Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜଗତସିଂହପୁର ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ପାଳିତ

ଜଗତସିଂହପୁର ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ପାଳିତ

ଗତସିଂହପୁର, ୩୧/୦୮/୨୦୨୬ (ଓଡ଼ିଶା ସମାଚାର)-ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ଠାରେ ଜଗତସିଂହପୁର ପୌର ପରିଷଦ ଆନୁକୂଲ୍ୟ ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ବିଧାୟକ, କୋରେଇ ଶ୍ରୀଯୁକ୍ତ ଆକାଶ ଦାସନାୟକ କହିଲେ ଯେ ୨୦୦୧ ରୁ ଆରମ୍ଭ ହୋଇଥିବା ଜଗତସିଂହପୁର ପୌର ପରିଷଦ ଆଜି ୨୫ ବର୍ଷ ରେ ପଦାର୍ପଣ କରିଛି।

ଦୀର୍ଘ ବର୍ଷ ଧରି ପୌର ପରିଷଦ ଜନସାଧାରଣ ଙ୍କୁ ସେବା ଯୋଗାଇ ଆସୁଛି। ତେଣୁ ସମସ୍ତଙ୍କ ର ମିଳିତ ସହଯୋଗ ରେ ସରକାର ଙ୍କ ଜନ କଲ୍ୟାଣ ଯୋଜନା ଦ୍ବାରା ଜଗତସିଂହପୁର ଏକ ଆଦର୍ଶ ପୌରପରିଷଦ ରେ ପରିଣତ ହୋଇ ପାରିବ ବୋଲି ସେ ଦୃଢୋକ୍ତି ବାଢ଼ିଥିଲେ। ପରିମଳ ବ୍ୟବସ୍ଥା କୁ ଅଗ୍ରାଧିକାର ଦିଆଯିବା ସହ ସ୍ବଚ୍ଛତା ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଅଭ୍ୟାସ ଓ ଚୟନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଭୌଗୋଳିକ ଦୃଷ୍ଟି କୋଣରୁ ଜଗତସିଂହପୁର ଜିଲ୍ଲା ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଓ ଆଗାମୀ ଦିନରେ ଏହା କେବଲ ଓଡିଶାରେ ନୁହେଁ ବରଂ ସମଗ୍ର ଭାରତ ବର୍ଷ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ତଥା ଅଧ୍ୟକ୍ଷ, ଜିଲ୍ଲା ଯୋଜନା କମିଟି, ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଯେ, ସ୍ଵାୟତ୍ତ ଶାସନ ର ଅର୍ଥ ହେଉଛି ଲୋକମାନଙ୍କ ଦ୍ୱାରା ପ୍ରତ୍ୟେକ୍ଷ ନିର୍ବାଚିତ ପ୍ରତିନିଧି ବିନା କୌଣସି ବାହ୍ୟ ଚାପରେ ଲୋକଙ୍କ ହିତ ପାଇଁ କାମ କରିବା।ସେ ଆଗାମୀ ଦିନରେ ଆଇନଗତ ସ୍ୱଚ୍ଛ ଓ ପରିମଳ ଜଗତସିଂହପୁର ଗଠନ ଦିଗରେ ସମସ୍ତଙ୍କ ସହଭାଗିତା କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଯୋଗଦେଇ ସ୍ୱଚ୍ଛ ମାନସିକତା ହିଁ ସ୍ୱଚ୍ଛ ସମାଜ ଗଠନ ରେ ସହାୟକ ବୋଲି କହିଥିଲେ।ପୌରାଞ୍ଚଳର ପରିବେଶକୁ ସୁସ୍ଥ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ସରକାର ଙ୍କ ଆବାସ ଯୋଜନା, ଗରିମା ଯୋଜନା, ସୁଜଳ ଯୋଜନା ଆଦି ସହର ବାସୀ ଙ୍କ ହିତରେ କାମ କରୁଛି ବୋଲି କହିଥିଲେ।ସଭାରେ ଅଧ୍ୟକ୍ଷତା କରି ପୌରଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଜଗତସିଂହପୁର ପୌର ପରିଷଦ ର ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ବିଷୟ ରେ କହିଥିଲେ । ଆଗକୁ ସରକାର ଙ୍କ ର ବିଭିନ୍ନ ଯୋଜନା କୁ କାର୍ଯ୍ୟକାରୀ କରି ନୂତନ ପ୍ରୋଜେକ୍ଟ ମାଧ୍ୟମ ରେ ଏକ ସ୍ମାର୍ଟ ପୌରାଞ୍ଚଳ ଗଠନ ଓ ବିକାଶର ଶୀର୍ଷ ରେ ପହଞ୍ଚାଇବା ନିମନ୍ତେ ଉଦ୍ୟମ କରିବାକୁ ସେ ସମସ୍ତ ପୌର ବାସୀ ଙ୍କ ସହଯୋଗ କାମନା କରିଥିଲେ ।

ପୌର ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ସିଂହ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ବର୍ତ୍ତମାନର ସମସ୍ତ ପାରିଷଦ ମାନଙ୍କୁ ଅତିଥି ବୃନ୍ଦ ଏବଂ ପୌରାଧ୍ୟକ୍ଷା ସମ୍ମାନିତ କରିଥିଲେ । ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୌର ପରିଷଦର ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଓ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ତର୍କ ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥି ବର୍ଗ ପୁରସ୍କୃତ କରିଥିଲେ । ଶେଷରେ ପୌର ପରିଷଦ, ଜଗତସିଂହପୁର ର ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଓଲିଉଡ ର ସ୍ୱନାମଧନ୍ୟ ଗାୟିକା ଅସୀମା ପଣ୍ଡା ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଆଜି ପ୍ରାତଃ ୪ଘ ୩୦ ମି ସମୟ ରେ ଜଗତସିଂହପୁର ପୌର ପରିଷଦ ପକ୍ଷରୁ ପୌରାଞ୍ଚଳ ରେ ରାମ ଧୂନ୍ ପରିବେଷଣ କରାଯାଇଥିଲା। ଏଥିସହିତ ପୌରାଞ୍ଚଳ ରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୌର ଅଧ୍ୟକ୍ଷା , ଉପାଧ୍ଯକ୍ଷ, ନିର୍ବାହୀ ଅଧିକାରୀ ଏଵଂ ପାରିଷଦ ଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ଦିବା ୮ .୧୫ ମି ସମୟରେ ପୌରପରିଷଦ ପରିସରରେ ଅଧ୍ୟକ୍ଷାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା ଓ ପରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ଯମନ୍ତ୍ରୀ ଙ୍କ ବାର୍ତ୍ତା ର ସିଧା ପ୍ରସାରଣ କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ, ପୌର ଅଧ୍ଯକ୍ଷା , ଉପାଧ୍ଯକ୍ଷ , ସମସ୍ତ ପାରିଷଦ ବୃନ୍ଦ, ପୌର କର୍ମଚାରୀ, ଦେଖିଥିଲେ ।

ଏହି ଦିବସ ଉପଲକ୍ଷେ ତର୍ତଙ୍ଗ ସ୍ଥିତ ବୃଦ୍ଧାଶ୍ରମ ରେ ଉତ୍ତରୀୟ ଓ ଫଳ ବଣ୍ଟନ, ଏବଂ ଶିଶୁ ଆଶ୍ରମ ଓ ସ୍ଵତନ୍ତ୍ର ଆଶ୍ରା ଅନ୍ତେବାସୀ ଙ୍କୁ ଖାତା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥି ସହିତ ବିଭିନ୍ନ ୱାର୍ଡରେ ବୃକ୍ଷରୋପଣ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ ,ପାରିଷଦ ମାନଙ୍କ ମଧ୍ୟରେ ଚେସ, କ୍ୟାରମ୍, ମ୍ୟୁଜିକ ଚେୟାର , ଅନ୍ତାକ୍ଷରି ସହ ବଡାଖାନା ଆଦି ଆୟୋଜିତ ହୋଇଥିଲା। ଏହି ସଭାରେ ପୌର ପରିଷଦ ର ସମସ୍ତ ପାରିଷଦ ବର୍ଗ, ସହର ର ବୁଦ୍ଧିଜୀବୀ, ଆଇନଜୀବୀ, ବିଦ୍ୟାଳୟ ମହାବଦ୍ୟାଳୟ ର ଛାତ୍ର ଛାତ୍ରୀ, ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପୌର ପରିଷଦର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar