Friday, 03 Apr, 8.11 am ଓଡ଼ିଶା ସମାଚାର

ବିଶେଷ
ଗମନା ଗମନ ମୁଖ୍ୟ ସମସ୍ୟା, ବିଜୁଳୀ ସାତ ସପନ, ଏଠି ବିଫଳ ହୋଇଛି ସ୍ୱଚ୍ଛ ଭାରତ କାର‌୍ୟ୍ୟକ୍ରମ, ପ୍ରହସନ ପାଲଟିଛି ଆବାସ ଯୋଜନା, ଅନ୍ତ ହଉନାହିଁ ଜଳ କଷ୍ଟ

ଲାଞ୍ଜିଗଡ଼, ୦୩/୦୪/୨୦୨୦(ଓଡ଼ିଶା ସମାଚାର / ସୌମ୍ୟ ରଞ୍ଜନ ମହାରଣା)-ଗାଁକୁ ଭାରତର ଆତ୍ମା ବୋଲି କୁହାଯାଏ । ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ବିକାଶ ତ୍ବରାନ୍ବିତ ହୋଇଥାଏ । ତେଣୁ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଲାଞ୍ଜିଗଡ ବ୍ଲକର ଅନେକ ଗାଁ ଅବହେଳିତ ହୋଇ ପଡିଛି । ଏହି ଗାଁ ମାନଙ୍କ ଭିତରୁ ଗୋଟିଏ ହେଉଛି ଦୂର୍ଗମ ଲାଞ୍ଜି ପଞ୍ଚାୟତର 'ତୁର୍କା' ଗାଁ । ଏହି ଗାଁରେ ବାସ କରନ୍ତି ୩୫ଟି ଆଦିବାସୀ ପରିବାର । ବ୍ଲକ ମହକୁମା ବିଶ୍ବନାଥପୁର ଠାରୁ ଏହି ଗାଁର ଦୂରତା ୩୫କିମି ଓ ଗ୍ରାମ ପଞ୍ଚାୟତ କାର‌୍ୟ୍ୟାଳୟ ଠାରୁ ୧୮କିମି । ଏହି ଗାଁରେ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥିବା ବେଳେ ମୁଖ୍ୟ ସମସ୍ୟା ହେଉଛି ଗମନା ଗମନ । ରାସ୍ତା ନଥିବାରୁ ଗ୍ରାମବାସି ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେ କୈାଣସି ରୋଗ ହେଲେ କିମ୍ବା ଗର୍ଭବତି ମହିଳାଙ୍କୁ ଖଟିଆରେ ବୋହି ୮କିମି ପାଦରେ ଚାଲି ଚାଲି ମୁଖ୍ୟ ରାସ୍ତାକୁ ଅଣା ଯାଇଥାଏ ।

ଗାଁରେ ରାସ୍ତା ଅଭାବରୁ ଏଠିକାର ଲୋକେ ଇଟା,ବାଲି ସିମେଣ୍ଟ ଆଣି ନପାରି ପ୍ରଧାନମନ୍ତ୍ରୀ ଆବାସ ସବୁ ନିର୍ମାଣ କରି ପାରୁନାହାନ୍ତି । ରାସ୍ତା ନଥିବାରୁ ପାଦରେ ଚାଲି ଚାଲି ୧୫କିମି ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତକୁ ଯିବାକୁ ପଡିଥାଏ । ସ୍କୁଲ ନଥିବାରୁ ଗାଁ ପିଲା ପାଠ ପଢିନପାରି ବେକାର ହୋଇ ଗାଇ ଚରାଇ ବୁଲୁଛନ୍ତି । କିଛିପିଲା ଜଙ୍ଗଲ ରାସ୍ତାରେ ଚାଲିଚାଲି ଯୁବାଗାଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ।

ଅନ୍ୟତମ ସମସ୍ୟା ହେଉଛି ପିଇବା ପାଣି । ଗାଁରେ ନଳକୁଅ ନଥିବାରୁ ନାଳପାଣି ଉପରେ ଭରସା କରୁଛନ୍ତି ଏଠାକାର ଅଧିବାସି । ଅନେକ ସରକାରୀ ଯୋଜନା ଥିଲେ ବି ସବୁ ଅପହଞ୍ଚ ହୋଇପଡିଛି ଏଠାକାର ଅଧିବାସିଙ୍କ ପାଇଁ ? ରାସ୍ତା ନଥିବା କାରଣରୁ ସରକାରୀ କର୍ମଚାରୀ ମାନେ ଉକ୍ତ ଅଞ୍ଚଳର ଦୁଃଖସୁଖ ବୁଝିବା ପାଇଁ ଗାଁକୁ ଯିବାକୁ ଇଛା ପ୍ରକାଶ କରନ୍ତି ନାହିଁ ।

ଏହି ଗାଁରେ ସ୍ୱଚ୍ଛଭାରତ କାର‌୍ୟ୍ୟକ୍ରମ ସମ୍ପୁର୍ଣ୍ଣ ଫେଲ୍ । ଗାଁରେ ଗୋଟିଏ ହେଲେ ପାଇଖନା ନାହିଁ । ଗାଁର ଲୋକେ ବାହାରେ ମଳତ୍ୟାଗ କରି ଅନେକ ସଂକ୍ରାମକ ରୋଗରେ ପିଡିତ ହେଉଛନ୍ତି । ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଅନେକ ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି ।

ସେ ଗାଁ ପାଇଁ ବିଜୁଳି ଆଲୁଅ ସାତସପନ ? ଡିବିରି ଆଲୁଅ ହିଁ ସେମାନଙ୍କ ସାହାଭରସା । ଏମିତି ବିଭିନ୍ନ ସମସ୍ୟା ଦେଇ ଘାଣ୍ଟି ଚକଟି ହେଉଛନ୍ତି ତୁର୍କା ଗ୍ରାମବାସି । ଚଳିତ ବର୍ଷ ମୁଖ୍ୟରାସ୍ତା ଠାରୁ ଯୁବାଗାଁ ପର‌୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ହୋଇଛି ।

ଆଉ ୮କିମି ରାସ୍ତା ହୋଇଥିଲେ ଏହି ଗାଁର ଭାଗ୍ୟ ବଦଳି ଯାଇଥାନ୍ତା । କିନ୍ତୁ ଏହି ରାସ୍ତା ହୋଇ ପାରିଲା ନାହିଁ । ଗାଁ ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମ ପଞ୍ଚାୟତ କାର‌୍ୟ୍ୟାଳୟ ଠାରୁ ଜିଲ୍ଲାପାଳ କାର‌୍ୟ୍ୟାଳୟ ପର‌୍ୟ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି ହେଲେ କୈାଣସି ଅଧିକାରୀ ସେମାନଙ୍କ ଦୁଃଖ ବୁଝୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେଣୁ ଏହା ଆଦିବାସୀ ପଲ୍ଲୀ ଉପରେ ପ୍ରଶାସନର ଶୁଭ ଦୃଷ୍ଟି ପଡୁ ବୋଲି ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top