Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରାପଡ଼ାର ବନ୍ୟା ଦୁର୍ଗତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରାପଡ଼ାର ବନ୍ୟା ଦୁର୍ଗତ

ଭୁବନେଶ୍ୱର,୦୮/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗତକାଲି ସଚିବାଳୟରେ କେନ୍ଦ୍ରାପଡ଼ା ଜିଲ୍ଳାର ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବ୍ଲକର ବନ୍ୟା ଦୁର୍ଗତ ଅଂଚଳବାସୀଙ୍କର ଏକ ପ୍ରତିନିଧି ବରିଷ୍ଠ ବିଜେପି ନେତ୍ରୀ ସୁଜାତା ବାରିକ୍ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବନ୍ୟା ଦୁର୍ଗତଙ୍କ ଦୁରାବସ୍ଥା ସମ୍ପର୍କରେ ଅବଗତ କରିଛନ୍ତି ।

କେନ୍ଦ୍ରାପଡ଼ାର ବନ୍ୟା ପରିସ୍ଥିତିର ଭୟାବହତା ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ଜିଲାର ବନ୍ୟା ଦୁର୍ଗତଙ୍କୁ ସବୁ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଆଯି ବୋଲି ଏହି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ (୧) କେନ୍ଦ୍ରାପଡ଼ା ଜିଲାର ଏହିସବୁ କ୍ଷତିଗ୍ରସ୍ତ ଅଂଚଳକୁ ବନ୍ୟାଂଚଳ ଘୋଷଣା କରିବା (୨) ଉଜୁଡି ଯାଇଥିବା ଧାନ ଓ ପନିପରିବା ଫସଲ ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ କ୍ଷତିଗ୍ରସ୍ତ ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରତିନିଧି ଦଳ ଦାବି କରିଥିଲେ (୩) କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ଼ କରିବା ସହିତ ଆଗାମୀ ରବି ଋତୁ ପାଇଁ ବିନା ସୁଧରେ କୃଷି ଋଣ ଯୋଗାଇଦେବା ଓ ମାଗଣାରେ ପନିପରିବା ମଞ୍ଜି, ସାର ଓ କୀଟନାଶକ ଯୋଗାଇ ଦେବାକୁ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ (୪) କ୍ଷତିଗ୍ରସ୍ତ ହୋଇଥିବା କୂଅ, ପୋଖରୀ, ନଳକୂଅର ପୁନରୁଦ୍ଧାର କରିବା ସହିତ ଉଠା ଜଳସେଚନ ପଏନ୍ଟଗୁଡ଼ିକୁ ଯୁଦ୍ଧକାଳୀନ ଭିତିିରେ ମରାମତି କରିବା ଓ ସର୍ବନିମ୍ନ ଏକ ବର୍ଷ ପାଇଁ କୃଷି କ୍ଷେତ୍ରରେ ବ୍ୟବହୃତ ଉଠା ଜଳସେଚନ ପାଇଁ ପଏନ୍ଟର ବିଜୁଳି ବିଲ୍ ଛାଡ଼ କରିବା (୫) ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଆଗାମୀ ବର୍ଷ ଅମଳ ଋତୁ ପର୍ଯ୍ୟନ୍ତ ମୁଣ୍ଡପିଛା ଦିନକୁ ୧କେଜି ଚାଉଳ ଓ ନାବାଳକଙ୍କ ପାଇଁ ଅଧକେଜି ଚାଉଳ ପ୍ରଦାନ କରିବା ସହିତ କ୍ଷତିଗ୍ରସ୍ତ ପରବାରକୁ ମାସିକ ୨ ହଜାର ଟଙ୍କା ସୁରକ୍ଷା ଭତା ପ୍ରଦାନ କରିବାକୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।

ସବୁ ଚାଷବାସ ଓ ସ୍କୁଲ୍ ଘର କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ସ୍କୁଲ୍ କଲେଜ ପିଲାଙ୍କୁ ବହିପତ୍ର ଓ ସ୍କୁଲ୍ କଲେଜ ୟୁନିଫର୍ମ ଯୋଗାଇ ଦେବାକୁ ଦାବି କରାଯାଇଛି । ପ୍ରତିବର୍ଷ ବ୍ରାହ୍ମଣୀ, ଖରସୁଆଁ ଓ କାଣିନଦୀର ବନ୍ୟାରେ କେନ୍ଦ୍ରାପଡ଼ାର ଏହି ଅଂଚଳ ଓ ଲୁଣା, ଚିତ୍ରୋତ୍ପଳା ନଦୀର ବନ୍ୟାରେ ପାଟକୁରା, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର କ୍ଷତିଗ୍ରସ୍ତ ହେଉଥିବା ଯୋଗୁଁ ବନ୍ୟାର ସ୍ଥାୟୀ ପ୍ରତିକାର କରିବା ପାଇଁ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଥିଲେ ।

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ରାପଡ଼ା ଏକ ଦାଦନ ପ୍ରବଣ ଜିଲା ହୋଇଥିବା ଯୋଗୁଁ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ନ ହେଲେ ବିକଳ୍ପ ଜୀବିକା ଅନ୍ୱେଷଣରେ ଏହି ଜିଲାର ଯୁବକମାନେ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଚାଲିଯିବାର ଆଶଙ୍କା ଅଛି ବୋଲି ଦାବି କରି ଏହି ପ୍ରତିନିଧି ଦଳ ସରକାର ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବରିଷ୍ଠ ବିଜେପି ନେତ୍ରୀ ସୁଜାତା ବାରିକଙ୍କ ନେତୃତ୍ୱରେ ସର୍ବଶ୍ରୀ ସହଦେବ ସିଂହ, ସୁବାଷ ପାତ୍ର, ସନ୍ତୋଷ ସ୍ୱାଇଁ, ସୁଶାନ୍ତ ଦାସ, ଅଶୋକ ସେଠୀ ଓ ତୁଷାର ସାହୁ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ମାରକପତ୍ରଟିକୁ ଗ୍ରହଣ କରି ବନ୍ୟା କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ବାସୀଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବା ସହିତ ଜୀବନ ଜୀବିକାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar