ରାୟଗଡା, (୦୭/୦୪) : ଆପ୍ର. : ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଳା ଶିକ୍ଷାଧିକାରୀ ରାୟଗଡା ରାମଚନ୍ଦ୍ର ନାହକ ତାଙ୍କୁ ଶନିବାର ଦିନ ରିଲିଭ କରିଛନ୍ତି । ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଓ୍ବାଙ୍ଗ୍ରାହି ଶବରଙ୍କୁ ଅସ୍ଥାୟୀ ଦାୟିତ୍ବ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ସୁଦୀପ୍ତ କୁମାର ଦାଶ ନୂତନ ଭାବେ ନିଯୁକ୍ତି ପାଇ ଗତ ତା ୨୩.୬.୨୩ ରିଖ ଦିନ ରାୟଗଡା ବ୍ଳକ ଶିକ୍ଷାଧିକାରୀ ରୂପେ ଦାଇତ୍ଵ ଗ୍ରହଣ କରିଥିଲେ । ଇତି ମଧ୍ୟରେ କଲ୍ୟାଣ ସିଂହପୁର ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ ଦାଇତ୍ଵ ମଧ୍ଯ ତୁଲାଉଥିଲେ । ସଦର ବ୍ଲକରେ ନିଯୁକ୍ତ ଥିବାରୁ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ଅନେକ ଦାଇତ୍ଵ ମଧ୍ଯ ନିର୍ବାହ କରୁଥିଲେ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ସଂଖ୍ୟା ୩୫୭୩ ତା ୪.୨.୨୦୨୫ ଅନୁଯାୟୀ ଶ୍ରୀଯୁକ୍ତ ଦାଶଙ୍କୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ଶିକ୍ଷାଧିକାରୀ ରୂପେ ବଦଳି ହୋଇଛି । ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ୱାଙ୍ଗ୍ରାହି ଶବର ଓ ଛବିଲାଲ ସିଂ, ଗୋଷ୍ଠୀ ସଂଯୋଜକ ବଳରାମ ହୁଇକା, ସେକ୍ସନ୍ ଅଧିକାରୀ ସ୍ମରଣିକା ଜେନା, ସୌମ୍ୟ ରଞ୍ଜନ ପଣ୍ଡା, ଅବସରପ୍ରାପ୍ତ ବରିଷ୍ଠ କିରାଣୀ ପ୍ରଭାକର ସାହୁ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀ ଦାଶଙ୍କ କର୍ତ୍ତବ୍ୟ ନିଷ୍ଠା, ନିଷ୍ଠାପର ଉଦ୍ୟମ, ସରଳ ଚିନ୍ତନ, ଉତ୍ତମ ବ୍ୟବହାର ଓ କର୍ମଠତାର ଭୂୟଷୀ ପ୍ରଶଂସା କରିଥିଲେ । ବ୍ଲକ ଶିକ୍ଷକ ସଂଘ ସୁଦୀପ୍ତ ଦାଶଙ୍କ ସଚ୍ଚୋଟତା ପ୍ରତି ପ୍ରଶଂସା କରିଛନ୍ତି । ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକଙ୍କୁ ମାର୍ଚ୍ଚ ମାସର ଦରମା ପ୍ରଦାନ କରାଯାଇନଥିବା ବେଳେ ଅସ୍ଥାୟୀ ଭାବେ ଦାୟିତ୍ବ ପ୍ରଦାନ କରି ଶ୍ରୀ ଦାଶଙ୍କୁ ରିଲିଭ କରାଯାଇଥିବାରୁ ଆର୍ଥିକ କ୍ଷମତା ପ୍ରଦାନ ନିମନ୍ତେ ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅନୁରୋଧ କରିଛି ।

