କେନ୍ଦ୍ରାପଡା ଜିଲାର ୧ଲକ୍ଷ ୭୦ହଜାରରୁ ଉଦ୍ଧ୍ୱର୍ ଚାଷୀଙ୍କୁ ୩୫କୋଟିରୁ ଅଧିକ ସହାୟତା କେନ୍ଦ୍ରାପଡ଼ା, ୦୪/୦୯/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟର ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସିଏମ୍ କିଷାନ ଯୋଜନାର ରବି ଋତୁ ପାଇଁ ୫ମ କିସ୍ତି ପ୍ରଦାନ କରାଯାଇଛି । ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକଙ୍କୁ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।
ଓୟୁଏଟିର କୃଷି ଶିକ୍ଷା ସଦନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ଯୋଜନାର ୫ମ କିସ୍ତି ପ୍ରଦାନ କରିଥିଲେ ।
ଏହି ଅବସରରେ କେନ୍ଦ୍ରାପଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ କଲ୍ୟାଣ ଓ କୃଷିର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ନେବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ । ଜିଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର. ଆୟର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯାମିନୀ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଭଞ୍ଜନ ମିଶ୍ର ଏବଂ ଉଦ୍ୟାନ କୃଷି ସହକାରୀ ନିର୍ଦେଶକ ଦେବଦାସ ଦତ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଅଧିକାରୀମାନେ କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, କୃଷି କ୍ଷେତ୍ରରେ ବିଭାଗୀୟ ପଦକ୍ଷେପ ଓ ସଫଳତା ସମ୍ପର୍କରେ ଅବଗତ କରାଇବା ସହ ଚାଷୀମାନେ ଏହାର ସୁବିଧା ନେଇ ନିଜ ଆୟ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡ଼ା ଜିଲାରେ ସିଏମ୍ କିଷାନ ଯୋଜନାର ୫ମ କିସ୍ତି ବାବଦରେ ୩୩୩ ଜଣ ଭୂମିହୀନ ଚାଷୀ ଏବଂ ୧,୭୦,୪୯୪ ଜଣ ଖୁଦ୍ର ଓ ନାମମାତ୍ର ଚାଷୀ, ମୋଟ ୧,୭୦,୮୨୭ ଜଣ ଚାଷୀଙ୍କୁ ୩୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ । ଯୋଜନା ଅନୁଯାୟୀ, ପ୍ରତ୍ୟେକ ଭୂମିହୀନ ଚାଷୀଙ୍କୁ ୫,୦୦୦ ଟଙ୍କା ଏବଂ ଖୁଦ୍ର ଓ ନାମମାତ୍ର ଚାଷୀଙ୍କୁ୨,୦୦୦ ଟଙ୍କା ଲେଖାଏଁ ଆର୍ଥôକ ସହାୟତା ପ୍ରଦାନ କରାଯାଇଛି । ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲାର ୯ଟି ବ୍ଲକରୁ ୧୭୦ ଜଣ ଚାଷୀଙ୍କ ସମେତ ବିଭାଗୀୟ କର୍ମଚାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ପ୍ରମୁଖ ଯୋଗଦେଇଥିଲେ ।

