କେନ୍ଦ୍ରାପଡା, ୧୧/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ଆଜି ସ୍ପଷ୍ଟ ଦିବାଲୋକରେ ଜନୈକ ବାଇକଆରୋହୀଙ୍କ ଠାରୁ ୪.୮ ଲକ୍ଷଟଙ୍କା ଲୁଟ ହୋଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସହରର ତିନିମୁହାଣିସ୍ଥିତ ଅଙ୍କୁର ଚରଣ ଦାଶଙ୍କ ପୁଅ ରାଜେନ୍ଦ୍ର କୁମାର ଦାଶ ବୁଧବାର ଅପରାହ୍ନ ପ୍ରାୟ ଗୋଟାଏ ୨୦ମିନିଟ ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ କଲେଜରୋଡ ଶାଖାରୁ କାମସାରି ଟଙ୍କାଥିବା ବ୍ୟାଗଟିକୁ ଓଡି-୨୯ଇ ୦୦୩୯ବୁଲେଟ ଗାଡିରେ ଟାଙ୍ଗିଥିଲେ । ଏହି ସମୟରେ ରାଜେନ୍ଦ୍ର ମୋବାଇଲରେ କଥା ହେଉଥିବା ବେଳେ ଏକ କଳାରଙ୍ଗର ପଲସର ବାଇକରେ ବସିଥିବା ଲୋକଟି ତାଙ୍କୁ ଏକ ଠିକଣା ପଚାରିବା ସମୟରେ ଅନ୍ୟଜଣେ ଯୁବକ ରାଜେନ୍ଦ୍ରଙ୍କ ବୁଲେଟ ହାଣ୍ଡେଲରେ ଟଙ୍ଗା ହୋଇଥିବା ଟଙ୍କା ବ୍ୟାଗଟିକୁ ହଠାତ ନେଇଯାଇ ସେହି କଳାରଙ୍ଗର ପଲସର ବାଇକରେ ପଳାଇଗଲା ।
ସେହି ବ୍ୟାଗ ଭିତରେ ୪ଲକ୍ଷ ୮୦ହଜାର ଟଙ୍କା ଥିଲା ଓ ସେ ସେହି ଟଙ୍କାକୁ ଡିସିବି ବ୍ୟାଙ୍କରେ ଜମା କରିଥାନ୍ତେ ବୋଲି ରାଜେନ୍ଦ୍ର ଅଭିଯୋଗ କରିଛନ୍ତି । ରାଜେନ୍ଦ୍ର ଲୁଟେରାର ପିଛା କରିଥିଲେବି ତାକୁ ଧରିପାରିନଥିବା କହିଛନ୍ତି । ସଦର ଥାନା ପୋଲିସ ସେହି ଅଭିଯୋଗ ଉପରେ ଏକ ଲୁଟମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି । ଓଡ଼ିଶା ସମାଚାର
