କେନ୍ଦ୍ରାପଡ଼ା, ୨୨/୧୧/୨୦୨୬ (ଓଡ଼ିଶା ସମାଚାର)- ଶିକ୍ଷାଦାନ ଭଳି ଏକ ପବିତ୍ର ବୃତି ସହ ସୃଜନଶୀଳ ସାହିତ୍ୟ ଓ ସଙ୍ଗୀତ ସାଧନାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲାର ବିଶିଷ୍ଟ ପ୍ରତିଭା ମନୋରଞ୍ଜନ ଦାଶ । ପେଶାରେ ଜଣେ ଆଦର୍ଶ ଶିକ୍ଷକ ହୋଇଥିବା ବେଳେ ନିଶା ତାଙ୍କର କବିତା ରଚନା, ସଂଗୀତ ସୃଷ୍ଟି ଏବଂ ଶିଶୁ ନାଟକ ମଂଚସ୍ଥ କରିବା ।
ଶ୍ରେଣୀଗୃହରେ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବା ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଚେତନାର ବିକାଶ ଦିଗରେ ତାଙ୍କର ନିରନ୍ତର ପ୍ରୟାସ ତାଙ୍କୁ ସମଗ୍ର ଅଂଚଳରେ ଏକ ସ୍ୱତନ୍ତ୍ର ତଥା ଅନନ୍ୟ ପରିଚୟ ପ୍ରଦାନ କରିଛି ।
କେନ୍ଦ୍ରାପଡ଼ା ଜିଲା ଯଦୁପୁର ଅନ୍ତର୍ଗତ ଗୋପୀନାଥପୁରଶାସନର ସ୍ୱର୍ଗତ ରତ୍ନାକର ଦାଶ ଓ ମାତା ଶାନ୍ତିଲତା ଦେବୀଙ୍କ ସୁପୁତ୍ର ମନୋରଞ୍ଜନ ବାଲ୍ୟକାଳରୁ ହିଁ ସାରସ୍ୱତ ସାଧନା ପ୍ରତି ଆକୃଷ୍ଟ ହୋଇଥିଲେ । ବୃତିିଗତ ଜୀବନରେ ଶିକ୍ଷକତା କରୁଥିଲେ ମଧ୍ୟ ତାଙ୍କର ଅନ୍ତରର କବି ଓ ଗୀତିକାର ସଦା ସର୍ବଦା ଜାଗ୍ରତ ରହିଛି । ବିଶେଷ କରି ଶିଶୁମାନଙ୍କ ମାନସିକ ବିକାଶ ପାଇଁ ସେ ଅନେକ ଶିକ୍ଷଣୀୟ ଶିଶୁ ନାଟକ ରଚନା କରି ଶିଶୁ ନାଟ୍ୟକାର ଭାବେ ବେଶ୍ ପ୍ରଶଂସା ସାଉଁଟିଛନ୍ତି । ସଙ୍ଗୀତ ଜଗତରେ ତାଙ୍କର ସୃଜନଶୀଳ ଅବଦାନ ଅତୁଳନୀୟ । ତାଙ୍କର ଭାବପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ଶବ୍ଦ ସଂଯୋଜନାରେ ରଚିତ ବହୁ ଗୀତ ବିଭିନ୍ନ ଡିଜିଟାଲ୍ ମାଧ୍ୟମ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ଶ୍ରୋତାମାନଙ୍କ ହୃଦୟ ଜିଣିପାରିଛି ।
ଓଡ଼ିଶାର ବହୁ ସୁନାମଧନ୍ୟ ତଥା ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି, ଶ୍ରୀଚରଣ, ଶୈଳଭାମା ମହାପାତ୍ର, ମାନସୀ ପାତ୍ର, ଗୋବିନ୍ଦଚନ୍ଦ୍ର, ସୁଧାକର ମିଶ୍ର, କରୁଣାକର, ଆଦ୍ୟାଶା ସାହୁ, ସୋନମ ଦାସ, ତପନ ପାଲ ଏବଂ ସୁଶୀଲ କୁମାରଙ୍କ ଭଳି ଶିଳ୍ପୀମାନେ ତାଙ୍କ ରଚିତ ଗୀତରେ କଣ୍ଠଦାନ କରି ସଙ୍ଗୀତପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଶିକ୍ଷାଦାନ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଏହି ଉତ୍ସର୍ଗୀକୃତ ସାଧନା ପାଇଁ ସେ ରାଜ୍ୟର ବିଭିନ୍ନ ଅଗ୍ରଣୀ ସାହିତ୍ୟ ସଂସଦ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ତନ୍ମଧ୍ୟରୁ "ଆଦର୍ଶ ଶିକ୍ଷକ ସମ୍ମାନ' ଓ "ବାବା ଗୋଷ୍ଠେଶ୍ୱର ସମ୍ମାନ' ସମେତ ବହୁ ପ୍ରତିଷ୍ଠିତ ପୁରସ୍କାର ଓ ସମ୍ବର୍ଦ୍ଧନା ତାଙ୍କର ସାରସ୍ୱତ ଜୀବନକୁ ଅଧିକ ସମୃଦ୍ଧ କରିଛି । ଅଂଚଳର ନବପିଢ଼ିଙ୍କ ପାଇଁ ସେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

