୧୦ ଦିନରେ ମଲେଣି ୨; ୧୪ ବର୍ଷରେ ଗଲେଣି ୮
ନିରାକାରପୁର, ୦୩/୦୪/୨୦୨୦(ଓଡ଼ିଶା ସମାଚାର)- ଅସୁରକ୍ଷିତ ଆବାସସ୍ଥଳୀ, ଧ୍ୱଂସାଭିମୁଖୀ ଜଙ୍ଗଲ । ଖାଦ୍ୟର ଅଭାବ ଲାଗି ବନ୍ୟପ୍ରାଣୀ ତଥା ଜାତୀୟ ଐତିହ୍ୟ ହାତୀ ଏବେ ଅସୁରକ୍ଷିତ । ଖାଦ୍ୟ ଅନ୍ୱେଷଣରେ ଜନବସତି ଆଡକୁ ମୁହାଁଇଛନ୍ତି ହାତୀପଲ । ହାତୀ ଉପଦ୍ରବରେ ନଷ୍ଟ ହେଉଛି ବ୍ୟାପକ ଧନ ଜୀବନ । ଗୋଟିଏ ପଟେ ହାତୀ ପଲଙ୍କ ଜୀବନ ଓ ଅନ୍ୟ ପଟେ ଚାଷୀଙ୍କ ଜୀବିକା କୃଷିକୁ ନେଇ ଆରମ୍ଭ ହୋଇଛି ମଣିଷ ଓ ହାତୀପଲ୍ଲ ମଧ୍ୟରେ ଅଘୋଷିତ ଲଢ଼େଇ । ଚନ୍ଦକା ହାତୀ ଅଭ୍ୟୟାରଣ୍ୟରେ ବିପର୍ଯ୍ୟସ୍ତ ପରିବେଶ ସହ ଖାଦ୍ୟାଭବ କାରଣରୁ ହାତୀମାନେ ଉପକଣ୍ଠରେ ଥିବା ଧାନ କ୍ଷେତ ଓ ଗ୍ରାମ ଆଡକୁ ମୁହାଁଉଛନ୍ତି । ତେବେ ଖୋର୍ଦ୍ଧା ବନଖଣ୍ଡର ଟାଙ୍ଗି ବନାଂଚଳ ପାଲଟିଛି ହାତୀଙ୍କ ଲାଗି ମରଣ ଯନ୍ତା । ଏହି ବନାଂଚଳର ଉଦୁବୁରୀ କାଜୁ ଜଙ୍ଗଲ ମଧ୍ୟରୁ ଗତ ରବିବାର ଦିନ ଏକ ଦନ୍ତା ହାତୀର ମୃତ ଦେହକୁ ବନବିଭାଗ ଉଦ୍ଧାର କରିଥିଲା ।ତେବେ ଦନ୍ତା ହାତୀଟିର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ହାତୀଟିର ବୟସ ୨୫ବର୍ଷ ହୋଇଥିବା ବନବିଭାଗ ସୂଚନା ଦେଇଥିଲା ।
ତେବେ ଗତ ୧୦ଦିନ ତଳେ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖରେ ଏକ ମାଇ ହାତୀ ବିଷକ୍ରୀୟା ଯୋଗୁ ୨ଦିନ ଭୁଇଁ ରେ ପଡି ଛଟପଟ ହେବା ପରେ ମୃତ୍ୟୁବରଣ କରିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହୋଇଥିଲା । ତେବେ ମାଇ ହାତୀ ର ଶବବ୍ୟବଛେଦ ରିପୋର୍ଟ ଏଯାଏଁ ଆସିନଥିବାବେଳେ ଉକ୍ତ ବନାଂଚଳରେ ପୁଣି ଆଉ ଏକ ଦନ୍ତା ହାତୀର ମୃତ ଦେହକୁ ବନବିଭାଗ ଉଦ୍ଧାର କରିବା ଘଟଣା ହାତୀ ସୁରକ୍ଷା ପ୍ରତି ବନବିଭାଗ କେତେଦୂର ତତ୍ପର ତାହା ସ୍ପଷ୍ଟ କରୁଛି ।
ବନଖଣ୍ଡ ତଥ୍ୟ ଅନୁସାରେ, ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ଟାଙ୍ଗି, ରଣପୁର,ବାଲୁଗାଁ, ବାଣପୁର ଏବଂ ଖୋର୍ଦ୍ଧା ରେଞ୍ଜ୍ ରେ ହାତୀ ମଣିଷ ଲଢେଇ ମଧ୍ୟରେ ସାଧାରଣ ଲୋକ ପେଶି ହୋଇଯାଉଥିବାବେଳେ ୨୦୦୬ମସିହା ଜାନୁୟାରୀ ମାସରେ ଏକ ମାଇ ହାତୀ ଅସୁସ୍ଥତା କାରଣରୁ ମୃତ୍ୟୁ ବରଣ କରିଥିବା ବିଭାଗୀୟ ତଥ୍ୟରୁ ଜଣାଯାଇଛି । ସେହିପରି ୨୦୦୮ମସିହାରେ ବରୁଣେଇ ପାହାଡ଼ ଉପରେ ଅନ୍ୟ ଏକ ମାଇ ହାତୀର ଜୀବନ ଯାଇଥିବାବେଳେ ଖୋର୍ଦ୍ଧା ରେଞ୍ଜ ର ମାଧପୁର ଠାରେ ଉକ୍ତ ମସିହା ଜାନୁୟାରୀ ୨୯ ତାରିଖରେ ଜନୈକ ବୃଦ୍ଧଙ୍କ ଗୁଳିମାଡ଼ରେ ଆଉ ଏକ ଦନ୍ତା ହାତୀ ଟଳିପଡ଼ିଥିଲା । ୨୦୧୦ ମସିହାରେ ଏକ ମାଇ ଛୁଆ ହାତୀ ଖୋର୍ଦ୍ଧା ରେଞ୍ଜ୍ ଅନ୍ତର୍ଗତ କୁଶପାଙ୍ଗିରେ ମୃତ୍ୟୁ ବରଣ କରିଥିବାବେଳେ ୨୦୧୭ ମସିହା ଡିସେମ୍ବର ମାସ ୨ତାରିଖରେ ଟାଙ୍ଗି ରେଞ୍ଜ୍ ର ରାମେଶ୍ୱର ଜଙ୍ଗଲରେ ଏକ ମାଇ ହାତୀର ଶବକୁ ବନବିଭାଗ ଜବତ କରିଥିଲା । ଆଜି ମଧ୍ୟ ଉକ୍ତ ମାଇ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଏହାର କିଛି ଦିନ ପୂର୍ବରୁ ଏକ ଛୁଆ ହାତୀ ଉକ୍ତ ଅଂଚଳର ଏକ କୂଅରେ ପଡ଼ି ଆହତ ହୋଇଥିବାବେଳେ ଗତବର୍ଷ ନଭେମ୍ବର ୨୨ତାରିଖରେ ଟାଙ୍ଗି ବନାଂଚଳ ଅନ୍ତର୍ଗତ ରାମେଶ୍ୱର ଛକ ନିକଟ ମଲାଗୁଣୀ ନଦୀ ପଠା ନିକଟସ୍ଥ ଆଖୁଆ ଶଙ୍ଖ ଉପର ଭାଗରୁ ଏକ ଦନ୍ତା ହାତୀର ମୃତ ଦେହକୁ ବନବିଭାଗ ଉଦ୍ଧାର କରିଥିଲା ।ତେବେ ଉକ୍ତ ହାତୀଟି ବିଷକ୍ରୀୟାଯୋଗୁ ମରିଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଥିବାବେଳେ ପୁନର୍ବାର ଗତ ୨୦ ତାରିଖରେ ଏକ ମାଇ ହାତୀ ବିଷକ୍ରୀୟା ଯୋଗୁ ରାମେଶ୍ୱର ଛକ ନିକଟ ବାଁବିଲ ଗହୀର କଦମପାଟିଆ ମଧ୍ୟରେ ୨ଦିନ ଭୁଇଁ ରେ ପଡି ଛଟପଟ ହେବା ପରେ ମୃତ୍ୟୁବରଣ କରିଥିଲା । ଏଥିସହିତ ଗତ ରବିବାର ଦିନ ମଧ୍ୟ ଆଉ ଏକ ଦନ୍ତା ଟାଙ୍ଗୀ ବନାଂଚଳ ଅଧୀନସ୍ଥ ଉଦୟଗିରି ଜଙ୍ଗଲରେ ମୃତ୍ୟୁବରଣ କରିଛି । ବନଖଣ୍ଡ ଅଧିକାରୀ ସୁଦୀପ ନାୟକ କିନ୍ତୁ ବିଷକ୍ରୀୟା ଯୋଗୁ ହାତୀ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ନଭେମ୍ବର ରୁ ଆଜି ଭିତରେ ମରିଥିବା ୩ଟି ହାତୀର ବ୍ୟବଛେଦ ରିପୋର୍ଟ ଏଯାବତ ଆସିନାହିଁ, ତେଣୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ବ୍ୟୃବଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ତେବେ ବହୁବର୍ଷ ଧରି ହାତୀ ମଣିଷ ଲଢ଼େଇ ଭିତରେ ବହୁ ପରିବାର ତାଙ୍କର ଆତ୍ମିୟ ସ୍ୱଜନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ଆଉକେଉଁଠି କ୍ଷତିଗ୍ରସ୍ତଙ୍କ ଆକ୍ରୋଶର ଶିକାର ହୋଇ ଗୋଟିଏ ପରେ ଗୋଟିଏ ହାତୀ ଟଳି ପଡୁଥିବା ଦେଖିବାକୁ ମିଳିଛି । ତେବେ ବନବିଭାଗ କିନ୍ତୁ ହାତୀଙ୍କୁ ସୁରକ୍ଷା ଦେବାରେ ଏକ ପ୍ରକାର ବିଫଳ ହୋଇଥିବା ଅଭିଯୋଗ ହେଉଛି । ଓଡ଼ିଶା ସମାଚାର

