Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଗାମୀ ୪-୫ ଦିନରେ ଆହୁରି ଆଗକୁ ବଢ଼ିବ ମୌସୁମୀ

ଆଗାମୀ ୪-୫ ଦିନରେ ଆହୁରି ଆଗକୁ ବଢ଼ିବ ମୌସୁମୀ

ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର ଆହୁରି କିଛି ଅଞ୍ଚଳ, ଲକ୍ଷଦ୍ୱୀପ ଦ୍ୱୀପପୁଞ୍ଜ, କେରଳ ଏବଂ ତାମିଳନାଡୁର କିଛି ଅଂଶକୁ ଅଗ୍ରସର ହେବାର ସମ୍ଭାବନା ରହିଛି।

ସେହିପରି ଦକ୍ଷିଣ-ପଶ୍ଚିମ, ପଶ୍ଚିମ-ମଧ୍ୟ, ପୂର୍ବ-ମଧ୍ୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରର ଆହୁରି କିଛି ଅଞ୍ଚଳ ସହିତ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଅବଶିଷ୍ଟ ଅଞ୍ଚଳକୁ ମଧ୍ୟ ମୌସୁମୀ ବାୟୁ ବ୍ୟାପିବାର ଆଶା ।

ଆଇଏମଡିର ସୂଚନା ଅନୁସାରେ, ଜୁନ୍ ଠାରୁ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ସମୟରେ ରାଜ୍ୟର ଅନେକ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ବିଶେଷକରି ଜୁନ୍ ମାସରେ ବର୍ଷା ପରିମାଣ କମ୍ ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋ ପରିସ୍ଥିତି ଧୀରେ ଧୀରେ ଗଠିତ ହେଉଛି। ସାଧାରଣତଃ ଏଲ୍ ନିନୋ ଭାରତୀୟ ମୌସୁମୀ ବର୍ଷାକୁ ଦୁର୍ବଳ କରିଥାଏ। ଏହାର ପ୍ରଭାବ ଜୁଲାଇ ମାସରୁ ଆହୁରି ସ୍ପଷ୍ଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ଓ ଏଲ୍ ନିନୋ ପ୍ରଭାବ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା ଏବଂ ତାପମାତ୍ରାର ଧାରାକୁ ପ୍ରଭାବିତ କରିପାରେ। ସେଥିପାଇଁ ସମସ୍ତ ରାଜ୍ୟକୁ ପୂର୍ବ ପ୍ରସ୍ତୁତି ନେବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶାର କୃଷି କ୍ଷେତ୍ର ମୌସୁମୀ ବର୍ଷା ଉପରେ ବହୁ ପରିମାଣରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ବର୍ଷା କମ୍ ହେଲେ ଖରିଫ ଚାଷ, ଜଳ ସଂରକ୍ଷଣ ଓ ଜଳସମ୍ପଦ ପରିଚାଳନା ଉପରେ ପ୍ରଭାବ ପଡ଼ିପାରେ।

ତେବେ ପାଣିପାଗ ବିଭାଗ କହିଛି ଯେ ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି। ଆଗାମୀ ଦିନରେ ମୌସୁମୀ ବର୍ଷାର ଗତିବିଧିକୁ ଆଧାର କରି ନୂଆ ପୂର୍ବାନୁମାନ ଜାରି କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia