Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା

ODISHA NEWS 3 hrs ago

କଳାହାଣ୍ଡି, (୧୮/୧୦) : ଆପ୍ର : ରାତି ପାହିଲେ ଭବାନୀପାଟଣାର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା । 

ଏହି ଐତିହାସିକ ଓ ପାରମ୍ପରିକ ଯାତ୍ରାକୁ ନେଇ ସାରା କଳାହାଣ୍ଡି ଜିଲ୍ଲାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଉତ୍ସବମୁଖର ହୋଇଉଠିଛି ଭବାନୀପାଟଣା ସହର । ମା’ ମାଣିକେଶ୍ୱରୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ବର୍ଷକ ପରେ ମା’ଙ୍କୁ ଅତି ନିକଟରୁ ଦର୍ଶନ କରି ନିଜ ନିଜ ଗୁହାରି ଜଣାଇବେ ଭକ୍ତ । ଛତର ଯାତ୍ରାର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଅନ୍ୟାନ୍ୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ସହ ଜେନାଖାଲ ନିକଟକୁ ଯାଇ ପ୍ରସ୍ତୁତି ନିରୀକ୍ଷଣ କରି ଫେରିଛନ୍ତି ।

ସେଭଳି ମା’ଙ୍କ ଛତରକୁ ପାଛୋଟି ଆଣିବାପାଇଁ ବିଭିନ୍ନ ସାଂସ୍କୃତିକ ଦଳ ଜୋରଦାର ପ୍ରସ୍ତୁତ ଚଳାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୌରପାଳିକା ପକ୍ଷରୁ ମଧ୍ୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରହିଛି । 

ମା’ଙ୍କ ବିଜୟ ଛତର କିଭଳି ଜେନାଖାଲରୁ ବାହାରି ନିର୍ଦ୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିବେ । ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିବେ, ଟ୍ରାଫିକ ବ୍ୟବସ୍ଥା କେମିତି ଠିକ ରହିବ ସେଥିପାଇଁ ପୁଲିସ ବିଭାଗରେ ମଧ୍ୟ ପ୍ରସ୍ତୁତି ଚାଲିଛି । ଛତର ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା କଳାହାଣ୍ଡିର ଐତିହ୍ୟ, ରାଜକୀୟ ପରମ୍ପରା ଓ ଜନଜୀବନ ସହ ଗଭୀର ଭାବେ ଜଡ଼ିତ । ମା’ ମାଣିକେଶ୍ୱରୀଙ୍କ ପ୍ରତି ଅଗାଢ଼ ଆସ୍ଥା ଓ ବିଶ୍ୱାସକୁ ନେଇ ପ୍ରତିବର୍ଷ ଏହି ଯାତ୍ରାରେ ସାମିଲ ହୁଅନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା କରାଯାଉଛି । ଦୂରଦୂରାନ୍ତରୁ ଭକ୍ତଙ୍କ ଆଗମନକୁ ନେଇ ସହର ଏବେ ଉତ୍ସବ ମୁଖର ହୋଇ ଉଠିଛି । ସମସ୍ତଙ୍କ ଘରେ ସମ୍ପର୍କୀୟ ମାନଙ୍କ ଭିଡ଼ ଲାଗୁଛି । 

ଯାତ୍ରାକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ, ପୁଲିସ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ଆଇନଶୃଙ୍ଖଳା ରକ୍ଷା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଯାତ୍ରା ପରିଚାଳନାର ମୁଖ୍ୟ ପ୍ରସଙ୍ଗ ରହିଛି । ଅନ୍ୟପଟେ ମା’ଙ୍କ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ଶୀର୍ଷରେ ପହଞ୍ଚିଛି । ପରମ୍ପରା ଓ ଲୋକବିଶ୍ୱାସର ଅନନ୍ୟ ସମନ୍ୱୟ ହେଉଛି ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ନିଜ ପରିବାର ଓ ଅଞ୍ଚଳର ମଙ୍ଗଳ କାମନା କରି ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି ଏହି ପବିତ୍ର ମୁହୂର୍ତ୍ତକୁ । 

ମାନସିକଧାରୀମାନେ ନିଜ ନିଜ ମାନସିକ ପୂରଣ ହେବାପରେ ମା’ଙ୍କ ଛତର ନିକଟରେ କୁକୁଡ଼ା, ବୋଦା ଅର୍ପଣ କରିବା ପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ କରିଥିବାବେଳେ କେତେକ ଭକ୍ତ ଶାନ୍ତିର ପ୍ରତୀକ ପାରା ଉଡାଇବା ପାଇଁ ପାରା ସଂଗ୍ରହରେ ବ୍ୟସ୍ତ ଅଛନ୍ତି । ଏବେ ଅପେକ୍ଷା ସେହି ମହାନ୍ ଧାର୍ମିକ ମୁହୂର୍ତ୍ତକୁ । ରାତି ପାହିଲେ ମା’ଙ୍କ ଛତର ଯାତ୍ରାରେ ଭକ୍ତି ଓ ପରମ୍ପରା ଓ ବିଶ୍ୱାସର ମହାମିଳନ ଦେଖିବାକୁ ମିଳିବ । ମା’ ମାଣିକେଶ୍ୱରୀଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହେବ ଭବାନୀପାଟଣା ସହର—ଆଉ ଏହି ମହାନ୍ ବିଜୟ ଯାତ୍ରା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମୁଘୁମୁ ନାଦ, ବିଭିନ୍ନ ସାଂସ୍କୃତିକ ଦଳର ବାଦ୍ୟ ନାଦରେ ପୁଣିଥରେ ପ୍ରକମ୍ପିତ ହେବ ରାଜପଥ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS