Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚାକିରିଆଙ୍କ ପାଇଁ ବଡ଼ ଖବର: ଇପିଏଫ୍ ବେତନ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଁ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ

ଚାକିରିଆଙ୍କ ପାଇଁ ବଡ଼ ଖବର: ଇପିଏଫ୍ ବେତନ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଁ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: ସରକାରୀ ତଥା ବେସରକାରୀ ସଂସ୍ଥାରେ କାମ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍ ଖାତାରେ ଯୋଗଦାନ ପାଇଁ ଥିବା ବାଧ୍ୟତାମୂଳକ ବେତନ ସୀମାକୁ ବୃଦ୍ଧି କରିବା ନେଇ ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମୂଳ ଦରମା (ବେସିକ୍ ସାଲାରୀ) ସୀମାକୁ ବର୍ତ୍ତମାନର ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୫,୦୦୦ ଟଙ୍କା କରିବା ପ୍ରସ୍ତାବ ଉପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମୋହର ମାରିଛି।

ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା ହେବାର ସମ୍ଭାବନା ରହିଛି।

ଏହି ନୂଆ ନିୟମ ଲାଗୁ ହେଲେ, ଯେଉଁ କର୍ମଚାରୀମାନଙ୍କର ମୂଳ ଦରମା ମାସିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବ, ସେମାନଙ୍କ ପାଇଁ ଇପିଏଫ୍ଓ ଖାତା ଖୋଲିବା ଏବଂ ପିଏଫ୍ କଟିବା ବାଧ୍ୟତାମୂଳକ ହେବ। ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଏହି ବେତନ ସୀମା ବୃଦ୍ଧି ନେଇ ଏକ ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିଲା, ଯାହାକୁ ଏବେ ସବୁଜ ସଙ୍କେତ ମିଳିଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଏହି ନିଷ୍ପତ୍ତି ଫଳରେ ଦେଶର ବ୍ୟାପକ ସଂଖ୍ୟକ ନୂଆ କର୍ମଚାରୀ ଇପିଏଫ୍ଓ ପରିସରଭୁକ୍ତ ହୋଇ ସାମାଜିକ ସୁରକ୍ଷାର ଲାଭ ଉଠାଇପାରିବେ। ବେତନ ସୀମା ବୃଦ୍ଧି ପାଇଲେ କର୍ମଚାରୀଙ୍କ ମାସିକ ଦରମାରୁ ପିଏଫ୍ ବାବଦକୁ କଟୁଥିବା ରାଶି ବୃଦ୍ଧି ପାଇବ। ଫଳରେ ହାତକୁ ଆସୁଥିବା ଦରମା (ଟେକ୍-ହୋମ୍ ସାଲାରୀ) ସାମାନ୍ୟ କମିବାର ସମ୍ଭାବନା ଥିଲେ ମଧ୍ୟ, ଭବିଷ୍ୟତ ପାଇଁ ଏକ ବଡ଼ ପାଣ୍ଠି ସଞ୍ଚୟ ହୋଇପାରିବ। ଏହାସହ ଅବସର ପରେ ମିଳୁଥିବା ପେନସନ୍ ପରିମାଣରେ ମଧ୍ୟ ବୃଦ୍ଧି ଘଟିବ, ଯାହା କର୍ମଚାରୀଙ୍କୁ ବାର୍ଦ୍ଧକ୍ୟରେ ଆର୍ଥିକ ସୁରକ୍ଷା ଯୋଗାଇଦେବ।

ଉଲ୍ଲେଖଯୋଗ୍ୟ ଯେ, ଶେଷ ଥର ପାଇଁ ଗତ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଇପିଏଫ୍ ବେତନ ସୀମାରେ ସଂଶୋଧନ କରାଯାଇଥିଲା। ସେହି ସମୟରେ ଏହାକୁ ୬,୫୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା। ବର୍ତ୍ତମାନର ମହଙ୍ଗା ବଜାର ଏବଂ ବୃଦ୍ଧି ପାଉଥିବା ଜୀବନଧାରଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଟ୍ରେଡ୍ ୟୁନିୟନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏହି ସୀମାକୁ ବଢ଼ାଇବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା।

ବର୍ତ୍ତମାନର ନିୟମ ଅନୁଯାୟୀ, କର୍ମଚାରୀଙ୍କ ବେସିକ୍ ଦରମା ଓ ମହଙ୍ଗା ଭତ୍ତାର ୧୨ ପ୍ରତିଶତ ଅର୍ଥ ଇପିଏଫ୍ ଖାତାରେ ଜମା ହୋଇଥାଏ। ଠିକ୍ ସମାନ ପରିମାଣର ଅର୍ଥ କମ୍ପାନୀ କିମ୍ବା ନିଯୁକ୍ତିଦାତାଙ୍କ ପକ୍ଷରୁ ମଧ୍ୟ ପ୍ରଦାନ କରାଯାଏ। ନିଯୁକ୍ତିଦାତା ଦେଉଥିବା ୧୨ ପ୍ରତିଶତରୁ ୮.୩୩% କର୍ମଚାରୀଙ୍କ ପେନସନ୍ ସ୍କିମ୍ କୁ ଯାଉଥିବା ବେଳେ ବଳକା ୩.୬୭% ଇପିଏଫ୍ ଆକାଉଣ୍ଟରେ ଜମା ହୁଏ। ବେତନ ସୀମା ୨୫ ହଜାର ଟଙ୍କା ହେଲେ ଏହି ସମସ୍ତ ଗଣନାରେ ପରିବର୍ତ୍ତନ ଆସିବ ଏବଂ ଜମା ରାଶି ବଢ଼ିବ।

ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ମିଳିବା ପରେ ଏବେ କେବଳ କ୍ୟାବିନେଟର ଚୂଡ଼ାନ୍ତ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। କ୍ୟାବିନେଟ୍ ବୈଠକରେ ପାରିତ ହେବା ପରେ ଏନେଇ ସରକାରୀ ବିଜ୍ଞପ୍ତି ଜାରି କରାଯିବ ବୋଲି ସୂତ୍ରରୁ ପ୍ରକାଶ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia