Monday, 11 Nov, 9.12 pm ଓଡ଼ିଶା ସମାଚାର

ବିଶେଷ
ଜିବୀତ ମହିଳାଙ୍କୁ ମୃତ ଦର୍ଶାଇ ୫ ମାସ ହେଲା ରାସନ ଦିଆଯାଉନଥିବା ଗୁରୁତର ଅଭିଯୋଗ

ଗରଦପୁର ବ୍ଲକରେ ଜିଲାପାଳଙ୍କ ଜନ ଶୁଣାଣୀ ଶିବିର , ୨୭୫ ଅଭିଯୋଗ ଉପରେ ଶୁଣାଣୀ -
ଗରଦପୁର ୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଳକର ସମ୍ମିଳନୀ କକ୍ଷରେ ଆଜି କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ମିଳିତ ଜନ ଶୁଣାଣୀ ଶିବିରରେ ଅଧ୍ୟକ୍ଷତା କରି ସାଧାରଣ ଲୋକମାନଙ୍କର ମୋଟ ୨୭୫ ଅଭିଯୋଗ ଉପରେ ଜନ ଶୁଣାଣୀ କରିଥିଲେ । ଏହି ଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପୁଲିସ ଆରକ୍ଷୀ ଅଧିକ୍ଷକ ନିତୀ ଶେଖର,ଜିଲା ମୂଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଉର୍ମିଳା ମିଶ୍ର, ଜିଲା ପ୍ରକଳ୍ପ ନିର୍ଦ୍ଧେଶକ ଦିଲ୍ଲୀପ ପରିଡା,ଗରଦପୁର ବ୍ଳକର ବିଡ଼ିଓ ଧରଣୀଧର ବେହେରା, ଅଧ୍ୟକ୍ଷା ସ୍ୱର୍ଣ୍ଣ ପ୍ରଭା ସେଠୀ, ତହସିଲଦାର ଉମାକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଶିବିର ଶୁଣାଣୀରେ ଜିଲାପାଳଙ୍କୁ ସହଯୋଗ କରିଥିଲେ ।

ମୋଟ୨୭୫ ଅଭିଯୋଗ ମଧ୍ୟରୁ ୨୦ଗୋଟି ଅଭିଯୋଗ ସାମୁହିକ ଅଭିଯୋଗ ରହିଥିବାବେଳେ,୨୦୫ଗୋଟି ବ୍ୟକ୍ତିଗତ ଅଭିଯୋଗ ଉପରେ ଶୁଣାଣୀ କରାଯାଇଥିଲା । ଏହି ଶିବରରେ ମୂଖ୍ୟତଃ ଆବାସ ଯୋଜନାରେ ଘର ପାଇବା, ତହସିଲରେ ଜମିଜମା ରେକର୍ଡପତ୍ର ମ୍ୟୁଟେସନ କରାଇବା,ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆଦି ସମ୍ପର୍କରେ ଅଭିଯୋଗ କରାଯାଇଥିଲା । ଆଜି ଶିବିରରେ ଜିଲାପାଳ ଶ୍ରୀ ବର୍ମା ୧୯ ଜଣଙ୍କୁ ସ୍ୱାସ୍ଥ୍ୟଗତ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ମୋଟ ୪୪ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଶିବିରରେ ଅଣ୍ଢାଳୋ ଗ୍ରାମର ପ୍ରମୋଦ ଦ୍ୱିବେଦୀ ୨୦୧୩ ମସିହାରୁ ଗରଦପୁର ତହସିଲର ନିଜ ଜମିର ମ୍ୟୁଟେସନ ପାଇଁ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫଇସଲା କରାଯାଇ ନ ଥିବାରୁ ଏ ସମ୍ପର୍କରେ ସେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ଦଳିତପରିବାର ଜେନା ସାହିରେ ଜିଲାପରିଷଦ ପାଣ୍ଠିରୁ ଏକ ଗଭୀର ନଳକୂପ ସ୍ଥାପନା କରାଯିବା ପାଇଁ ଗତ ଦେଢ ବର୍ଷ ତଳେ ମଞ୍ଜୁର କରାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଖନନ କରାଯାଇ ନ ଥିବାରୁ ଜିଲାପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ସବଳସିଂପୁର ଗ୍ରାମର ଧରଣୀଧର ବେଉରା ଜଣେ ହୃଦ୍ ରୋଗୀ ହୋଇଥିବାରୁ ସେ ଆର୍ଥିକ ସହାୟତା ପାଇଁ ଜିଲାପାଳଙ୍କ ଠାରେ ଗୁହାରୀ କରିଥିଲେ ।ସେହିପରି ଡିମିରିଆ ଗ୍ରାମର ମଧୁସ୍ମିତା ପ୍ରଧାନ,ଜଗନ୍ନାଥପୁରର ଭିନ୍ନକ୍ଷମ ଦିବ୍ୟାନୀ ବାରିକ୍ ସରକାରୀ ସହାୟତା ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ପର୍ଯ୍ୟଟନ କ୍ଷେତ୍ର ଗଦାଧର ପୀଠର ସାମୁହିକ ବିକାଶ କରାଯିବା ପାଇଁ ଜିଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ଗୋଲକ ବିହାରୀ ସାହୁ, ଉମାକାନ୍ତ ଜେନା ପ୍ରମୁଖ ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
କୋଡପଲ୍ଲା ଗ୍ରାମର ଅବସରପ୍ରାପ୍ତ ସୈନିକ ପ୍ରତାପ ପ୍ରଧାନ ନଇନ୍ଦିପୁର ଠାରେ ଆରଏମସି ପକ୍ଷରୁ ନିର୍ମିତ ହୋଇଥିବା ଦୋକାନ ଗୃହ ମଧ୍ୟରୁ ଗୋଟିଏ ଗୃହ ପାଇବା ପାଇଁ ଏକ ବର୍ଷ ହେଲା ଆବେଦନ କରିଥିଲେ ସୁଦ୍ଧା ତାହା ସ୍ଥିରୀକୃତ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ପାଟକୁରା ଗ୍ରାମର ଗରିବ ପରିବାରର ଶେଖ୍ ବୁଦ୍ଧୁ ଏକ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।

ସେହିପରି ହୁରାସାହି ଗ୍ରାମର ରଶ୍ମିତା ସାହୁ,ବାସୁଦେଇପୁର ଗ୍ରାମର ବୈଷ୍ଣବ ଚରୀଣ ସ୍ୱାଇଁ ଆବାସ ଯୋଜନାରେ ଏକ ପକ୍କାଘର ପାଇବା ପାଇଁ ଜିଲାପାଳଙ୍କ ଶିବିରରେ ଆବେଦନ କରିଥିଲେ । ଗତ ମଇଁ ମାସରେ ଘଟିଥିବା 'ଫନି' ବାତ୍ୟାରେ ଗରଦପୁର ତହସିଲ ତରଫରୁ କରାଯାଇଥିବା ଘରଭଙ୍ଗା ଆକଳନ ସଠିକ୍ ଭାବରେ କରାଯାଇ ନ ଥିବାର ଗରଦପୁର ଗ୍ରାମର ପବିତ୍ର ପାଣି ଶିବିରରେ ଅଭିଯୋଗ କରିଥିଲେ । ନୂଆପଡା ଗ୍ରାମର ହେମଲତା ବେହେରା ତାଙ୍କ ରେସନ୍ କାର୍ଡରେ ନିଜ ୫ ବର୍ଷର ନାତିଙ୍କର ନାମ ନ ଥିବାରୁ ସେ ରେସନ୍ ସାମଗ୍ରୀରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ନଡିଆବରାଇ ଗ୍ରାମର ଶେଷଦେବ ପରିଜା ସ୍ୱଛଭାରତ ଅଭିଯାନ କ୍ରମରେ ପଂଚାୟତକୁ ସମ୍ପୂର୍ଣ୍ଣ ଭାବରେ ବାହ୍ୟମଳମୁକ୍ତ କରିବା ପାଇଁ ବିଞ୍ଝାରପୁର ସରପଂଚ ଯେଉଁପରି ଭାବରେ ୧୫ ଜଣଙ୍କୁ ରେସନ୍ କିଛି ଦିନ ପାଇଁ ବନ୍ଦ କରିଥିଲେ,ସେହି କଥାକୁ ଆପଣେଇବାପାଇଁ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜଗନ୍ନାଥପୁର ଗ୍ରାମର ଭିନ୍ନକ୍ଷମ ଛଇଳ ସ୍ୱାଇଁ ଅନ୍ତୋଦ୍ୱୟ ଅନ୍ନ ଯୋଜନାରେ ସାମିଲ ହେବା ପାଇଁ ଆପତିି ଜଣାଇଥିଲେ । ଗରଦପୁର ବ୍ଲକର ସଦର ମହକୁମାରେ ଥିବା ପର୍ଯ୍ୟପ୍ତ ସରକାରୀ ଜମିରେ ମାର୍କେଟ କମ୍ପ୍ଲେକ୍ସ୍ ନିର୍ମାଣ,ହର୍ବାଲ ଗାର୍ଡେନ୍ ,ଗୋ-ଶାଳା ଓ ଶିଶୁ ଉଦ୍ୟାନ ନିର୍ମାଣ କରାଯିବା ପାଇଁ ସମାଜସେବୀ ଅରୁଣ କୁମାର ପଣ୍ଡା ଜିଲାପାଳ ଶ୍ରୀ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାନଅଢଙ୍ଗା ଗ୍ରାମର ଉମାକାନ୍ତ ଦାସ କାଳିଆ ଯୋଜନାରୁ ବଂଚିିତ ହୋଇଥିବା ଅଭିଯୋଗ କରିଥିଲେ ।
ଜଗଦ୍ଧଳପୁର ଗ୍ରାମର ଭିନ୍ନକ୍ଷମ ସୋନାଲୀ ନାୟକ ସରକାରୀ ସହାୟତା ପାଇବା ପାଇଁ ଆପତିି କରିଥିଲେ । ବଙ୍ଗାରୀ ଗ୍ରାମର ଶରତ ସ୍ୱାଇଁ ଅଭିଯୋଗ କରିଥିଲେ ଯେ,ତାଙ୍କ ଜିମକୁ ଅନ୍ୟ ଜଣେ ଲୋକ ଜବରଦଖଲ କରି ଘର ନିର୍ମାଣ କରିଥିବାର ସେ ଅଭିଯୋଗ କରିଥିଲେ ।

ନଡିଆବରାଇ ଗ୍ରାମର ରାଜନ ହେମନ୍ତ ସାହୁ ଭିନ୍ନକ୍ଷମ ହୋଇଥିବାରୁ ଅନ୍ତୋଦ୍ୱୟ ଅନ୍ନ ଯୋଜନାରେ ସମାଇ ହେବା ପାଇଁ ଆପତିି କରିଥିଲେ । ପରକଣା ଗ୍ରାମର ଧନେଶ୍ୱର ବେହେରା ଭୂମି ହୀନ ଓ ଗଗନ ବେହେରା ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଶିବିରରେ ଆପତି କରିଥିଲେ । ଭଗବାନପୁର ଗ୍ରାମର ବାପି ମଲ୍ଲିକ୍ ଗତ 'ଫନି' ବାତ୍ୟାରେ ଗଛ ଭାଙ୍ଗି ପଡିବାର ସେ ଦୂର୍ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ଅଛନ୍ତି ,ତାଙ୍କର ଅଂଟା,ଗୋଡ,ଛାତିର ପଞ୍ଜରା ହାଡ ଭାଙ୍ଗି ପଡିଥିବାରୁ ସେ ଅକର୍ମଣ୍ୟ ଅବସ୍ଥାରେ ରହିଛନ୍ତି । ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଗ୍ରାମର ଲୋକମାନେ ବାପି ମଲ୍ଲିକଙ୍କୁ ସାଙ୍ଗରେ ଶିବିରକୁ ଆଣି ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।

ଗୋବଣ୍ଡିଆ ଗ୍ରାମ ଠାକୁରାଣୀଙ୍କ ନିକଟରେ ଏକ ଗଭୀର ନଳକୂପ ଖନନ କରାଯିବା ପାଇଁ ଗ୍ରାମର ଶକ୍ତିଧର ମୁଦୁଲି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ପାଟକୁରା-ଇନ୍ତାଲପୁର ୪କି.ମି ମୂଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଥିଲେ ମଧ୍ୟ ବାହାକୁଦ ଗ୍ରାମର ଠାରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପାଇଁ ସେଠାରେ ମାତ୍ର୫୦ ଫୁଟ୍ ର ରାସ୍ତା ନିର୍ମାଣ କରାଯାଇ ପାରୁ ନାହିଁ । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସରପ ସୂର୍ଯ୍ୟମଣୀ ସେଠୀ,ଜିଲା ପରିଷଦ ସଦସ୍ୟା ଶ୍ରୀମତା ଲେଙ୍କାଙ୍କ ନେତୃତ୍ୱରେ ଚକବାହାକୁଦ ଗ୍ରାମର ବାସିନ୍ଦାମାନେ ଜିଲାପାଳ ଶ୍ରୀ ବର୍ମାଙ୍କୁ ଅବଗତ କରାଇଥିଲେ । ବେରୁହାଁ ଗ୍ରାମର ଅକ୍ଷୟ କୁମାର ଦାସ ଏକ ଗାଈ ରୁଣ ପାଇବା ପାଇଁ ଜିଲାପାଳଙ୍କୁ ଗୁହାରୀ କରିଥିଲେ ।

ବାସୁଦେଇପୁର ଗ୍ରାମର ସଂଗ୍ରାମ ନାୟକ ଜଣେ କୃଷକ । ତାଙ୍କର କୃଷକ ପରିଚୟ ପତ୍ର କାର୍ଡ ରହିଥିଲେ ମଧ୍ୟ କାଳିଆ ଯୋଜନାରେ ଅର୍ଥ ମିଳି ନ ଥିବାରୁ ସେ ଶିବିରରେ କ୍ଷୋଭ ପ୍ରକାଶ କରିଥିଲେ । ହରିଦାସପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ପୁଷ୍ପଲତା ମହାନ୍ତି ସରକାରୀ ଚିକିତ୍ସା ସହାୟତା ପାଇବା ପାଇଁ ଶିବିରରେ ଆପତି କରିଥିଲେ । କୁର୍ସିଦା ଗ୍ରାମର ପ୍ରତିମା ବେହେରା ଏବେ ଜିବୀତ ରହିଥିବାବେଳେ, ତାଙ୍କୁ ଗତ୫ ମାସ ହେଲା ମୃତ ତାଲିକାରେ ବାଦ୍ କରାଯାଇ ରେସନ୍ ସାମଗ୍ରୀ ଦିଆଯାଉ ନ ଥିବାର ପ୍ରତିମା ଶିବିରରେ ଅଭିଯୋଗ କରିଥିଲେ ।

ଫଳରେ ଜିଲାପାଳ ଶ୍ରୀ ବର୍ମା କେନ୍ଦ୍ରାପଡା ଜିଲା ଯୋଗାଣ ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଗଜିପୁର ଗ୍ରାମର ନିରଞ୍ଜନ ନାୟକଙ୍କର ଖଞ୍ଜାଏ ଚାଳ ଛପର ଘର ଗତ 'ଫନି' ବାତ୍ୟଶରେ ଭାଙ୍ଗି ଯାଇଥିଲା । କିନ୍ତୁ ତାଙ୍କ ପରିବାରକୁ ଘର ଭଙ୍ଗା ସହାୟତା ମିଳି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଶଙ୍କରଭୋଳ ଗ୍ରାମର ମା' ସାତ ଭଉଣୀ ସ୍ୱୟଂ ସହାୟୀକା ଗୋଷ୍ଠୀ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ଏହି ଯେ,୨୦୦୮ ମସିହାରେ ଗୋଷ୍ଠୀକୁ ୪ଲକ୍ଷ୫୦ ହଜାର ଟଙ୍କାର ଋଣ ମିଳିଥିଲା ।

ଗୋଷ୍ଠୀର ସମ୍ପାଦିକା ରୁଣ ଉଠାଣ କରିଥିଲେ, ପରେ ବ୍ୟାଙ୍କରେ୧ଲକ୍ଷ୭୦ ହଜାର ଟଙ୍କା ପରିଷୋଧ କରିଥିଲେ ମଧ୍ୟ ଅବଶିଷ୍ଟ ଅର୍ଥ ଓ କାଗଜପତ୍ରର ହିସାବ କିତାବ ଗୋଷ୍ଠୀକୁ ନ ଦେଇ ଅର୍ଥ ଅନିୟମିତା କରିଥିବା ଗୋଷ୍ଠୀର ସଦସ୍ୟାମାନେ ସଭାପତି କୁଞ୍ଜଲତା ରାଉତ ଓ ଅନ୍ୟମାନେ ଆସି ଜିଲାପାଳଙ୍କୁଅଭିଯୋଗ କରିଥିଲେ । ଜିଲାପାଳ ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ପାଟକୁରା ଥାନା ଅଧିକାରୀ ସୁଜିତ୍ ପ୍ରଧାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ରାଏସର ଗ୍ରାମର ଜୟନ୍ତୀ ଖୁଂଟିଆ ଜଣେ ଅଙ୍ଗନୱାଡି କର୍ମୀ ଭାବରେ କାର୍ଯ୍ୟରତ । କିନ୍ତୁ ସେ ସରକାରଙ୍କ ଅନ୍ତୋଦୟ ଅନ୍ନ ଯୋଜନାରେ ସାମିଲ ହୋଇଥିବାରୁ ୱାର୍ଡସଭ୍ୟ ରଞ୍ଜିତ ଜେନା ଅଭିଯୋଗ କରିଥିଲେ ।

କଳାବୁଦା ଗ୍ରାମର କବିତା ମହାପାତ୍ର ନିଜ ଦେହ ଅସୁସ୍ଥତା ପାଇଁ ସରକାରୀ ଆର୍ଥିକ ସହାୟତା ପାଇବା ପାଇଁ ଜଣାଇଥିଲେ । ପଳସୁଧା ଗ୍ରାମର ରବୁଲ ଖାଁ ଙ୍କ ଘର ଉପରେ ଏଲ.ଟି ଲାଇନ୍ ଟଣା ଯାଇଛି,ବିପଦ ପୂର୍ଣ୍ଣ ଭାବରେ ରହିଥିବା ଏହି ଏଲଟି ଲାଇନ୍କୁ ହଟାଇବା ପାଇଁ ସେ ବାରମ୍ବାରଅଭିଯୋଗ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ କିଛି ଫଳ ମିଳୁ ନ ଥିବାର ସେ ଅଭିଯୋଗ କରିଥିଲେ । କୁର୍ସିଦା ଗ୍ରାମର ଖବର ଚକର ଉଦ୍ବୃତ ଜଳ ନିଷ୍କାସନ କରାଯିବା ପାଇଁ ଏକ ପାଟନାଳି ନିର୍ମାଣ କରାଯିବାକୁ ଜିଲଶପରିଷଦ ସଦସ୍ୟ ଶ୍ରୀ ଜେନାଙ୍କ ସମେତ ପବିତ୍ର ବରାଳ,ପ୍ରଶାନ୍ତ ବେହେରା,ବାନାମ୍ବର ମନ୍ଥନ,ପ୍ରଦୀପ୍ ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ । ଧସନାପରି ଗ୍ରାମରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାପାଇଁ ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ,ରଞ୍ଜିତ କୁମାର ଆଚାର୍ଯ୍ୟ,ଅମିୟ ସାହୁ,ସରୋଜ ମିଶ୍ର.ଧନୁ ସାହୁ ପ୍ରମୁଖ ଦାବି କରିଥିଲେ । ଗରଦପୁର ଠାରୁ କେନ୍ଦ୍ରାପଡାକୁ ଦୈନନ୍ଦିନ ବସ୍ ସେବା ଯୋଗାଇ ଦେବାକୁ ନବାବ ପଣ୍ଡା ଦାବି କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ପ୍ରକାଶ କୁମାର ସାହୁ,ଅନୁଜ କୁମାର ମହାନ୍ତି,ସ୍ୱର୍ଣ୍ଣଲତା ରାଉତ,ମମତା ନାୟକ,ଅରୁଣ କୁମାର ନାୟକ , ସମସ୍ତ ଜିଲା, ବ୍ଲକ୍ ଓ ଲାଇନ୍ ଡିପାଟମେଂଟ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top