Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କବିତା : ଦୀପର ଅନ୍ତଃସ୍ୱର

କବିତା : ଦୀପର ଅନ୍ତଃସ୍ୱର

ଶୈଳାଧିରାଜତନୟା ଶତପଥୀ

ମୋ ସୃଷ୍ଟିର ଆଦ୍ୟ ଆବହରୁକୁମ୍ଭକାରର ଅଗଣାରୁ
କଂସାରି ବାପୁଡ଼ା ଯାଏ
ଜାଣିଛି ମୁଁ କାଳେ କାଳେ
ଭବିତବ୍ୟ ଭାଗ୍ୟ ମୋର
ତୁମ ମସୁଧାରେ ବନ୍ଧା
ତୁମ ନୈମିଷ ସୁଖ ପାଇଁ
ବଳିଦାନର ଅଦୃଶ୍ୟ ଚିତ୍କାର।

ମୁଁ ଜାଣେ ନିର୍ବିକାରେ
ଥାପିଦେଇ ମୋ କୋଳରେ
ସଂତ୍ରସ୍ତ ସଳିତାର ଅବଶ ଦେହକୁ
ବିପୁଳ ବିଦ୍ରୋହ ସତ୍ତ୍ୱେ
ଜାଳିଦିଅ ସୌଭାଗ୍ୟ ବ୍ୟପେକ୍ଷାରେ
ତେଲମଖା ବିନ୍ୟସ୍ତ ଶିଖାଟିଏ
ଚଉଁରା ମୂଳେ ସଞ୍ଜ ଆଳତିରେ
ଅବା ମନ୍ଦିରବେଢାରେ ।

ମୌନୀ ଋଷିଟେ ସାଜି
ଦେଖୁଥାଏ କେତେ ଆତ୍ମଦାହ
ସମ୍ପର୍କର କାମନା ପୂର୍ତ୍ତିରେ
ମୁଁ ପୁଣି ଅମୃତର କ୍ଷୀଣ ଜ୍ୟୋତି
ଭବିତାଷ୍ଣୁ ଧର୍ମ ଧାରାରେ
କର୍ମ କ୍ଳାନ୍ତ ନିଷ୍ଠାହୀନ
ରୀତିନୀତିର ପାର୍ବଣରେ
ମୋ ପ୍ରତି ଅବୋଧ୍ୟ ପ୍ରୀତି ।

ସତେକି ଜୀବନର ବୈକଲ୍ଯରେ
ମୁଁ ଈଶ୍ୱରଙ୍କ ସଦର ଦରଜା
ଅନ୍ଧାରି ହୃଦୟର
ବେପଥୁ ବିହୀନ କ୍ଳାନ୍ତିରେ
ଚେନାଏ ଆଶାର ବିଶ୍ୱାସ !
ତ୍ୟାଗ ସମର୍ପଣର ବ୍ୟଂଜକ
ପ୍ରବୃତ୍ତିରେ ନିବୃତ୍ତିର ଆବାହକ !

ମୁଁ ଯେ ଆଜନ୍ମ ବ୍ରତୀ
ଜଗତ କଲ୍ୟାଣୀ ଶାନ୍ତି
କେମିତି ବୁଝାଇବି
ଟାଣୁଆ ଛାତିରେ
ଆଉ କାହା ତ୍ୟାଗକୁ
ନିଜର କରିବାର ବଡ଼ିମା
ସହସ୍ର ପତଙ୍ଗଦାହର ଆତ୍ମଗ୍ଳାନି
ଅଥଚ କର୍ତ୍ତବ୍ୟ ଦ୍ବାହିରେ
ପୁନଃ ମଙ୍ଗଳାଷ୍ଟକୀ ସମ୍ମୋହନୀ ।

ତୁମ ପାଇଁ ଜାଳିପାରେ
ଆକାଶରେ ଅସଂଖ୍ୟ ଦୀପାଳି
ଜଳୁଥିବି ଅବା ଜାଳୁଥିବି
ଆତ୍ମଜ୍ୟୋତିର ବର୍ଣ୍ଣାଳୀ
ଟାଳି ପାରେନାହିଁ ନିୟତିକୁ
ନୀଳକଣ୍ଠୀ ସାଜି ପିଇଯାଉ ଥିବି
ମୋ ଚରିତ୍ରର ଅନ୍ତଃସ୍ୱର
ତଥାପି ବlଢୁଥିବି ସିନ୍ଦୂରା ଫିଟାଇ
ତୁମ ପାଇଁ ଅନନ୍ତ ମୁକ୍ତିର ଦ୍ୱାର ।।

ବାଲିପାଟଣା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia