Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେନ୍ଦ୍ରାପଡା ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

କେନ୍ଦ୍ରାପଡା ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

କେନ୍ଦ୍ରାପଡ଼ା,୩୧/୦୮/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟ ଶାସନ ଦିବସ ପାଳିତ ହୋଇଯାଇଛି । ଉଦୟନଗରସ୍ଥିତ ଜିଲା ସଂସ୍କୃତିଭବନରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ରାଜ୍ୟର ପ୍ରଥମ ପୌରପାଳିକା କେନ୍ଦ୍ରାପଡ଼ାକୁ ଏକ ଆଦର୍ଶ ପୌରପାଳିକା ଭାବେ ଗଢିତୋଳିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ପୌରପାଳିକା ଉପାଧ୍ୟକ୍ଷା ଆକବରୀ ଖାତୁନ, ପୌରପାଳିକା ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରାଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ଥିଲେ । ସ୍ୱାୟତ ଶାସନର ଜନକ ଲର୍ଡÿ ରିପନଙ୍କ ଦୂରଦୁଷ୍ଟି ଏବଂ ତୃଣମୂଳ ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣର ଆଧାର ହେଉଛି ସ୍ୱାୟତ ଶାସନ ବ୍ୟବସ୍ଥା ବୋଲି ଜିଲା ପରିଷଦ ସଭାନେତ୍ରୀ ସୁଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଡ୍ରେନେଜ ସମସ୍ୟାର ସମାଧାନ ଓ ପୌରପାଳିକା ଜନସାଧାରଣଙ୍କୁ ମୂଲ୍ୟବୋଧଭିତିକ ସେବା ପ୍ରଦାନ କରିବାକୁ ଜିଲା ପରିଷଦ ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ ।

ପୌରନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ନୂତନ ପୌର କାର୍ଯ୍ୟାଳୟ ପାଇଁ ମଞ୍ଜୁର ହୋଇଥିବା ୭କୋଟି ୯୬ଲକ୍ଷ ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ପୁରୁଣା ବସଷ୍ଟାଣ୍ଡରେ ୮୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଫେଜ-୧ ଓ ଫେଜ-୨ ମାର୍କେଟ କମ୍ପ୍ଲେକ୍ସ ଏବଂ ୭ନମ୍ବର ୱାର୍ଡର ଗୌଡଗୋପରେ ୮୨.୯୧ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ପୌରସଂସ୍ଥା ପ୍ରଶାସନିକ ସଂପ୍ରସାରଣ ଗୃହ, ବିକ୍ରୟ କାଉଂଟର ଏବଂ ଖତ ଟ୍ରିଟମେଂଟ ପ୍ଲାନ୍ଟକୁ ଉଦଘାଟନ କରିଥିଲେ ।

ଏହାବ୍ୟତିତ ୬୫.୪୩ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଗୋପବନ୍ଧୁ ପାଠାଗାରାର ଉପର ମହଲା ନିର୍ମାଣ, ୫୦ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନୂଆ ବସଷ୍ଟାଣ୍ଡରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ଉର୍ଦ୍ଧୁ ପାଠାଗାର ଗୃହର ଉପର ମହଲାରେ ୬୫.୨୭ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ବହୁମୁଖୀ ସଂସ୍କୃତି ହଲ ନିର୍ମାଣ,୨କୋଟି ୫୮ଲକ୍ଷ ୮୮ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ୨୧ନମ୍ବର ୱାର୍ଡର ଉଦୟନଗର ଠାରେ ଥିବା ପୁରୁଣା କଲ୍ୟାଣ ମଣ୍ଡପର ନବୀକରଣ ଓ ବହୁମୂଖୀ ହଲ ନିର୍ମାଣ, ଏକକୋଟି ୪୯ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ତିନିମୁହାଣି ଠାରୁ ନୂଆ ବସଷ୍ଟାଣ୍ଡ ଆଡକୁ ଥିବା ମୁଖ୍ୟ ରାସ୍ତାର ଉନ୍ନତିକରଣ, ୫୨ଲକ୍ଷ ୧୮ହଜାର ଟଙ୍କାରେ ତୁଳସୀ ମହାବିଦ୍ୟାଳୟର ଦୁଇଟି ଶ୍ରେଣୀକକ୍ଷର ନିର୍ମାଣ, ୫୦ଲକ୍ଷ ୩୫ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ୫ନମ୍ବର ୱାର୍ଡରେ ଶ୍ରୀବଳଦେବଜୀଉ ପାଠାଗାର ଗୃହ ନିର୍ମାଣ ପ୍ରଭୃତି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ମଧ୍ୟ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ କରିଥିଲେ ।

ଏହି ଉତ୍ସବରେ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ସ୍ତମ୍ଭକାର ଶ୍ରୀରାମ ଦାଶ, ସାମ୍ବାଦିକ ଅକ୍ଷୟ କୁମାର ପତି ଓ ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସ ଓ କବି ଡ. ବିରଜା ପ୍ରସାଦ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଭାବଗ୍ରାହୀ କଳାନିକେତନର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇ ଥିଲା । ଏହି ବୈଠକରେ ବୁଦ୍ଧିଜୀବୀ, ସାଧାରଣ ଜନତା, ସ୍ୱଚ୍ଛସାଥି, ମହିଳା ସଙ୍ଗଠନର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପାଧ୍ୟକ୍ଷା ଆକବରୀ ଖାତୁନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରତିମା ବାରିକ ମଂଚ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଶୋକ ସାହୁ,ମିଲୀ ବେହେରା, ଜ୍ୟୋତିରଞ୍ଜନ ରାଉତ, ଅଭୟ କୁମାର ଦାସ, ଶୁଚିସ୍ମିତା ଜେନା, ଶ୍ରୀଦେବୀ ପରିଡା, ମୋନାଲି ସାହୁ, ମଧୁସ୍ମିତା ଷଡଙ୍ଗୀ, ମଧୁସ୍ମିତା ଧଳ ପ୍ରମୁଖ ପୌର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ପୌରପାଳିକା ପକ୍ଷରୁ ସକାଳେ ରାମଧୂନ, ପ୍ରଭାତଫେରୀ, ପତାକା ଉତୋଳନ, ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଂଟନ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar