Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହରମୁଜ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଡିଜେଲ ଓ ବିମାନ ଇନ୍ଧନ ଉପରେ କମିଲା ରପ୍ତାନି ଶୁଳ୍କ

ହରମୁଜ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଡିଜେଲ ଓ ବିମାନ ଇନ୍ଧନ ଉପରେ କମିଲା ରପ୍ତାନି ଶୁଳ୍କ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ତୈଳ ସଙ୍କଟ ଏବଂ ପଶ୍ଚିମ ଏସିଆରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ ଉପରେ ଲାଗୁଥିବା ରପ୍ତାନି ଶୁଳ୍କକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ନୂଆ ଦର ଜୁନ ପହିଲାରୁ ଲାଗୁ ହେବ।

ତେବେ ଘରୋଇ ବଜାର ପାଇଁ ଏକ୍ସାଇଜ ଡ୍ୟୁଟିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଫଳରେ ଦେଶର ସାଧାରଣ ଖାଉଟିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ନୂତନ ବିଜ୍ଞପ୍ତି ମୁତାବକ ପେଟ୍ରୋଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୧ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଥିବା ବେଳେ ଡିଜେଲ ଉପରେ ଏହା ଲିଟର ପିଛା ୧୩ ଟଙ୍କା ୫୦ ପଇସା ରହିବ। ସେହିପରି ବିମାନରେ ବ୍ୟବହାର ହେଉଥିବା ଇନ୍ଧନ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୯ ଟଙ୍କା ୫୦ ପଇସାକୁ କମାଇ ଦିଆଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଇନ୍ଧନର ହାରାହାରି ଦରକୁ ଦୃଷ୍ଟିରେ ରଖି ସରକାର ପ୍ରତି ୧୫ ଦିନରେ ଥରେ ଏହି ଶୁଳ୍କର ସମୀକ୍ଷା କରିଥାନ୍ତି।

ହରମୁଜ ପ୍ରଣାଳୀରେ ଅବରୋଧ ଏବଂ ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ଶକ୍ତି ବଜାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏହି ସଙ୍କଟ ସମୟରେ ତୈଳ କମ୍ପାନୀଗୁଡ଼ିକ ଯେପରି ଅଧିକ ଲାଭ ଆଶାରେ ବାହାରକୁ ଇନ୍ଧନ ରପ୍ତାନି ନକରନ୍ତି ସେଥିପାଇଁ ଗତ ମାର୍ଚ୍ଚ ୨୭ ତାରିଖରେ ସରକାର ପ୍ରଥମ ଥର ପାଇଁ ଏହି ସ୍ୱତନ୍ତ୍ର ଅତିରିକ୍ତ ଏକ୍ସାଇଜ ଡ୍ୟୁଟି ଲାଗୁ କରିଥିଲେ। ବିଦେଶକୁ ଅଧିକ ତୈଳ ରପ୍ତାନି ନକରି ଦେଶ ଭିତରେ ଇନ୍ଧନର ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଶୁଳ୍କ ହ୍ରାସ ଦ୍ୱାରା ଏବେ ପେଟ୍ରୋଲିୟମ ରପ୍ତାନି କରୁଥିବା କମ୍ପାନୀଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia