ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ପୂରଣ ହେବ ୪୪ ଓଡ଼ିଆ ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡ଼ିବାର ସ୍ୱପ୍ନ । ଏୟାର୍ ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟର ୪୪ ଜଣ ଦିବ୍ୟାଙ୍ଗ ପିଲାଙ୍କ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଭୁବନେଶ୍ୱର ଓ ବାରିପଦାରେ ବିଭିନ୍ନ ଦିବ୍ୟାଙ୍ଗ ଅନୁଷ୍ଠାନର ୪୪ ପିଲାଙ୍କୁ ଭୁବନେଶ୍ୱର ଆକାଶମାର୍ଗରେ ଉଡ଼ିବାର ଅନୁଭୁତି ପ୍ରଦାନ କରାଯିବ । ଏହା ଏକ ସ୍ୱତନ୍ତ୍ର ଉଡ଼ାଣ ରହିବ । ଦିବ୍ୟାଙ୍ଗ ପିଲାଙ୍କ ପାଇଁ କରାଯାଇଥିବା ଏହି ସ୍ୱତନ୍ତ୍ର ଉଡ଼଼ାଣରେ ୯ରୁ ୧୮ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ହେବେ । ଏମାନଙ୍କ ମଧ୍ୟରେ ୨୩ଜଣ ବାଳିକା ଥିବା ବେଳେ ୨୧ଜଣ ବାଳକ ରହିଛନ୍ତି । ଏମାନଙ୍କ ସହ ୨୧ଜଣ ସହାୟକ ଏବଂ ସହାୟିକା ମଧ୍ୟ ଏହି ଉଡ଼ାଣରେ ସାମିଲ ହେବେ । ପୂର୍ବରୁ ଏୟାର ଇଣ୍ଡିଆ ତରଫରୁ ଗରିବ ମହିଳାମାନଙ୍କ ପାଇଁ ବିମାନରେ ଏକ ସ୍ୱତନ୍ତ୍ର ଉଡ଼ାଣର ବ୍ୟବସ୍ଥା କରାଯାଇଥିଲା ।