Saturday, 14 Dec, 9.15 am Odisha Reporter

ହୋମ
ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ଜଳିଗଲେ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ଯୁଯୁମୁରାଠାରେ ୫୫ ନମ୍ୱର ଜାତୀୟ ରାଜପଥରେ ଗତକାଲି ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା। ଆଉ ଏଥିରେ ଦୁଇ ଜଣ ଜଳି ଯାଇଛନ୍ତି। ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଦ୍ୱୟ ଡ୍ରାଇଭର ନା ହେଲ୍‌ପର୍, ସେ ବିଷୟରେ ବି କିଛି ସ୍ପଷ୍ଟ ହୋଇନି।

ପୁଲିସ୍‌ କହିବା ଅନୁସାରେ, ଲୁହା ବୋଝେଇ ଟ୍ରକଟି ସମ୍ୱଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା। ଆଉ ଗ୍ୟାସ୍‌ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିବା ବେଳେ ସେଥିରେ ଥିବା କର୍ମଚାରୀ ବାହାରି ନ ପାରି ଜଳି ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ୍ ଘଟଣାର ତଦନ୍ତ କରୁଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Reporter
Top