ ଆରମ୍ଭ ହେଲାଣି | ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେଉଛି ଏହି ପ୍ରକଳ୍ପ | ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠିଙ୍କ ସହଯୋଗରେ ଏହି ପ୍ରକଳ୍ପ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ମନ୍ତ୍ର ମୁଗ୍ଧ କରିବ | ଗ୍ରାମାଞ୍ଚଳର ପାର୍କ ଗୁଡିକର ପରିଚାଳନା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯିବ | ସୂଚନା ଯେ ପ୍ରାକୃତିକ ଶୋଭା ବାଦ ଦର୍ଶନୀୟ ସ୍ଥାନ ଗୁଡିକ ମଧ୍ୟରୁ ପୁରୁଣା କଟକ ମା ଭୀରବୀ ପୀଠ, ନାୟକ ପଡ଼ା ଐତିହାସିକ ଗୁମ୍ଫା, ଶ୍ୟାମସୁନ୍ଦରପୁର ଓ ପ୍ରଗଳପୁର ର ବୌଦ୍ଧ କୀର୍ତି, ଖରଭୂଇଁ ଠାରେ ବିଶାଳ ଚଟାଣ ପଥର ଉପର ବାବା ଲଡ଼ୁକେଶ୍ୱର ଶୈବପୀଠ, ବୌଦ୍ଧ ମହାନଦୀ ମଝିରେ ଥିବା ହନୁମାନ ମନ୍ଦିର, ଡମ୍ବରୁ ଗାଡ଼ ମଠ, ବିରନରସିଂ ପୁର ନନ୍ଦନ ବନ, ଖଣ୍ଡବନସା, ପଂଚାର, ଲାଲ ପର୍ବତ, କ୍ଷୁଦ୍ର ଜଳ ପ୍ରକଳ୍ପ, ସର୍ଗି ପାଲି ଓ ଉମା ଲଟା ଝରଣ ଜଳ ପ୍ରପାତ, ଅସୁରଗଡ଼, ଝାକର ପାଳିର ପ୍ରତ୍ନତାତ୍ୟିକ କୀର୍ତିରାଜ, ଘଣ୍ଟାପଡା ସମଲେଇ ମନ୍ଦିର, ଆଦି ଅନ୍ତର୍ଭୁକ୍ତ | ଅଧିକ ରୁ ଅଧିକ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର ଆରମ୍ଭ ସରିଲାଣି |ଫଳରେ ରାଜ୍ୟର ମାନଚିତ୍ର ରେ ବୌଦ୍ଧ ଜିଲ୍ଲା ଆଗାମୀ ଦିନରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିବାକୁ ଯାଉଛି | .

No Internet connection

Link Copied