Tuesday, 10 Sep, 9.11 pm ଓଡ଼ିଶା ସମାଚାର

ବିଶେଷ
ହରିଶ୍ଚନ୍ଦ୍ର ଯୋଜନା ଚାଲୁ ରଖିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଗରଦପୁର ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ସଭା ଗୃହରେ ଆଜି ଜିଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୨୧୬ଗୋଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥି ମଧ୍ୟରୁ ୨୦ଗୋଟି ଅଭିଯୋଗ ସାମୁହିକ ହୋଇଥିବାବେଳେ, ୧୯୬ ଗୋଟି ଅଭିଯୋଗ ବ୍ୟକ୍ତଗତ ଅଭିଯୋଗ କରାଯାଇଥିଲା । ଅଭିଯୋଗଗୁଡିକ ମଧ୍ୟରୁ ଅଧିକାଂଶ ଆବାସ ଯୋଜନାରେ ଗୃହ ଯୋଗାଣ,ସ୍ୱାସ୍ଥ୍ୟ ସେବା ପାଇଁ ସହାୟତା ଓ କୃଷି ସମ୍ପର୍କିତ ହୋଇଥିବାର ଜଣାଯାଇଛି । କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନୀତୀ ଶେଖର ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଗରଦପୁର ବ୍ଳକ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମରେ ଗତ ଏପ୍ରିଲ ମାସରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଘର ପୋଡି ଘଟଣାରେ ବିପନ୍ନଙ୍କର ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହେବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବାବେଳେ,ପ୍ରଶାସନ ପକ୍ଷରୁ କେବଳ ବିପନ୍ନ ପରିବାରକୁ ପଲିଥିନ ଯୋଗାଣ କରାଯାଇଛି । ଆଜି ପର‌୍ୟ୍ୟନ୍ତ ଆବାସ ଯୋଜନାରେ ଗୃହ ଯୋଗାଣ କରାଯାଇ ନ ଥିବାରୁ ବିପନ୍ନଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ଗୃହ ଯୋଗାଣ କରାଯିବା ପାଇଁ ବିପନ୍ନଙ୍କ ପରିବାର ମୂଖ୍ୟ ଏସ.କେ.ବାବୁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ସେହିପରି ଜିଲାପାଳଙ୍କ ଜନଶୁଣାଣୀ ଶିବିରରେ ଶ୍ରୀଜଗନ୍ନାଥ ସଂକିର୍ତନ ମହାସଂଘର ସଭାପତି ନବଘନ ନାୟକ, ସମ୍ପାଦକ ନିଶାମଣୀ ନନ୍ଦି, ଉପ-ସଭାପତି ଯୁଧିଷ୍ଠିର ଦାସ ଓ ଅନ୍ୟତମ ଉପ-ସଭାପତି ବୈକୁଣ୍ଠ ଚରଣ ନାୟକଙ୍କ ନେତୃତ୍ୱରେ ୩୦ କଳାକାର ଜିଲାପାଳଙ୍କୁ ସାକ୍ଷାତ କରି କେନ୍ଦ୍ରାପଡା ଜିଲାରେ ଯୋଗ୍ୟ ବିବେଚିତ ହୋଇ ଜିଲାର ଅପେକ୍ଷାରତ ଥିବା ୧୨ କଳାକାରମାନଙ୍କୁ କଳାକାର ଭତା ମଞ୍ଜୁର କରିବା ପାଇଁ ଦାବି ଜଣାଇଥିଲେ । ଏ ସମ୍ପର୍କରେ ପୂର୍ବରୁ ସଂସ୍କୃତି ସଚିବଙ୍କ ସହିତ ଜିଲାପାଳ କଥା ହୋଇଥିବା ପ୍ରକାଶ କରିଛନ୍ତି । ବାମରା ଗ୍ରାମର କୃପାସିନ୍ଧୁ ପଲାଇ (୪୦)ଶାରୀରିକ ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଆର୍ଥିକ ସହାୟତା ପାଇଁ ଜନ ଶୁଣାଣୀରେ ନିବେଦନ କରିଥିଲେ ।

ପାଟକୁରା ପଂଚାୟତର ଇନତାଲପୁର ଗ୍ରାମରେ ଗତ ମାସ ୨୯ ତାରିଖରେ ନୂଆ ପୋଖରୀକୁ ବ୍ଲକ ପ୍ରଶାସନଙ୍କ ପକ୍ଷରୁ ନିଲାମ କରାଯାଇଥିଲା । ଗ୍ରାମର ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାଛ ଚାଷ କରିବା ପାଇଁ ପୋଖରୀ ନିଲାମ ନେଇଥିଲେ । ମାତ୍ର ନିଲାମର ୩ ଦିନ ପରେ ଏହି ନିଲାମକୁ ବାତିଲ କରାଯାଇଥିବା ସମ୍ପର୍କରେ ସମ୍ପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମହିଳାମାନେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ପହଣା ଗ୍ରାମର ସ୍ୱାଗତିକା ଦାସଙ୍କର ରହିବା ପାଇଁ ଘର ଖଣ୍ଡିଏ ନ ଥିବାରୁ ଆବାସ ଯୋଜନାରେ ତାଙ୍କୁ ସାମିଲ କରିବା ପାଇଁ ଜନ ଶୁଣାଣୀରେ ଆବେଦନ କରିଥିଲେ ।

ବାମରା ଗ୍ରାମର ସନାତନ ମଲ୍ଲିକ ସଡକ ଦୁର୍ଘଟଣାରେ ଗୋଡ ଭାଙ୍ଗି ଯାଇଥିବାରୁ ସନତ ଆର୍ଥିକ ଦୂରାବସ୍ଥା ମଧ୍ୟରେ ରହିଥିବାରୁ ଚିକିତ୍ସା ପାଇଁ ଅର୍ଥ ପ୍ରମୁଖ ବାଧକ ସାଜିଥିବାରୁ ତାଙ୍କର ଚିକିତ୍ସା ନିମନ୍ତେ ଅର୍ଥ ସାହାଯ୍ୟ ପାଇଁ ଆବେଦନ କରିଥିଲେ । ଜିଲାପାଳ ଏହାର ଶୁଣାଣୀ କରି ସନାତନଙ୍କୁ ୩୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଅରଖକୁଦ ଗ୍ରାମର ଗୁଲୁରୀ ମଳିକ(୫୦)ହୃଦ ଆଘାତରେ ଶିକାର ହୋଇ ଅପରେସନ ହୋଇଛନ୍ତି,ମାତ୍ର ଅଧିକ ଚିକିତ୍ସା ପାଇଁ ଅର୍ଥର ଅଭାବ ରହିଥିବାରୁ ଜିଲାପାଳଙ୍କ ଜନ ଶୁଣାଣୀରେ ଗୁହାରୀ କରିଥିଲେ । ଜିଲାପାଳ ଗୁଲୁରୀର ଚିକିତ୍ସା ପାଇଁ ୫ ହଜାର ଟଙ୍କର ଆର୍ଥିତ ସହାୟତା ପ୍ରଦାନ କରିଥିଲେ ।

ପାଟକୁରା ପଂଚାୟତର ଜଗନ୍ନାଥପୁର ଗ୍ରାମର ଦମୟନ୍ତି ବାରିକ ଙ୍କର ଦ୍ୱ÷ତ ପରିବାରଥିଲା । ମାତ୍ର ତାଙ୍କ ପରିବାର ପୃଥକ୍ ହୋଇଯାଇଥିବାରୁ ତାଙ୍କ ପରିବାରକୁ ବିଦ୍ୟୁତ୍ ସଂଯୋଗ ହୋଇ ପାରୁ ନାହିଁ , ଫଳରେ ଦମୟନ୍ତିଙ୍କ ପରିବାରକୁ ନୂତନ ବିଦ୍ୟୁତ୍ ସଂଯୋଗ କରାଯିବା ପାଇଁ ଜିଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରିଥିଲେ । ଭାରିଗୋଳ -ପୋତାମନବଧପୁର ଗ୍ରାମର ଗ୍ରାମ୍ୟ ରାସ୍ତା ବର୍ଷାରେ ଶୋଚନୀୟ ହୋଇପଡିଛି । ପ୍ରଶାସନଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇ ନ ଥିବାରୁ ଗ୍ରାମର ୯/୧୦ଜଣ ଲୋକମାନେ ମାନସ ମଳିକଙ୍କ ନେତୃତ୍ୱରେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।

ରାୟସର ଗ୍ରାମର ପଂଚାନନ ନାୟକଙ୍କ ଜମିଜମା ସଂକ୍ରାନ୍ତରେ ପାଇଥିବା ପଟ୍ଟାରେ ଜମିର ପରିମାଣ କମିଯାଇଥିବାରୁ ସେହି ତୃଟିକୁ ସୁଧାରିବା ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ରୁଦ୍ର ନାରାୟଣ ସାହୁଙ୍କର(୧୩) ୭୦ ଭାଗ ଶାରିର ଦିବ୍ୟାଙ୍ଗ ହୋଇଥିବାବେଳେ,ତାଙ୍କୁ ସରକାରଙ୍କ ପକ୍ଷରୁ ଭତା ପ୍ରଦାନ କରାଯାଉଛି ,ମାତ୍ର ରହିବା ପାଇଁ ଘର ନ ଥିବାରୁ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯିବାପାଇଁ ଜିଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରିଥିଲେ । ଭାରିଗୋଳ-ବିଲ ମଳିକ ସାହିରେ ୪୦୦ ଲୋକମାନେ ବସବାସ କରୁଥିବାବେଳେ, ଏଠାରେ ସରକାରୀ ରାସ୍ତା ନ ଥିବାରୁ ଏଠାରେ ସ୍ଥାୟୀ ରାସ୍ତା ନିର୍ମାଣ କରାଯିବାରେ ସମସ୍ୟା ଦେଖାଯାଇଛି । ତେଣୁ ଗ୍ରାମର ଲୋକମାନେ ଏଠାରେ ରାସ୍ତା ନିର୍ମାଣ ପାଇଁ ଜିଲାପାଳଙ୍କୁ ଅଭିଯୋଗ କରିବା ପରେ ଜିଲାପାଳ ସମର୍ଥ ବର୍ମା ରାସ୍ତା ନିର୍ମାଣ କରାଯିବାପାଇଁ ପ୍ରତିଶୃତି ଦେଇଥିଲେ ।

ଗରଦପୁର ବ୍ଳକର ତିରିଣିଆ ଗ୍ରାମର ସୁବୋଧ ରାଉତଙ୍କ ପୁଅ ପ୍ରଶାନ୍ତ କୁମାର ରାଉତ(୬)ଶାରୀରିକ ଅକ୍ଷମତା ଯୋଗୁଁ କଥା କହି ପାରୁ ନାହିଁ । ପ୍ରଶାନ୍ତକୁ ଭିନ୍ନକ୍ଷମ ଯୋଜନାରେ ସାମିଲ କରାଯିବା ପାଇଁ ବାପା ସୁବୋଧ ଜିଲାପାଳଙ୍କ ଜନ ଶୁଣାଣୀରେ ଆବେଦନ କରିଥିଲେ । ଗରଦପୁର ଠାରେ ବନ ବିଭାଗ ପକ୍ଷରୁ ୩୦ ହଜାର ବିଭିନ୍ନ ପ୍ରକାରର ଚାରାଗଛ ଚାରା କେନ୍ଦ୍ରରେ ରହିଛି,ମାତ୍ର ବିଭାଗ ଅବହେଳା କାରଣରୁ ତାହା ଲଗାଯାଇ ପାରୁ ନ ଥିବା ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ଓ ସମାଜସେବୀ ଉଦୟନାଥ ଚୋଧୁରୀ ଜିଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରିଥିଲେ । ସେହିପରି ଗରଦପୁର ବ୍ଳକର ସମସ୍ତ ପଂଚାୟତରେ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ନ ଥିବାରୁ ପ୍ରାୟ ସମସ୍ତ ସରପଂଚମାନେ ସେମାନଙ୍କ ବ୍ୟକ୍ତଗତ ଅର୍ଥରୁ ମୃତକଙ୍କ ପରିବାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ,ଏହି ଯୋଜନାରେ ତୁରନ୍ତ ଅର୍ଥ ଯୋଗାଣ କରାଯିବା ପାଇଁ ବଙ୍ଗାଳପୁର ସରପଂଚ ରେଣୁକା ସାମଲ, ପଦ୍ମପୁର ସରପଂଚ ସ୍ୱର୍ଣ୍ଣଲତା ରାଉତ, ସାନଅଢଙ୍ଗା ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ, ତଳକୁସୁମା ସରପଂଚଞ୍ଚ ମମତା ନାୟକ ,କଳାବୁଦା ସରପଂଚଞ୍ଚ ପ୍ରକାଶ ସାହୁ, ପାଟକୁରା ସରପଂଚ ସୂର‌୍ୟ୍ୟମଣୀ ସେଠୀ ପ୍ରମୁଖ ସରପଂଚମାନେ ଜିଲାପଳଙ୍କୁ ଆବେଦନ କରିଥିଲେ ।

ଜିଲାପାଳ ଏହାର ଶୁଣାଣୀ କରି କହିଥିଲେ ଯେ,ପଂଚାୟତରେ ମହଜୁଦ ଥିବା ଅର୍ଥରୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ପାରିବେ । କାହାରିକୁ ଫେରାଇବେ ନାହିଁ ବୋଲି ଜିଲାପାଳ ସରପଂଚମାନଙ୍କୁ ପରାମର୍ଶ ଦେଇଥିଲେ । ଅରଖକୁଦ ଗ୍ରାମର ପ୍ରଭାତ ପାତ୍ର(୪୩)ମାନସିକ ରୋଗୀ । ତାଙ୍କର ୮ ବର୍ଷ ଧରି ଚିକିତ୍ସା କରାଯାଉଥିବାରୁ ଏବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ ।

ଭଗବାନପୁର ପଂଚାୟତର ଜୟପୁର ଗ୍ରାମର ଗୋପବନ୍ଧୁ ନାୟକ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଆବାସ ଯୋଜନାରେ ସାମିଲ କରାଯିବା ପାଇଁ ଆବେଦନ କରିଥିଲେ । କଳାବୁଦା ଗ୍ରାମର ରବିନ୍ଦ୍ର ବେହେରାଙ୍କ ଝିଅ ସନ୍ତୋଷିନୀ ବେହେରା(୧୨)ଙ୍କୁ ବାତ ମାରିବା ସହିତ ମସ୍ତିଷ୍କରେ ଆଘାତ ହୋଇଥିବାରୁ ସେ କଥା କହି ପାରୁ ନାହାଁନ୍ତି ।ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ ଏମଏସ୍ କୁ ଯିବା ପାଇଁ ପଡିବାରୁ ଅର୍ଥର ଅଭାବ ରହିଛି । ବାପା ରବିନ୍ଦ୍ର ଜିଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରିଥିଲେ । ଜିଲାପାଳ ଅଭିଯୋଗର ଶୁଣାଣୀ କରୀ ସନ୍ତୋଷିନୀଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିବା ସହିତ ବଂଚିଥିବା ପର‌୍ୟ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଜିଲାପାଳ ପ୍ରତିଶୃତି ଦେଇଥିଲେ ।

ଇନତାଲପୁର ଗ୍ରାମର ଭାରତୀ ଦାସଙ୍କ ସ୍ୱାମୀ ପାଗଳ ହୋଇ ଦୀର୍ଘ ୧୨ ବର୍ଷ ହେଲା ନିଖୋଜ ଅଛନ୍ତି । ତାଙ୍କର ଏକମାତ୍ର ପୁତ୍ର । ଭାରତୀଙ୍କର ଜମିଜାଗା ନ ଥିବାରୁ ସେ ଆବାସ ଯୋଜନାରେ ସାମିଲ ହୋଇ ପାରୁ ନାହାଁନ୍ତି । ତେଣୁ ଭାରତୀଙ୍କୁ ଭୂମିହୀନ ଯୋଜନାରେ ଏକ ଭୂମିଯୋଗାଇ ଦେବା ସହିତ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗଇ ଦେବା ପାଇର୍ ଜିଲାପାଳଙ୍କ ଠାରେ ଆବେଦନ କରିଥିଲେ ।

କୋରୁଆସ୍ଥିତ ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟରେ ଥିବା ଯୁକ୍ତ ତିନି ଶ୍ରେଣୀର ୭ଗୋଟି ବିଭାଗରେ ସମ୍ମାନ ଶ୍ରେଣୀ ଖୋଲାଯିବା ଓ ମହାବିଦ୍ୟାଳୟରେ ସିଟ୍ ସଂଖ୍ୟାବୃଦ୍ଧି କରାଯିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ବେଦବ୍ରତ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଜିଲାପାଳ ଏହାର ଶୁଣାଣୀ କରି ସମ୍ମାନ ଶ୍ରେଣୀ ଖୋଲିବା ପାଇଁ ପ୍ରତିଶୃତି ଦେଇଥିଲେ । ତେଣ୍ଡାକୁଡା ପଂଚାୟତର ରାଆଁଳ ଗ୍ରାମର ରାଧୁ ମଳିକଙ୍କର ଗତ ଲଗାଣ ବର୍ଷାରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଘର ଭଙ୍ଗା ସାହାଯ୍ୟ ପାଇଁ ରାଧୁ ଜିଲାପାଳଙ୍କୁ ଆାବେଦନ କରିଥିଲେ ।ଜିଲାପାଳ ଏହାର ଶୁଣାଣୀ କରି ରାଧୁଙ୍କୁ ଘର ନିର୍ମାଣ କରିବା ପାଇଁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ବରହମପୁର ଗ୍ରାମର ଜୟନ୍ତି ମଳିକଙ୍କୁ ପୋଲିଓ ହୋଇଥିବାରୁ ଶାରୀରିକ ବିକଳାଙ୍ଗ ହୋଇପଡିଛନ୍ତି ।

ତାଙ୍କ ପରିବାରକୁ ଚାଉଳ ଯୋଗଣ। କରାଯିବା ସହିତ ଆବାସ ଯୋଜନାରେ ସମାଇ କରାଯିବାପାଇଁ ଜିଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରିଛନ୍ତି । ପାଟକୁରା ପଂଚାୟତର ଜଗନ୍ନାଥପୁର ଗ୍ରାମର ଅହଲ୍ୟା ସାହୁଙ୍କ ଘର ଗତ ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଓ ଘରର କାନ୍ଥ ପଡିବାରୁ ତାଙ୍କର ଏକ ଗାଇ ମରିଯାଇଛି । ଆର୍ଥିକ ସହାୟତା ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।

ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା କୁଦା ନଗରୀ ପର‌୍ୟ୍ୟଟନ କ୍ଷେତ୍ରକୁ ଦେଇଥିବା ଆର୍ଥିକ ଅନୁଦାନର ସଠିକ୍ ବିନିଯୋଗ କରାଯାଇ ଏହାର ଭିତିିଭୂମି ସୁଦୃଢ କରିବା ପାଇଁ ଜିଲାପାଳଙ୍କ ଠାରେ ଦାବି କରିଛନ୍ତି । ଜିଲାପାଳ ସମର୍ଥ ବର୍ମା ଅଭିଯୋଗ ଶୁଣାଣୀ ପୂର୍ବରୁ ଗରଦପୁର ବ୍ଳକ କାର‌୍ୟ୍ୟାଳୟ ପରିସରକୁ ବୁଲି ଦେଖିଥିଲେ । ବ୍ଲକ କ୍ୟାମ୍ପସ୍ ମଧ୍ୟରେ କିପରି ସୁଦୃଢ ଭିତିିଭୂମି କରାଯାଇ ପାରିବ ସେଥିପ୍ରତି ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଗରଦପୁର ବିଡିଓ ଧରଣୀଧର ବେହେରା ଓ ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀଙ୍କୁ କହିବା ସହିତ ବ୍ଲକ ପରିସରକୁ ସରସ ,ସୁନ୍ଦର ରଖିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ । ଏହି ଜିଲାପାଳଙ୍କ ମିଳିତ ଜନ ଶୁଣାଣୀରେ ଗରଦପୁର ବିଡିଓ ଧରଣୀଧର ବେହେରା, ଆସିଷ୍ଟାଂଟ କଲେକ୍ଟର ଭରତ ଚନ୍ଦ୍ର ପରିଡା, ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ ,ବ୍ଳକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ, ପାଟକୁରା ମେଡିକାଲର ଭାରପ୍ରାପ୍ତ ଅଧିକାରୀ ହିମାଂଶୁ ଭୂଷଣ ଷଢଙ୍ଗି, ପାଟକୁରା ଜଳ-ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସନ୍ଦିପ୍ କୁମାର, ଗ୍ରାମ୍ୟ ଉନ୍ନୟନ ବିଭାଗର ଇଂ. ସୁଶାନ୍ତ କୁମାର ସନ୍ଦି ବିଗ୍ରହ, ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ, ଯୋଗାଣ ଅଧିକାରୀ ପ୍ରଦୀପ୍ କୁମାର ଭଟ୍ଟ, ସାମାଜିକ କଲ୍ୟାଣ ଅଧିକାରୀ ଖଗେଶ୍ୱର ସେଠୀ, ଏବଂ ଜିଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାେନେ ଏଡି ଶିବିରରେ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top