Dailyhunt
କବିତା : ନିଦାଘର ଯନ୍ତ୍ରଣା

କବିତା : ନିଦାଘର ଯନ୍ତ୍ରଣା

ଅଶ୍ବିନୀ ତ୍ରିପାଠୀ

ସରିଆସେ ଶୀତ ଆସିଲେ ବସନ୍ତ
ଗୁଞ୍ଜରି ଉଠଇ ଧରା
ମୃଦୁ ମଳୟରେ ଆସ ତୁମେ ବାରେ
ପହିଲି ଫଗୁଣ ଖରା ।।
ପ୍ରକ୍ରୁତିର ରାଣୀ ସୁନ୍ଦର ଧରଣୀ
ଅସରନ୍ତି ଆଶା ନେଇ
ଅପେକ୍ଷାର ଅନ୍ତ ହେ ଚିର ବସନ୍ତ
କେତେ କଥା ଯାଅ କହି ।।
ଫଗୁଣ ସକାଳ କେତେ ଯେ ସ୍ବପ୍ନିଳ
ଅନୁଭବ ଅନୁଭୂତି
ସୁନେଲୀ କିରଣ ଅଟେ ଅମଳିନ
ବିସ୍ମୟ ପୁଣି ବିସ୍ମୃତି ।।

ଦାରୁଣ ନିଦାଘ ରଖିଯାଏ ଦାଗ
ଅସହ୍ଯ ଯନ୍ତ୍ରଣା ଦିଏ
ସହି ହୁଏ ନାହିଁ ରହି ହୁଏ ନାହିଁ
ସଙ୍କଟ ଅଧିକ ହୁଏ ।।
ସୁରୁଜ ପ୍ରକୋପ ତାର ବିଶ୍ବ ରୂପ
ସତେ ଅବା ଭୟଙ୍କର
ମଣିଷର ମନ ବଢଇ ସ୍ପନ୍ଦନ
ଝାଞ୍ଜି ଖରା ନିଦାଘର ।।
ଗ୍ରୀଷମେ ବିଷମ ଅଟଇ ଜୀବନ
ପଶୁ ପକ୍ଷୀ ହାହାକାର
ପତ୍ରଝଡା ଦିଏ ଅଣଚାଶ ବହେ
ଏଇତ ସୃଷ୍ଟି ସ୍ରଷ୍ଟାର ।।
ଫଗୁଣ ଫଗୁରେ ଚଇତି ବାଆରେ
ଆଣେ ବୈଶାଖୀର ତାତି
ଦୋଳ ଯାତ୍ରା ସାଥେ ଚଇତି ପରବ
ରହିଯାଏ ହୋଇ ସ୍ମୃତି ।।

ଗୁଣପୁର , ଜିଲ୍ଲା-ରାୟଗଡା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia