କଟକ, ୨୦/୦୧/୨୦୨୦(ଓଡ଼ିଶା ସମାଚାର)- ଭାରତର ସର୍ବବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୪ତମ ଓଡିଶା ରାଜ୍ୟ ଅଧିବେଶନ ଆସନ୍ତା ୩୧ତାରିଖରୁ ଫେବୃଆରୀ ୨ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବସୁନ୍ଧରା ପଡିଆରେ ଅନୁଷ୍ଠିତ ହେବ । ଏହି ଅଧିବେଶନରେ ରାଜ୍ୟର ସମସ୍ତ ପ୍ରମୁଖ କ୍ୟାମ୍ପସ୍, ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, କୃଷି ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜଗୁଡ଼ିକରୁ ୧ ହଜାରରୁ ଅଧିକ ବିଦ୍ୟାର୍ଥୀ ଓ ଅଧ୍ୟାପକ ପ୍ରତିନିଧି ଯୋଗଦେଇ ଓଡିଶାର ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ସ୍ଥିତି ଓ ଓଡିଶାର ବଢୁଥିବା ଅନୁପ୍ରବେଶ ଭଳି ସାମାଜିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ । ଏହି ଆଲୋଚନାବେଳେ ୨ଟି ପ୍ରସ୍ତାବ ଗୃହୀତ ହେବ । ଅଧିବେଶନରେ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ, ଆଦର୍ଶ ଓ କାର୍ଯ୍ୟ ପଦ୍ଧତି ଉପରେ ବରିଷ୍ଠ କାର୍ଯ୍ୟକର୍ତାମାନେ ଅଭିଭାଷଣ ଦେବା ସହିତ ପରିଷଦର ବିଭିନ୍ନ ଆୟାମ୍, କାର୍ଯ୍ୟ ଓ ଗତିବିଧି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଏହି ଅଧିବେଶନରେ ସ୍ଥାନ ପାଇବ ।

