ରୋଟାରିଆନ୍ ନରେନ୍ଦ୍ର କୁମାର ମିଶ୍ରଙ୍କ ୭୯ତମ ସ୍ୱନକ୍ଷତ୍ର ଦିବସ
ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)- ଓଡ଼ିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଶନିବାର ପୂର୍ବାହ୍ନରେ ବିଶିଷ୍ଟ ପ୍ରଶାସକ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ରୋଟାରିଆନ୍ ନରେନ୍ଦ୍ର କୁମାର ମିଶ୍ରଙ୍କ ୭୯ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଏକ ସାଧୁସନ୍ଥ ମିଳନ ମହୋତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ ଯୋଗଦେଇ ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ ସାଧୁସନ୍ଥମାନଙ୍କ ଆଶୀର୍ବାଦରେ ସମାଜର ମଙ୍ଗଳ ହେବା ସହ ବ୍ୟକ୍ତିର କଲ୍ୟାଣ ହୋଇଥାଏ ।
ଆଜକୁ ୨୫୦୦ ବର୍ଷ ତଳେ ବିଭିନ୍ନ କ୍ଷେତ୍ରରେ ସମାଜକୁ ସୁରକ୍ଷା ଦେବା ପାଇଁ ଆଦି ଶଙ୍କରାଚାର୍ଯ୍ୟ ଦଶନାମୀ ସାଧୁ ସମ୍ପ୍ର୍ରଦାୟର ବ୍ୟବସ୍ଥା କରିଥିଲେ । ଉଦାହରଣ ସ୍ୱରୂପ ପର୍ବତର ସୁରକ୍ଷା ପାଇଁ ପର୍ବତ ସଂଜ୍ଞାଧାରୀ ସନ୍ନ୍ୟାସୀ ପର୍ବତର ସୁରକ୍ଷା କରୁଥିଲେ । ସେହିଭଳି ତୀର୍ଥକ୍ଷେତ୍ରର ସୁରକ୍ଷା ଦାୟିତ୍ୱରେ ତୀର୍ଥ ସଂଜ୍ଞାଧାରୀ ସନ୍ନ୍ୟାସୀମାନେ ଥିଲେ । ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବିଦ୍ୱାନ ପଣ୍ଡିତ ଡ.
ନିରଞ୍ଜନ ବ୍ରହ୍ମା କହିଲେ ଯେ ସ୍ୱନକ୍ଷତ୍ରର ପୌରାଣିକ ବ୍ୟବସ୍ଥା ରହିଛି । ଏହାର ବିଧି ବିଧାନକୁ ଆଧୁନିକ ସମାଜ ଭୁଲିଯିବା ଦ୍ୱାରା ସମାଜର କ୍ଷତି ହେବା ସହ ବ୍ୟକ୍ତିର ମଧ୍ୟ କ୍ଷତି ହେଉଛି । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସନ୍ଥ ବାବା ଅଭିରାମ ସରସ୍ୱତୀ, ବାବା ବାଳକାନନ୍ଦ ଦାସ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ଭୁବନେଶ୍ୱର ବୁଦ୍ଧ ମନ୍ଦିରର ବୌଦ୍ଧଭିକ୍ଷୁ ପ୍ରମୁଖ ନରେନ୍ଦ୍ର ବାବୁଙ୍କୁ ଆଶୀର୍ବାଦ କରି କହିଲେ ଯେ ଜୀବନକାଳ ମଧ୍ୟରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଓ କୈଳାସ ମାନସରୋବର ଦର୍ଶନ କେବଳ ଭାଗ୍ୟବାନ ମଣିଷଙ୍କୁ ହିଁ ମିଳିଥାଏ । ନରେନ୍ଦ୍ର ବାବୁ ଜଣେ ଭାଗ୍ୟବାନ ମଣିଷ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ପୂର୍ବତନ ଡିଜି ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ ବରିଷ୍ଠ ପ୍ରଶାସକ ମଦନମୋହନ ପଣ୍ଡା, ମହାବୋଧି ସୋସାଇଟିର ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର, ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ଡ. ବେଦବତୀ ମହାନ୍ତି ପ୍ରମୁଖ କାର୍ଯକ୍ରମରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ବେଦପାଠ କରିଥିବା ବେଳେ ବରିଷ୍ଠ ପ୍ରଶାସିକା ନନ୍ଦିତା ମିଶ୍ର ସ୍ୱାଗତ ଭାଷଣ ଓ ବରିଷ୍ଠ ରେଳବାଇ ପ୍ରଶାସକ ଜ୍ୟୋତିପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପ୍ରଫେସର କନକମଞ୍ଜରୀ ମିଶ୍ର କୃତଜ୍ଞତା ଜ୍ଞାପନ କରିଥିଲେ । ଓଡ଼ିଶା ସମାଚାର

