Wednesday, 24 May, 5.10 am ଓଡ଼ିଶା ସମାଚାର

ବିଶେଷ
ବ୍ରହ୍ମପୁରରେ ହେବ ଜାତୀୟ ଭାଷା ସମ୍ମିଳନୀ ଜୁଲାଇ ୬ରୁ

ଭୁବନେଶ୍ୱର, ୨୪/୦୫/୨୦୧୭(ଓଡ଼ିଶା ସମାଚାର) -ଗତ ଚାରିବର୍ଷ ଧରି ଓଡିଶାରେ ଆୟୋଜିତ ହୋଇ ଆସୁଥିବା ଜାତୀୟ ଭାଷା ସମ୍ମିଳନୀ ଚଳିତ ବର୍ଷ ବ୍ରହ୍ମପୁରରେ ଅନୁଷ୍ଠିତ ହେବ । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଆୟୋଜିତ ଜାତୀୟ ଭାଷା ସମ୍ମିଳନୀର ଚତୁର୍ଥ ସଂସ୍କରଣ ଆସନ୍ତା ଜୁଲାଇ ମାସ ୦୬ ରୁ ୦୯ ତାରିଖ ଚାରିଦିନ ଧରି ବ୍ରହ୍ମପୁର ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ନିଷ୍ଟ ଇଂଜିନିୟରିଂ କଲେଜ, ବ୍ରହ୍ମପୁର)ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପୂର୍ବବର୍ଷ ଭଳି ଭାରତର ସମସ୍ତ ଭାଷାଭିତିିକ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ କ୍ଲାସିକାଲ ସଂସ୍ଥା ବ୍ୟତୀତ ପ୍ରତି ରାଜ୍ୟର ଭାଷା ଓ ସାହିତ୍ୟର ପ୍ରାୟ ୬୦୦ ପ୍ରତିନିଧିଗଣଙ୍କୁ ଏକାଠି କରି ସର୍ବଭାରତୀୟ ସ୍ତରରେ ଓଡିଶାର ଭାଷା, ଓଡିଆ ବ୍ୟାକରଣ, ଅନୁବାଦ, କମ୍ପୁ୍ୟଟର ଓ ଓଡିଆ, ଶିକ୍ଷା-ପ୍ରଶାସନ- ଆଇନ-ଚିକିତ୍ସା-ଯୋଗାଯୋଗର ଭାଷା, ସଂସ୍କୃତି ସମ୍ପର୍କୀତ ବିଷୟ ଆଲୋଚନା କରାଯିବ ବୋଲି ଅଧ୍ୟକ୍ଷ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଶେଷକରି ଓଡିଶାରେ ଭାଷାକୁ ନେଇ ମୁଣ୍ଡ ଟେକୁଥିବା ବିଚ୍ଛିନ୍ନତାବୋଧର କାରଣ ଓ ନିରାକରଣ ସହିତ ଏହାକୁ କିପରି ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠା କରାଯିବ, ସେ ବିଷୟ ଉପରେ ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଆରୋପ କରାଯିବ । ଏହି ଅବସରରେ କମିଟିର ନିଷ୍ପତିକ୍ରମେ ଦେଶବିଦେଶର ବିଦ୍ୱାନଙ୍କ ନାମ ପଂଜିକରଣ ଉଦ୍ଧେଶ୍ୟରେ ଉକ୍ତ ସମ୍ମିଳନୀର ଏକ ସ୍ୱତନ୍ତ୍ର ୱେବସାଇଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଅର୍ଥ ଏବଂ ଅବକାରୀ ବିଭାଗର ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ତୃତୀୟ ପ୍ରସ୍ତୁତି କମିଟିର ମୁଖ୍ୟ ଅତିଥି ଭାବରେ ଯୋଗଦାନ ପୂର୍ବକ ସର୍ବସାଧାରଣଙ୍କ ଉଦ୍ଧେଶ୍ୟରେ ଉକ୍ତ ୱେବସାଇଟ ଲୋକାର୍ପଣ କରିଥିଲେ । ଓଡିଆଭାଷାର ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଉଦ୍ୟମକୁ ପ୍ରଶଂସା କରିବା ସହିତ ଭାରତରେ ପ୍ରଥମକରି ଭାଷାକୁ ନେଇ ଜାତୀୟ ସ୍ତରର ସମ୍ମିଳନୀ ଅୟୋଜନକୁ ଆହୁରି ଲୋକାଭିମୁଖୀ କରିବାପାଇଁ ସରକାରି ଓ ବେସରକାରି ସ୍ତରରେ ଉଦ୍ୟମ କରିବାର ଆବଶ୍ୟକତା ଅଛି । ବ୍ରହ୍ମପୁରରେ ଏହି ସମ୍ମିଳନୀ ଆୟୋଜନ ହେଉଥିବାରୁ ଦକ୍ଷିଣ ଓଡିଶାର ବିଭିନ୍ନ ସାହିତି୍ୟକ ସାଂସ୍କୃତିକ ଅନୁଷ୍ଠାନକୁ ସାମିଲ କରିବା ସହିତ ସେହି ଅଂଚଳରୁ ପୋଥି ସଂଗ୍ରହ ଓ ଲୋକକଳା ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତି ନିଆଗଲା ।

ଦେଶବିଦେଶରୁ ଓଡିଶାମାଟିକୁ ଆସୁଥିବା ଭାଷା ବିଶେଷଜ୍ଞଙ୍କ ସହ ଭାବ ବିନିମୟ ତଥା ଏହି ସମ୍ମିଳନୀକୁ ସୂଚାରୁ ରୂପେ ସଫଳ କରିବାପାଇଁ ଗତକାଲି ସନ୍ଧ୍ୟାରେ ମଧୁସୂଦନ ନଗର ସ୍ଥିତ ଜାତୀୟ ଅଭିଲେଖାଗାର ପ୍ରେକ୍ଷାଗୃହରେ ଜାତୀୟ ଭାଷା ସମ୍ମିଳନୀ ପ୍ରସ୍ତୁତି କମିଟିର ତୃତୀୟ ବୈଠକରେ ରାଜ୍ୟର ବିଭିନ୍ନ ବିଦ୍ୱାନ, ଗବେଷକ, ପ୍ରଶାସକ, ଶିକ୍ଷାବିତ, ରାଜନେତା ନିଜନିଜର ମତ ପ୍ରଦାନ କରିଥିଲେ । ସମ୍ପାଦକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ବିବରଣୀ ପାଠ କରିଥିବାବେଳେ ଉପସଭାପତି ପ୍ରଫେସର ଓଁକାରନାଥ ମହାନ୍ତି ବୈଠକର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ଏବଂ କାର୍ଯ୍ୟକ୍ରମ ସଂପାଦକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top