ଯୁବ ପିଢୀଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ କେନ୍ଦ୍ରାପଡ଼ା,୦୯/୦୯/୨୦୨୬(ଓଡ଼ିଶା ସମାଚାର)-ଦେଶର ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା, ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ବିକସିତ ଭାରତଯୁବ ନେତୃତ୍ୱ ସଂଳାପ- ୨୦୨୭ ଆୟୋଜିତ ହେଉଛି । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ମାଇଁ ଭାରତ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି ।
ଏହି ସଂଳାପ ମାଧ୍ୟମରେ ଯୁବମାନଙ୍କୁ 'ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ସୁଯୋଗ ମିଳିବ । ଏହାର ପ୍ରଥମ ପର୍ଯ୍ୟାୟ ଭାବେ ବିକଶିତ ଭାରତ କୁଇଜ ଆୟୋଜିତ ହେଉଛି ।
ଏହା ଏକ ଜାତୀୟ ସ୍ତରର ଅନଲାଇନ୍ କୁଇଜ୍ ଯାହା ମାଇଁ ଭାରତ ପୋର୍ଟାଲ୍ ମାଧ୍ୟମରେ ବିଭିନ୍ନ ଭାଷାରେ ଆୟୋଜିତ ହେଉଛି ଓ ଯୋଗ୍ୟ ଯୁବମାନେ ବ୍ୟକ୍ତିଗତ ଭାବେ ଏଥିରେ ଅଂଶଗ୍ରହଣ କରିପାରିବେ । କୁଇଜ୍ ରେ ଚୟନିତ ଅଂଶଗ୍ରହଣକାରୀମାନେ ପରବର୍ତୀ ବିକଶିତ ଭାରତ ଏସେ ଚ୍ୟାଲେଞ୍ଜ ପର୍ଯ୍ୟାୟକୁ ଯିବେ ।୧୭ ଅଗଷ୍ଟ ୨୦୨୬ ସୁଦ୍ଧା ୧୫ରୁ ୨୯ ବର୍ଷ ବୟସର ଯୁବକ/ଯୁବତୀ ଏଥିରେ ଅଂଶଗ୍ରହଣ କରିପାରିବେ । ମାଇଁ ଭାରତ ପୋର୍ଟାଲ୍ ରେ ପୂର୍ବରୁ ପଞ୍ଜୀକୃତ ଥିବା ଯୁବମାନଙ୍କୁ ପୁନର୍ବାର ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ ଓ ଅନ୍ୟ ଯୋଗ୍ୟ ଯୁବମାନେ ପୋର୍ଟାଲ୍ ରେ ପଞ୍ଜିକରଣ କରି ଏହି ପ୍ରକ୍ରିୟାରେ ଯୋଗଦେଇପାରିବେ । ବର୍ତମାନ ବିକଶିତ ଭାରତ କୁଇଜ୍ ୧୭ ଅଗଷ୍ଟରୁ ୩୦ ସେପ୍ଟେମ୍ବର୨୦୨୬ ପର୍ଯ୍ୟନ୍ତ ଚାଲିବ । ତେଣୁ ଜିଲାର ସମସ୍ତ ଯୋଗ୍ୟ ଯୁବକ/ଯୁବତୀଙ୍କୁ ଏହି ସମୟସୀମା ମଧ୍ୟରେ କୁଇଜ୍ ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି । ଏହି କୁଇଜ୍ ମାଧ୍ୟମରେ ପରବର୍ତୀ ପର୍ଯ୍ୟାୟଗୁଡ଼ିକରେ ଆଗକୁ ବଢ଼ିବାର ସୁଯୋଗ ପାଇପାରିବେ । କୁଇଜ୍ ପରେ ଚୟନିତ ଯୁବମାନେ ୫୦୦ ଶବ୍ଦର ବିକଶିତ ଭାରତ ଏସେ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବେ ।
ପରବର୍ତୀ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲାର ଶ୍ରେଷ୍ଠ ୫୦ଟି ନିବନ୍ଧକୁ ଜିଲା ଚମ୍ପିୟନସିପ୍ ର ପିପିଟି ପର୍ଯ୍ୟାୟ ପାଇଁ ଚୟନ କରାଯିବ । ସେଠାରୁ ପ୍ରତ୍ୟେକ ଜିଲାର ଶ୍ରେଷ୍ଠ ଦୁଇଜଣ ପ୍ରସ୍ତୁତକାରୀ ରାଜ୍ୟ ସ୍ତର ପାଇଁ ଯୋଗ୍ୟତା ହାସଲ କରିବେ । ରାଜ୍ୟ ସ୍ତରରେ ଚୟନିତ ଯୁବମାନେ ନିଜର ଚିନ୍ତାଧାରା ଓ ପ୍ରସ୍ତୁତି ଏକ ଜୁରି ସମ୍ମୁଖରେ ଉପସ୍ଥାପନ କରିବେ । ରାଜ୍ୟ ପ୍ରଦର୍ଶନ ଆଧାରରେ ଜାତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ଦଳ ଚୟନ କରାଯିବ । ଏହା ମାଧ୍ୟମରେ ବିଭିନ୍ନ କ୍ଷେତ୍ରର ପ୍ରତିଭାବାନ ଯୁବମାନେ ନିଜର ଦକ୍ଷତା ପ୍ରଦର୍ଶନର ସୁଯୋଗ ପାଇପାରିବେ ।
ଜିଲାର ଯୋଗ୍ୟ ଯୁବମାନଙ୍କୁ ବିକଶିତ ଭାରତ କୁଇଜ୍ ରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କରି ଏହି ଜାତୀୟ ଯୁବ ମଂଚର ଅଂଶ ହେବାକୁ ଅନୁରୋଧ କରାଯାଇଛି ଓ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ମାଇଁ ଭାରତ ପକ୍ଷରୁ କେନ୍ଦ୍ରାପଡା ଜିଲା ଯୁବ ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

