Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା ପରିବାର

Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା ପରିବାର

ନ୍ଦୋର: କିଛି ମୁହୂର୍ତ୍ତ କେବଳ ଗୋଟିଏ ପରିବାର ପାଇଁ ନୁହେଁ, ପିଢ଼ି ପିଢ଼ିର ଅପେକ୍ଷାର ଅନ୍ତ ଘଟାଏ । ଏ ଅପେକ୍ଷା ବର୍ଷେ, ଦୁଇ ବର୍ଷ କି ୧୦ ବର୍ଷ ନୁହେଁ, ପୂରା ୫୨ ବର୍ଷ ପରେ ଶେଷ ହୋଇଛି । ପରିବାରରେ ଏକ ଝିଅର ପାଦ ପଡିଛି । ଦିନ ଥିଲା ଝିଅ ଜନ୍ମ ନେଲେ ପରିବାରରେ ପ୍ରାୟ ସମସ୍ତଙ୍କ ମୁହଁରେ ଟିକିଏ ଦୁଃଖ ଦେଖିବାକୁ ମିଳିଥିଲା ।

ହେଲେ ଏବେ ଧିରେ ଧିରେ ସେ ଚିନ୍ତାଧାରା ବଦଳୁଛି । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ପରିବାରରେ ଝିଅ ଟିଏ ଆସିଲେ, ପରିବାର ଲୋକେ ତାକୁ ଧୁମଧାମରେ ସେଲିବ୍ରେଟ୍ କରୁଛନ୍ତି । ଘରକୁ ଲକ୍ଷ୍ମୀଙ୍କ ଆଗମନ ହେଲା ବୋଲି କହୁଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରର ଏକ ପରିବାରରେ ଏମିତି ହିଁ ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଛି। ପୂରା ୫୨ ବର୍ଷ ପରେ ପରିବାରରେ ଜଣେ କନ୍ୟା ସନ୍ତାନର ଜନ୍ମ ହୋଇଛି। ଏହି ଖବର ଶୁଣି ପରିବାରର ଖୁସି କହିଲେ ନ ସରେ।

ଶିଶୁଟିକୁ ଅପରେସନ୍ ଥିଏଟରରୁ ବାହାରକୁ ଆଣିବା ମାତ୍ରେ ପରିବାର ସଦସ୍ୟମାନେ ତାଳି ବଜାଇ, ଫୁଲ ବର୍ଷା କରି ଏବଂ ହସଖୁସିରେ ତାକୁ ସ୍ୱାଗତ କରିଥିଲେ। ସେହି ଭାବପ୍ରବଣ ଦୃଶ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓକୁ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ବେଲା ଶାହ ଜୈନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ କ୍ୟାପ୍ସନରେ ଲେଖିଛନ୍ତି, 'ବେଳେବେଳେ ଚମତ୍କାର ପିଢ଼ି ପିଢ଼ିରେ ଘଟେ। ୫୨ ବର୍ଷ ଧରି କେବଳ ପୁଅ ଜନ୍ମ ପରେ ଶେଷରେ ଏହି ପରିବାର କନ୍ୟା ସନ୍ତାନର ଆଶୀର୍ବାଦ ପାଇଛି।'

ନବଜାତ ଶିଶୁର ମା' ମୁସ୍କାନ ଅଗ୍ରୱାଲ ମଧ୍ୟ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି ଯାତ୍ରାର ପ୍ରତିଟି ପଦକ୍ଷେପରେ ସେ ତାଙ୍କ ପରିବାରକୁ ସହଯୋଗ କରିଥିଲେ।

ଭିଡିଓଟି ଭାଇରାଲ ହେବା ପରେ ହଜାର ହଜାର ଲୋକ ଶିଶୁଟିକୁ ଆଶୀର୍ବାଦ ଜଣାଇଛନ୍ତି। ଅନେକ ନିଜ ପରିବାରରେ ବହୁ ବର୍ଷ ପରେ ଝିଅ ଜନ୍ମ ହେବାର ଅନୁଭବ ମଧ୍ୟ ସେୟାର କରିଛନ୍ତି। କେହି କେହି ଲେଖିଛନ୍ତି, 'ପ୍ରତ୍ୟେକ କନ୍ୟା ସନ୍ତାନର ଏଭଳି ସ୍ନେହ ଓ ସମ୍ମାନର ସହ ସ୍ୱାଗତ ହେବା ଉଚିତ୍।'

ଏହି ଘଟଣା କେବଳ ଗୋଟିଏ ପରିବାରର ଖୁସି ନୁହେଁ, ବରଂ ସମାଜରେ କନ୍ୟା ସନ୍ତାନ ପ୍ରତି ବଦଳୁଥିବା ଚିନ୍ତାଧାରାର ଏକ ସକାରାତ୍ମକ ବାର୍ତ୍ତା ବୋଲି ଅନେକ ମତ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia