Monday, 16 Sep, 8.10 pm ଓଡ଼ିଶା ସମାଚାର

ବିଶେଷ
ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ମଜୁରୀ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୧୬/୦୯/୨୦୧୯(ଓଡ଼ିଶା ସମାଚାର)-ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘର କେନ୍ଦ୍ରାପଡା ଶାଖା ପକ୍ଷରୁ ପଂଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଦୈନିକ ମଜୁରୀ ପ୍ରଦାନ ନିମନ୍ତେ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଙ୍ଘର କେନ୍ଦ୍ରାପଡା ଜିଲ୍ଲାର ୨୪୯ଟି ପଂଚାୟତରେ ଥିବା ପିଅନ,ଝାଡୁଦାର ଓ ରାତ୍ର ଜଗୁଆଳମାନେ ସରକାରଙ୍କର ବିଭିନ୍ନ ଯୋଜନା ସମେତ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତା ବଂଟନ,ଚିଠିପତ୍ର ବଂଟନ ସହ ସାଧାରଣ ଏବଂ ପଂଚାୟତ ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ଜିଲ୍ଲାର ସବୁ ପଂଚାୟତର ନିର୍ବାହୀ ଅଧିକାରୀ ଓ ଜି.ଆର.ଏସ.ମାନଙ୍କୁ ପ୍ରତ୍ୟେହ କାର୍ଯ୍ୟଦିବସରେ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଜନସାଧାରଣଙ୍କ ସୁବିଧା,ଅସୁବିଧା ବୁଝିବା ସହିତ ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବ୍ୟବସ୍ଥା କରିବାକୁ ସରକାରୀ ନିର୍ଦେଶନାମା ଜାରିହୋଇଛି । ଏହା ଫଳରେ ପଂଚାୟତର ସରପଂଚ ଓ ନିର୍ବାହୀ ଅଧିକାରୀମାନେ ପଂଚାୟତର ପିଅନ,ଝାଡୁଦାର ଓ ରାତ୍ର ଜଗୁଆଳମାନଙ୍କୁ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ବାଧ୍ୟ କରୁଛନ୍ତି । ଦୀର୍ଘଦିନ ଧରି ପଂଚାୟତର ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାର୍ଯ୍ୟ କରିଆସୁଥିବା ବେଳେ ପଂଚାୟତର ଆଭ୍ୟନ୍ତରୀଣ ଆୟରୁ ଏମାନଙ୍କୁ ଦରମା ପ୍ରଦାନର ବ୍ୟବସ୍ଥା ରହିଥିବାରୁ କେତେକ ପଂଚାୟତରେ ୧୦୦,୨୦୦ ଓ ୫୦୦ଟଙ୍କା ମାସିକ ଦରମା ପ୍ରଦାନ କରାଯାଉଥିବା ବେଳେ ଅନ୍ୟ କେତେକ ପଂଚାୟତରେ ନିଜସ୍ୱ ଆୟପନ୍ଥା ନଥିବାରୁ ସେହି ପଂଚାୟତର ଏହି କର୍ମଚାରୀଙ୍କୁ ଦରମା ମିଳେନାହିଁ ବୋଲି ସଙ୍ଘ ଅଭିଯୋଗ କରିଛି । ବର୍ତମାନର ନିଅଂଟିଆ ବଜାରରେ ଏଭଳି ସ୍ୱଳ୍ପ ବେତନରେ ବା ବିନା ଦରମାରେ ପରିବାର ଚଳାଇବା ବହୁ କଷ୍ଟକର ଓ ଦୁଃଖଦାୟକ ହୋଇପଡୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପଂଚାୟତର ସେହି ପିଅନ,ଝାଡୁଦାର ଓ ରାତ୍ର ଜଗୁଆଳମାନଙ୍କୁ ଅନୁ୍ୟନ ସରକାରଙ୍କ ଦୈନିକ ମଜୁରୀ ପ୍ରଦାନର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି । ଓଡିଶା ଗ୍ରାମପଂଚାୟତ କର୍ମଚାରୀ ସଙ୍ଘ(ଚତୁର୍ଥ ଶ୍ରେଣୀ)ର କେନ୍ଦ୍ରାପଡା ଶାଖା ସଭାପତି ଅନିଲ ଚନ୍ଦ୍ର ଲେଙ୍କା, ସମ୍ପାଦକ ଧ୍ରୁବ ଚରଣ ସାମଲ, ବିଜୟ କୁମାର ସେଠୀ, ପ୍ରଦୀପ୍ତ କୁମାର ବାରିକ, ଅରବିନ୍ଦ ବାରିକ, ଅଭୟ କୁମାର ବାରିକ, ଜଗନ୍ନାଥ ବେହେରା, ରଞ୍ଜିତ କୁମାର ବେହେରା, ଅଙ୍କୁର ବେହେରା, ସୁକାନ୍ତ ନାୟକ, ସଞ୍ଜୟ ସେଠୀ, ସୁବାଷ ଚନ୍ଦ୍ର ବେହେରା, ଅରକ୍ଷିତ ମାହୁନ୍ତ, ପ୍ରମୋଦ କୁମାର ଓଝା, ନରେଶ କୁମାର ବେହେରା, ବୀରବର ନାୟକ, ନିରଞ୍ଜନ ଦାସ, ଭୀମସେନ ସାହୁ ପ୍ରମୁଖ ଶତାଧିକ କର୍ମଚାରୀ ଜିଲ୍ଲାପାଳ, ଜିଲ୍ଲା ପଂଚାୟତ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top